ବୁଗୁଡ଼ା : ତା ୨୨/୦୬/୨୩ : ବୁଗୁଡ଼ା ସହରର ଜୈନିକା ମହିଳା ଏସିଡ୍ ପିଇ ଗୁରୁତର ହୋଇପଡିଥିବା ବେଳେ ଏହି ଘଟଣାରେ ତାଙ୍କର ସ୍ବାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗୁରୁତର ସ୍ତ୍ରୀ ଜଣକ ପ୍ରିୟଙ୍କା ସାହୁ ଏବଂ ଗିରଫ ସ୍ବାମୀ ଜଣକ ହେଲେ ମନୋଜ କୁମାର ପାତ୍ର । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୪୩୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ମେ ୩୧ ତାରିଖରେ ପାରିବାରିକ ଅଶାନ୍ତିକୁ ନେଇ ସ୍ତ୍ରୀ ପ୍ରିୟଙ୍କା ପାଇଖାନା ସଫେଇରେ ବ୍ଯବହୃତ ଏସିଡ୍ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁଗୁଡ଼ା ମେଡିକାଲରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏ ଘଟଣାକୁ ନେଇ ସ୍ବାମୀ ମନୋଜଙ୍କ ବିରୋଧରେ ଗତ ୨୦ ତାରିଖରେ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା ବେଳେ ପୋଲିସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗୁରୁତର ପ୍ରିୟଙ୍କା ଏବେ କଟକ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି ।