ପ୍ରଶାସନର ପ୍ରତିଶ୍ରୁତି ଧୂଆଁ ବାଣ , ବୁଗୁଡ଼ା ରାଜପଥ ପାଲଟିଛି ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ , ଏନେଇ ଚର୍ଚ୍ଚାରେ ମନ୍ତ୍ରୀଙ୍କ କ୍ଷୋଭ
ବୁଗୁଡ଼ା : ତା ୦୪/୦୯/୨୨ : ସଂପ୍ରତି ବୁଗୁଡ଼ା ରାଜ ରାସ୍ତା ଏବେ ଗାଈଗୋରୁଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି । ରାତିଦିନ ସବୁ ସମୟରେ ରାସ୍ତା ଉପରେ ପଲ ପଲ ଗାଈଗୋରୁ ଆଡ୍ଡା ଜମାଉଥିବା ଫଳରେ ଟ୍ରାଫିକ୍ ସମସ୍ୟା ସାଙ୍ଗକୁ ସେମାନଙ୍କ ଉପଦ୍ରବ ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ କରାଯାଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଫମ୍ପା ପ୍ରତିଶ୍ରୁତି ବ୍ଯତୀତ ଆଉ କୌଣସି ସୁଫଳ ମିଳୁନଥିବା ବେଳେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ ସ୍ବାୟତ୍ତ ଦିବସ ପାଳନ ଉତ୍ସବରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଏନେଇ କ୍ଷୋଭ ପ୍ରକାଶ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଖୋଦ୍ ମନ୍ତ୍ରୀ ମଧ୍ୟ ବୁଗୁଡ଼ା ରାଜରାସ୍ତାରେ ପଇଁତରା ମାରୁଥିବା ଗାଈଗୋରୁଙ୍କ ଯୋଗୁଁ ଅନେକ ଥର ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଦର୍ଶାଇ ସମସ୍ଯା ସମାଧାନ ଦିଗରେ ଏନ୍ଏସି ପ୍ରଶାସନର ଉଦାସୀନତାକୁ ଦାୟୀ କରି କଟୁ ସମାଲୋଚନାକୁ ଉତ୍ସବରେ ଉପସ୍ଥିତ ଜନତା କରତାଳି ଦେଇ ଏହାକୁ ସମର୍ଥନ କରିଥିଲେ । ଅନ୍ୟପକ୍ଷରେ, ବୁଲା ଗାଈଗୋରୁଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତ ଶତାଧିକ ପୁରୁଷ ଓ ମହିଳା ଚାଷୀ ଏହାର ପ୍ରତିକାର ନିମନ୍ତେ ଗତ ଜୁଲାଇ ୦୯ ତାରିଖରେ ବୁଗୁଡ଼ା – ପୋଲସରା ରାସ୍ତାକୁ ବାଗଦେବୀ ସାହି ଛକଠାରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରି ନିଶ୍ଚିତ ପଦକ୍ଷେପ ଗ୍ରହଣର ପ୍ରତିଶ୍ରୁତି ଦେଇ ଉଭୟ ପଟରେ ଅଟକି ଥିବା ଯାନବାହାନର ଚଳାଚଳକୁ ସ୍ବଭାବିକ କରିଥିଲେ ହେଁ ଅଦ୍ୟାବଧି ପ୍ରଶାସନ ପକ୍ଷରୁ ସେନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏବେ ତାହା ଏକ ଧୂଆଁବାଣ ଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ ରାଜରାସ୍ତାରେ ଗାଈଗୋରୁଙ୍କ ଉପଦ୍ରବକୁ ଦମନ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ସଫଳ ହୋଇପାରୁନଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
