Odisha news

ଚଣ୍ଡିଖୋଲ ଜିଆଇଇଟିରେ ଛାତ୍ରୀ ମୃତ୍ୟୁ ମାମଲା ନେଇ ବିବାଦ ବଢୁଛି : ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ

0

ଚଣ୍ଡିଖୋଲ,୧୨/୦୯ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ଘରୋଇ କଲେଜ ଗଣେଶ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଜିଆଇଇଟି)ର ଛାତ୍ରୀ ନିବାସରେ ରହି ଯୁକ୍ତ ଦୁଇ ବିଗ୍ୟାନ ଶ୍ରେଣୀରେ ପଢୁଥିବା ମେଧାବୀ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଦିନକୁ ଦିନ ବିବାଦ ବଢିଚାଲିଛି! ଗତ ୨୦୨୧ ମସିହା ନଭେମ୍ବର ମାସ ୩ ତାରିଖରେ ଏହି ଘଟଣା ଘଟିଥିଲା । ହେଲେ ଏହି ସ୍ପର୍ଶ କାତର ଘଟଣାର ତଦନ୍ତକୁ ପୋଲିସ ଦୀର୍ଘ ଦିନଧରି ଚପାଇ ରଖିବା ସହ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ଏବେ ବିବାଦ ବଢିଚାଲିଛି! ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟ ମାନବିକ ଅଧିକାର କମିଶନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତ ଜୁଲାଇ ମାସରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ! ସେହି ନିର୍ଦ୍ଦେଶ ଇତିମଧ୍ୟରେ କେତେ ପରିମାଣରେ କାର୍ଯ୍ୟକାରୀ ହୋଇଛି ତାହା ଜଣା ପଡିନଥିଲା ବେଳେ ଏବେ ଏହି ମାମଲାକୁ ରାଜ୍ୟ ଗୃହ ବିଭାଗ ଗୁରତରଭାବେ ଗ୍ରହଣକରିଛି! ଗୃହବିଭାଗର ଓଏସଡି ତଥା ସ୍ୱତନ୍ତ୍ର ସଚିବ ପି ସି ପ୍ରଧାନ ତାଙ୍କ ପତ୍ର ସଖ୍ୟା ୩୦୭୦୩ ରେ ସ୍ମୃତିଶ୍ରୀ ମୃତ୍ୟୁ ଘଟଣାରେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି ଓ ଏଡିଜି ଏଚଆରପିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି! ଯାହାକୁ ନେଇ ଏବେ ସେତେବେଳର ତଦନ୍ତକାରୀ ପୋଲିସ ଅଧିକାରୀ ଓ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଛନକା ପଶିଛି!ଏହି ମାମଲାରେ ଦିଗହରା ହୋଇପଡିଥିବା ପୋଲିସ ତଦନ୍ତ ଏବେ ଠିକଣା ବାଟକୁ ଆସିବ ଓ ସପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଦଣ୍ଡ ମିଳିବ ବୋଲି ମୃତା ଛାତ୍ରୀ ସ୍ମୃତିଶ୍ରୀଙ୍କ ବାପା,ମା ଓ ପରିବାର ବର୍ଗ ଆଶାବ୍ୟକ୍ତ କରିଛନ୍ତି!

ଗତ ୨୦୨୧ ମସିହା ନଭେମ୍ବର ୩ତାରିଖ ଦିନ ସ୍ମୃତିଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜିଆଇଟିର ଲେଡିଜ ହଷ୍ଟେଲର ତାଙ୍କ ରୁମରୁ ପୋଲିସ ଉଦ୍ଧାର କରିଥିଲା! ମୃତଦେହ ଜବତ ସମୟରେ ସେଠାରୁ ସ୍ମୃତିଶ୍ରୀ ମୃତ୍ୟୁ ପୂର୍ବରୁ ଲେଖିଯାଇଥିବା ଏକ ସୁଇସାଇଡିଆଲ ନୋଟ ପୋଲିସକୁ ମିଳିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ନଦେଇ ପୋଲିସ ଏହି ଘଟଣାକୁ ଅତି ହାଲକା ଭାବେ ଗ୍ରହଣକରି ଏକ ଅପମୃତ୍ୟୁ ମାମଲା ଦାୟର କରିଥିଲା!ମୃତଦେହ ଜବତ ସମୟରେ ଏହି ଘଟଣାକୁ ନେଇ ଉପସ୍ଥିତ ଜନତା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅନେକ ସନ୍ଦେହ ପ୍ରକଟ କରିଥିଲେ ମଧ୍ୟ ପୋଲିସ କାହାକଥା ସୁଣିନଥିଲା! ସ୍ମୃତିଶ୍ରୀଙ୍କ ହାତ ଲେଖାରେ ଶୁଭ ନାମକ ଜଣେ ଛାତ୍ରୀଙ୍କ ସହ କଲେଜର ମୁଦୁଲି ସାର,ଶଶିକାନ୍ତ ସାର,କଳାଶ୍ରୀ ଦାସ,ରାଜଲକ୍ଷୀ ପ୍ରଧାନ ଓ ନିର୍ମଳା ସାହୁ ତାଙ୍କ ମୃତ୍ୟୁ ପାଇଁ ଦାୟୀବୋଲି ସ୍ପଷ୍ଟ ଭାବେ ଲେଖିବା ସହ ସେମାନେ ମିଳିମିଶି ତାଙ୍କୁ ମାନଶିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ସହ ତାଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ କରିଥିବା ଉଲ୍ଲେଖ କରିଥିଲେ! ଏତେସବୁ ପରେବି ବଡଚଣାର ତତ୍କାଳୀନ ଥାନା ଅଧିକାରୀ କୌଣସି କଥାକୁ ଗୁରୁତ୍ୱ ଦେଇନଥିଲେ! ହେଲେ ଘଟଣା ପରେ ସ୍ମୃତିଶ୍ରୀଙ୍କ ମା’ ମଧୁସ୍ମିତା ଦାସ ବଡଚଣା ଥାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରାଯାଇ ଘଟଣାକୁ ଆତ୍ମହତ୍ୟାର ରୁପ ଦେବାପାଇଁ ମୃତଦେହକୁ ଉପରୋକ୍ତ ଅଭିଯୁକ୍ତ ମାନେ ଝୁଲାଇ ଦେଇଥିବା ଉଲ୍ଲେଖକରି ଲିଖିତ ଏତଲା ଦେଇଥିଲେ! ଏତଲାପରେ ପୋଲିସ ଅବସ୍ୟ ବାଧ୍ୟହୋଇ ଅପମୃତ୍ୟୁ ମାମଲାରୁ ଏହି ମାମଲାକୁ ହତ୍ୟା ମାମଲା ଭାବେ ପରିବର୍ତ୍ତନ କରି ୩୦୨ ଦଫାରେ କେଶକୁ ପଞ୍ଜିକୃତ କରିଥିଲା! ହେଲେ ପରବର୍ତ୍ତୀ ସମୟରେ ଏହି ସ୍ପର୍ଶ କାତର ଘଟଣାର ତଦନ୍ତକୁ ଗୁରୁତ୍ୱ ଦିଆଯାଇନଥିଲା !

ଏପରିକି ସ୍ମୃତିଶ୍ରୀଙ୍କ ମୃତ୍ୟୁ ପୂର୍ବର ହାତଲେଖା ଓ ତାଙ୍କ ମା’ଙ୍କ ଏତଲାରେ ନାମ ଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ପଚରାଉଚରା ବା ଗିରଫ କରିନଥିଲା! ଇତିମଧ୍ୟରେ ଘଟଣାର ୧୧ ମାସ ବିତିଯିବା ପରେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କିମ୍ବା ଘଟଣାର ଉପଯୁକ୍ତ ତଦନ୍ତ ହେଉନଥିବା ନେଇ ମୃତାଛାତ୍ରୀଙ୍କ ପରିବାର ପକ୍ଷରୁ ବାରମ୍ବାର ବଡଚଣା ପୋଲିସର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଓ ଏହି ଘଟଣାରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥରରେ ଆପତ୍ତି କରାଯାଇଥିଲା! ହେଲେ କୌଣସି ସୁଫଳ ମିଳିନଥିଲା! ଶେଷରେ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଏହି ମାମଲାକୁ ନେଇ ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ! ସେହି ଚିଠି ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତ ୯ ତାରିଖ ଦିନ ସ୍ୱତନ୍ତ୍ର ସଚିବ ଡିଜିପି ପୋଲିସ,ଏଡିଜି କ୍ରାଇମବ୍ରାଞ୍ଚ ଓ ଏଡିଜି ଏଚଆରପିସିଙ୍କୁ ସ୍ମୃତିଶ୍ରୀ ମୃତ୍ୟୁ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି!

Nalco
Leave A Reply