Odisha news

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଓ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

0

ବୁଗୁଡ଼ା : ତା ୨୨/୦୬/୨୩ : ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ଭୋଳ(୩୧)  । ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମର ଯୁବତୀ ନର୍ମଦା ବେହେରାଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ଥାନାରେ କେସ୍ ନଂ ୪୩୧/୨୩ ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି  ।ପ୍ରକାଶ ଯେ ,  ଚିତ୍ରସେନ ଓ ନର୍ମଦା ଉଭୟେ ନିଜ ନିଜର ଘର ପ୍ରତିପୋଷଣ ପାଇଁ ସୁରତରେ କାମ କରୁଥିଲେ । ସେ ଦୁହିଁଙ୍କ ମଧ୍ୟରେ ୨୦୨୧ ମସିହାରେ ପ୍ରଥମେ ଦେଖା ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରୁ ହିଁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନର୍ମଦାଙ୍କ ଲିଖିତାଭିଯୋଗ ପ୍ରକାରେ ସୁରତର ଆମ୍ବାଜୀ ମନ୍ଦିରରେ ଚିତ୍ରସେନ କୁଆଡେ ତା’ର ମଥରେ ସିନ୍ଦୁର ଲଗାଇ ବିବାହର ପ୍ରତିଶ୍ରୁତି ଦେଇଥିବା ପରେ ଉଭୟେ ମିଶିକରି ଏକ ଭଡାଘରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହି ଆସୁଥିବା ବେଳେ ଅନ୍ୟ ଏକ ଝିଅ ସହ ଚିତ୍ରସେନର ସମ୍ପର୍କ ରହିଥିବା ନେଇ ନର୍ମଦା ଜାଣି ପାରିଥିଲେ । ତାହା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ହିନ୍ଦୁ ରୀତିନୀତିରେ ବାହା ହୋଇ ସ୍ତ୍ରୀର ମାନ୍ଯତା ଦାବି କରିବାରୁ ଦିନେ ଚିତ୍ରସେନ କୁଆଡେ ଗାଏବ୍ ହୋଇଗଲା ଯେ ନର୍ମଦା ତା’ର ଖୋଜ ଖବର ପାଇ ପାରିଲା ନାହିଁ ।  ଏବେ  ଚିତ୍ରସେନ ଅନ୍ୟ କାହାକୁ ବାହା ହେବାକୁ ଚେଷ୍ଟା ଚଳାଇଥିବା ସହ ତାକୁ ଫୋନରେ ଧମକ ଦେଉଥିବାରୁ ତା’ର ଜୀବନ ଅସୁରକ୍ଷିତ ବୋଲି ନର୍ମଦା ଅଭିଯୋଗ କରିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଚିତ୍ରସେନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply