କ୍ୟାବିନେଟ୍ ଏମ୍ପିଲାଡସ ପାଣ୍ଠିକୁ ୨୦୨୦-୨୦୧୧ ଏବଂ ୨୦୧୧-୨୦୧୨ ବର୍ଷ ପାଇଁ ସାମୟିକ ଭାବେ ସ୍ଥଗିତ ,ସଂସଦର ସଦସ୍ୟମାନଙ୍କ ପେନ୍ସନ୍ ଏବଂ ଭତ୍ତାକୁ ଏକ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି
ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୋମବାର କହିଛନ୍ତି ଯେ ସଂସଦର ସଦସ୍ୟମାନଙ୍କ ପେନ୍ସନ୍ ଏବଂ ଭତ୍ତାକୁ ଏକ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ସୋମବାର ସାଂସଦ ଓ ମନ୍ତ୍ରୀଙ୍କ ଦରମାକୁ ଏକ ବର୍ଷ ପାଇଁ ୩୦ପ୍ରତିଶତ ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି। ଏହି ବୈଠକରେ ସମସ୍ତ ସାଂସଦଙ୍କ ଦରମା ଏବଂ ପେନ୍ସନ୍ ପରିବର୍ତ୍ତନ ପାଇଁ କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଛି। ସଂସଦର ସଦସ୍ୟ ଅଧିନିୟମ, ୧୯୫୪ରେ ସଂଶୋଧନ ପାଇଁ ଏହି ବିଲ୍ ପାରିତ ହୋଇଛି, ଯେଉଁଥିରେ ପ୍ରସ୍ତାବ ଦିଆଯାଇଥିଲା ଯେ ସମସ୍ତ ସାଂସଦଙ୍କ ଭତ୍ତା ଏବଂ ପେନ୍ସନ୍ ଏପ୍ରିଲ ୧, ୨୦୨୦ଠାରୁ ଗୋଟିଏ ବର୍ଷ ପାଇଁ ୩୦ପ୍ରତିଶତ ହ୍ରାସ ପାଇବ।
ପ୍ରକାଶ ଜାଭେଦକର କହିଛନ୍ତି ଯେ, କ୍ୟାବିନେଟ୍ ଏମ୍ପିଲାଡସ ପାଣ୍ଠିକୁ ୨୦୨୦-୨୦୧୧ ଏବଂ ୨୦୧୧-୨୦୧୨ ବର୍ଷ ପାଇଁ ସାମୟିକ ଭାବେ ସ୍ଥଗିତ ରଖିଛି। ଦେଶରେ କରୋନା ସଙ୍କଟ ଯୋଗୁଁ ଏହା କରାଯାଉଛି | ଏହି ଦୁଇ ବର୍ଷରେ ଏମ୍ପିଲାଡସର ମୋଟ ୭,୯୦୦ କୋଟି ଟଙ୍କା ଭାରତର ଏକୀକରଣ ପାଣ୍ଠିକୁ ଯିବ | ଏହା ସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ରାଜ୍ୟପାଳମାନେ ମଧ୍ୟ ବେତନରେ ୩୦ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଦେଶରେ ଗରିବଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ ଲକ୍ଷ ୭୦ହଜାର କୋଟି ଟଙ୍କାର ପ୍ୟାକେଜ ଦେଇ ସାରିଛନ୍ତି। ଏହା ବ୍ୟତୀତ, ଲକଡାଉନ୍ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି |
