ବୁଗୁଡ଼ା : ତା ୦୬/୦୬/୨୩ : ସଂପ୍ରତି ଅସହ୍ୟ ତାତିକୁ ପ୍ରବଳ ଗୁଳୁଗୁଳି ବୁଗୁଡ଼ା ଅଞ୍ଚଳବାସୀଙ୍କୁ ଜନସାଧାରଣଙ୍କୁ ନାକେଦମ କରୁଥିବା ବେଳେ ଅହୋରାତ୍ର ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଟାଟା ପାୱାର ବିଦ୍ୟୁତ୍ ବିଲ୍ ଆଦାୟ ଦିଗରେ ଯେତିକି ତତ୍ପରତା ଦେଖାଉଛି , ବିଦ୍ୟୁତ୍ ଭିତ୍ତିଭୂମିର ସୁଧାର ଆଣିବା ଏବଂ ବିଦ୍ୟୁତ୍ କାଟ ରୋକିବାରେ ସେତିକି ପଦକ୍ଷେପ ନେଉନାହିଁ । ବୁଗୁଡା ଅଞ୍ଚଳରେ ପ୍ରତିଦିନ ବେହିସାବ ବିଦ୍ୟୁତ୍ କାଟ
ହେଉଛି । ପବନ କି ବର୍ଷା ହେଲେ ଲାଇନ୍ ଆସିବା କାଠିକର ପାଠ ହେଉଛି । ଆସ୍କା ନିକଟ ଚାରି ମାଇଲି ଗ୍ରୀଡ଼ରୁ ବୁଗୁଡ଼ାର ଷୋଳମାଇଲି ଠାରେ ଥିବା ବିଦ୍ୟୁତ ସବଷ୍ଟେସନକୁ ୩୩ କେଭି ଲାଇନ ଦ୍ୱାରା ବିଦ୍ୟୁତ ଆସିବା ପରେ ବୁଗୁଡ଼ା ସହର ସମେତ ଆଖ ପାଖ ଅଞ୍ଚଳକୁ ବିଦ୍ୟୁତ ବଣ୍ଟନ ହେଉଛି l ତେବେ ଷୋଳମାଇଲି ସବଷ୍ଟେସନ ଠାରୁ ଚାରିମାଇଲି ଗ୍ରୀଡ଼ର ଦୂରତା ପ୍ରାୟ ୨୫ କିଲୋମିଟର ହେଉଛି l ଅଧିକାଂଶ ସମୟରେ ୩୩ କେଭି ଲାଇନରେ ତ୍ରୁଟି ରହୁଥିବା ଦର୍ଶାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି l ତ୍ରୁଟି ଖୋଜିବାକୁ ୨୫ କିଲୋମିଟର ପର୍ଯ୍ୟନ୍ତ ଯିବା ଓ ମରାମତି କରିବା ବେଳକୁ ଘଣ୍ଟା ଘଣ୍ଟା ସମୟ ବିତି ଯାଉଛି l ଲୋକଙ୍କ ପାଇଁ କାଳ ସାଜିଥିବା ବିଦ୍ଯୁତର ଏହି ଲୁଚକାଳି ଖେଳର କାରଣ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ଉତ୍ତର ସରକାରୀ ଘୋଷଣାକୁ ଉପହାସ ଏବଂ ସାଧାରଣ ଜନତାଙ୍କ ପ୍ରତି କଟାକ୍ଷ ପରି ମନେ ହେଉଛି । ସରକାରଙ୍କ ପକ୍ଷରୁ ଜନମଙ୍ଗଳକାରୀ ଘୋଷଣା ସତ୍ତ୍ବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ କାଟ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବୁଗୁଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇ ୪ ବର୍ଷ ହେଲା ଜମି କ୍ରୟ ହୋଇଛି l ତେବେ ଏହା ଏକ ବିବାଦୀୟ ଜମି ହୋଇଥିବାରୁ ସେଠାରେ ଏ ପର୍ଯ୍ୟନ୍ତ ଗ୍ରୀଡ଼୍ ସ୍ଥାପନ ହୋଇ ପାରିନି l ଏହାର ବିକଳ୍ପ ବ୍ୟବସ୍ଥା କରି ବୁଗୁଡ଼ା ଠାରେ ଏକ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି।