Odisha news

କାର୍ ଧକ୍କାରେ ଏମ୍ପିସି କଲେଜ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ , ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

0

ବାରିପଦା : ବାରିପଦା ଟାଉନ ଥାନା ଅନ୍ତର୍ଗତ ତକତପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ କଲେଜର ବାଣିଜ୍ୟ ବିଭାଗର ଶିକ୍ଷୟିତ୍ରୀ ମନିଷା ଶର୍ମା(୩୪)ଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀ ମାନେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ସନ୍ଧ୍ୟା ସମୟରେ ଶିକ୍ଷୟିତ୍ରୀ ଜଣଙ୍କ ଓଡି-୧୧ଏମ୍-୪୭୪୯ ନମ୍ବର ବିଶିଷ୍ଟ ସ୍କୁଟିରେ ବାରିପଦା ସହର ୱାର୍ଡ ନମ୍ବର ୯ ମଧୁବନ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ତକତପୁର ସ୍ଥିତ କଲେଜ ହଷ୍ଟେଲ ନିକଟରେ ଆସୁଥିବା ଓଡି-୧୧ଜେଡ୍-୦୨୮୪ ନମ୍ବର ବିଶିଷ୍ଟ ଟାଟା ପନ୍ଚ୍ ଗାଡିଟି ଦୃତଗତିରେ ସ୍କୁଟିଟିକୁ ସମ୍ମୁଖରୁ ଧକ୍କା ଦେଇଥିଲା, ଫଳରେ ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତୁ୍ୟ ଘଟିଥିଲା । ଅପରପକ୍ଷରେ ଏହି କାରରେ ୪ରୁ ୫ଜଣ ଯୁବକ ଥିଲେ ଏବଂ ଦୁର୍ଘଟଣା ଘଟାଇବା ପରେ କାର୍ଟିକୁ ଛାଡି ଏହି ଯୁବକମାନେ ଫେରାର ହୋଇଯାଇଥିବା ଜଣାଯାଇଛି । ଏହି ଘଟଣା ପ୍ରଚାରିତ ହେବାପରେ ସମଗ୍ର ଏମ୍ପିସି କଲେଜରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି କାର ଓ ସ୍କୁଟିଟିକୁ ଜବତ କରିବା ସହ ଫେରାର ହୋଇଯାଇଥିବା ଦୁର୍ଘଟଣାକାରୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଲାଇଥିବା ଜଣାଯାଇଛି ।

Nalco
Leave A Reply