ଭୁବନେଶ୍ୱର: ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍। ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରୁ ବୌଦ୍ଧ ଅଭିମୁଖେ ଛାଡ଼ିଛି ପ୍ରଥମ ବସ୍। ବସ୍ରେ ମାତ୍ର ୧୫ ଜଣ ଯାତ୍ରୀ ବୌଦ୍ଧ ଅଭିମୁଖେ ଯାତ୍ରା କରିଛନ୍ତି। ପରେ ବ୍ରହ୍ମପୁର ଓ ବାଲୁଗାଁ ଅଭିମୁଖେ ଆଉ ୨ଟି ବସ୍ ଯାତ୍ରା ଆରମ୍ଭ କରିଛି।
ଅନ୍ୟପକ୍ଷେ, କଟକ ବାଦାମବାଡି ବସଷ୍ଟାଷ୍ଟ୍ରେ ଯାତ୍ରୀ ପହଞ୍ଚିଥିବାବେଳେ କିନ୍ତୁ ବସ୍ ଗୋଟିଏ ବି ପ୍ରସ୍ତୁତ ନଥିଲା। କିଛି ଯାତ୍ରୀ ରାଉରକେଲା ଓ ସମ୍ବଲପୁରକୁ ଯିବାକୁ ୨ରୁ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଗୋଟିଏ ବି ବସ୍ ନ ଥିଲା।
ସେହିପରି ବାଲେଶ୍ୱରରୁ ମଧ୍ୟ ବସ୍ ଗଡ଼ି ନ ଥିବା ସୂଚନା ମିଳିଛି। ବସ୍ ପ୍ରସ୍ତୁତ ଥିଲେ ମଧ୍ୟ ଯାତ୍ରୀ ଅଭାବରୁ ବସ୍ ଗଡ଼ି ନାହିଁ। ଯଥେଷ୍ଟ ଯାତ୍ରୀ ନ ଥିବାରୁ ବସ୍ ଏଯାଏ ଚାଲି ନ ଥିବା ଜଣାପଡ଼ିଛି।
ସୂଚନା ଥାଉ କି, ଲକ୍ଡାଉନ୍ ପାଇଁ ବନ୍ଦ ରହିଥିବା ବସ୍ ଚଳାଚଳ ଆଜିଠୁ ଆରମ୍ଭ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ଦଫାରେ ୫୦ ପ୍ରତିଶତ ବସ୍ ଚାଲିବା ନେଇ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।