ବ୍ୟାଙ୍କରେ ଡିପୋଜିଟ ପାଇଁ ଏସଏଚଜିଙ୍କ ଠାରୁ ଆଦାୟ ଟଙ୍କାରୁ କୋଟିଏରୁ ଉର୍ଦ୍ଧ୍ବ ଆତ୍ମସାତ ଘଟଣା : ଅଭିଯୁକ୍ତ ମହିଳା ବ୍ୟାଙ୍କ ମିତ୍ରଙ୍କ ଜେନାପୁର ଥାନାରେ ଆତ୍ମସମର୍ପଣ
ଚଣ୍ଡିଖୋଲ,୨୦/୦୯ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ କବାଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖା ପକ୍ଷରୁ ଏଣ୍ଡଳବା ପଞ୍ଚାୟତ ପାଇଁ ନିଯୁକ୍ତ ମହିଳା ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ କୋଅର୍ଡିନେଟରଙ୍କ ଦ୍ୱାରା ଏସ ଏଚ ଜିଙ୍କ କୋଟୀଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ହେବା ଘଟଣାରେ ଅଭିଯୁକ୍ତ ମହିଳା ବ୍ୟାଙ୍କ ମିତ୍ର ଇନ୍ଦୁମତୀ ପୃଷ୍ଟି ଶେଷରେ ମଙ୍ଗଳବାର ଦିନ ଜେନାପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି! ସେ ଆତ୍ମସପର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି! ସପୃକ୍ତ ବ୍ୟାଙ୍କ ମିତ୍ର ଇନ୍ଦୁମତୀ ସ୍ଥାନୀୟ ଏସ ଏଚ ଜି ମାନଙ୍କଠାରୁ ରୂଣ ପରିଷୋଧ ପାଇଁ ଆଦାୟ କରିଥିବା ଟଙ୍କାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଙ୍କରେ ଜମା ନକରି ଆତ୍ମସାତ କରି ଗତ କିଛିଦିନ ହେବ ଫେରାର ହୋଇଯାଇଥିଲେ! ଯାହାକୁ ନେଇ କ୍ଷତିଗ୍ରସ୍ଥ ଏସ ଏଚ ଜି ସଦସ୍ୟ ମାନେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କବାଟବନ୍ଧ ଶାଖାରେ ହଙ୍ଗାମା କରିବା ସହ ଜେନାପୁର ଥାନାରେ ଇନ୍ଦୁମତୀଙ୍କ ନାମରେ ଏତଲା ଦାୟର କରିଥିଲେ! ପ୍ରାୟ ୨୫ଟି ଏସ ଏଚ ଜି ପକ୍ଷରୁ ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହେବାପରେ ତାଙ୍କ ବିରୁଦ୍ଧରେ ପୋଲିସ ୨୫୩/୨୨ରେ ଏକ ମାମଲା ପଞ୍ଜିକରଣ କରି ତାଙ୍କୁ ଧରିବା ପାଇଁ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ! ଏହି ଘଟଣାକୁ ନେଇ ଦିନକୁ ଦିନ ପରିସ୍ଥିତି ଅଣ ଆୟତ ହେଉଥିବାରୁ ଶେଷରେ ଉପାୟ ନପାଇ ଇନ୍ଦୁମତୀ ପୋଲିସ ନିକଟରେ ମଙ୍ଗଳବାର ଆତ୍ମସମର୍ପଣ କରିଥିଲେ! ବ୍ୟାଙ୍କିଙ୍ଗ ସୁବିଧା ନଥିବା ଦୁର୍ଗମ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚିଥିବା ପାଇଁ ଏବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ମିତ୍ର ବା ବ୍ୟାଙ୍କ କୋଅର୍ଡିନୈଟରଙ୍କୁ ନିଯୁକ୍ତି ଦିଆଯାଇଥାଏ! ଏହି ଆଧାରରେ କବାଟବନ୍ଧ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପକ୍ଷରୁ ସେଠାକାର ଏଣ୍ଡଳବା ପଞ୍ଚାୟତ ପାଇଁ ବାଘୁଆବେଣା ଗ୍ରାମର ଇନ୍ଦୁମତୀ ପୃଷ୍ଟିଙ୍କୁ ଗତ ୩ ବର୍ଷ ହେବ ବ୍ୟାଙ୍କ ମିତ୍ର ଭାବେ ନିଯୁକ୍ତି ଦିଆଯାଇଥିଲା! ବ୍ୟାଙ୍କରୁ ରୁଣ ନେଇଥିବା ଏସ ଏଚ ଜି ବା ସ୍ୱୟଂ ସହାୟକା ଗୋଷ୍ଠୀ ମାନଙ୍କ ଠାରୁ ସୁଧ ଓ ରୂଣଟଙ୍କା ଆଦାୟ ପାଇଁ ମଧ୍ୟ ତାଙ୍କୁ ବ୍ୟାଙ୍କ ଦାୟିତ୍ୱ ଦେଇଥିଲା! ଯାହା ଫଳରେ ଇନ୍ଦୁମତୀ ଗତ ୩ ବର୍ଷ ହେବ ଏଣ୍ଡଳବା ପଞ୍ଚାୟତରେ ରହିଥିବା ପ୍ରାୟ ୮୫ଟି ସ୍ୱୟଂ ସହାୟକା ଗୋଷ୍ଠୀଙ୍କ ଠାରୁ ଟଙ୍କା ଆଦାୟକରି ବ୍ୟାଙ୍କରେ ଜମା କରିବାକୁ ଆଣୁଥିଲେ ଓ ସେଠାକାର ଲୋକଙ୍କୁ ଅନ୍ୟାନ୍ୟ ବ୍ୟାଙ୍କ ସେବା ଯୋଗାଉଥିଲେ! ତେବେ ଇତି ମଧ୍ୟରେ କେତେକ ଏସ ଏଚ ଜିର ସଦସ୍ୟମାନେ ବ୍ୟାଙ୍କକୁ ଆସି ସେମାନଙ୍କ ଦେଣନେଣ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଏହି ଘୋଟାଲା ନେଇ ସେମାନଙ୍କୁ ସୂଚନା ମିଳିଥିଲା!ଏଣ୍ଡଳବା ପଞ୍ଚାୟତର ଆଖଣ୍ଡଳମଣି ସ୍ୱୟଂ ସହାୟକା ଗୋଷ୍ଠୀର ସଭାପତି ପୁଷ୍ପଲତା ମଲିକ ଓ ସମ୍ପାଦିକା ଉର୍ମିଳା ମଲିକଙ୍କ ଅଭିଯୋଗ ଅନୁଯାଇ ତାଙ୍କ ଘୋଷ୍ଠୀ କବାଟବନ୍ଧ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରୁ ୩ ଲକ୍ଷ ୧୬ ହଜାର ଟଙ୍କା ରୂଣ ନେଇଥିଲା! ସେମାନେ ଚଳିତ ଅଗଷ୍ଟ ମାସ ସୁଧା ସୁଧସହ ସମସ୍ତ ରୂଣଟଙ୍କା ସୁଝି ଦେଇଥିଲେ! ଏହି ଟଙ୍କା ସେମାନଙ୍କ ଠାରୁ ପ୍ରତି ମାସରେ ସପୃକ୍ତ ବ୍ୟାଙ୍କ ମିତ୍ର ଇନ୍ଦୁମତୀ ଆଦାୟକରି ବ୍ୟାଙ୍କରେ ଜମା କରିବାକୁ ଆଣିଥିଲେ! ହେଲେ ସେମାନେ ଦେଖିବା ବେଳକୁ ତାଙ୍କ ଗୋଷ୍ଠିର ଆହୁରି ୨ ଲକ୍ଷ ୬୦ ହଜାର ରୂଣଟଙ୍କା ସୁଝିବାକୁ ବାକିଅଛି!ଆଦାୟ ଟଙ୍କାରୁ ଇନ୍ଦୁମତୀ ମାତ୍ର ୫୬ ହଜାର ବ୍ୟାଙ୍କରେ ଜମାକରି ଅନ୍ୟ ସମସ୍ତ ଟଙ୍କା ଆତ୍ମସାତ କରିଥିବା ସେମାନେ ଅଭିଯୋଗ କରିଥିଲେ! ଏହିପରି ଭାବେ ଉକ୍ତ ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକା ଗଷ୍ଠୀ ଇନ୍ଦୁମତୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା! ! ଏହି ଘୋଟାଲାରେ କବାଟବନ୍ଧ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର କେତେକ କର୍ମଚାରୀ ଓ ସ୍ଥାନୀୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଇନ୍ଦୁମତୀଙ୍କୁ ସହଯୋଗ କରିଥିବା ମଧ୍ୟ ଏସ ଏଚ ଜିଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଥିଲା!
