ବୁଗୁଡ଼ା : ତା ୧୫/୦୬/୨୩ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ ଗ୍ରାମର ଜନୈକ ଯୁବକ ଢାଙ୍କୁଣି ବିହୀନ ଏକ ସୋକ୍ ପିଟରେ ଖସି ପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ମୁରଲି ବେହେରାଙ୍କ ପୁଅ ମଣ୍ଟୁ ବେହେରା (୨୬) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୦/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ମଣ୍ଟୁ ଗାଧୋଇବାକୁ ଗ୍ରାମର ଏକ ନଳକୂପକୁ ଯାଇଥିଲା । ଗାଧୋଇବା ସମୟରେ ତାଙ୍କୁ ଫିଡ୍ସ୍ ମାରିବାରୁ ନଳକୂପ ନିକଟରେ ଥିବା ଜଳପୂର୍ଣ୍ଣ ସୋକ୍ ପିଟ୍ ମଧ୍ୟକୁ ଖସି ପଡି ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ବାଲିପଦର ଫାଣ୍ଡି ଅଧିକାରୀ ସମୀର ବେହରା ଭଞ୍ଜନଗର ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ଥିଲେ ।