ଗୁଡ଼ା: ତା ୧୯/୦୭/୨୨ : ବୁଗୁଡ଼ା ବ୍ଲକ ଅନୁର୍ଗତ ସଙ୍କୁରୁ ଗ୍ରାମର ସୁନାମଧନ୍ୟ କଳାକାର ତଥା ଲୋକନୃତ୍ୟ ଭକ୍ତ ପ୍ରହ୍ଲାଦ (ରଜା ନାଟକ) ଗୁରୁ ଗୋଲଖ ଚନ୍ଦ୍ର ଗୌଡ଼(୪୫)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ହୃଦଘାତ ଜନିତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା।ସ୍ବର୍ଗତ ଗୋଲଖଙ୍କ ମୃତ ଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ତାଙ୍କର ଅନ୍ତିମ ଦର୍ଶନ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେ ଯୁବାବସ୍ଥାରେ ପ୍ରଥମେ ପ୍ରହଲ୍ଲାଦ ଭୂମିକାରେ ଅଭିନୟ ଜୀବନ ଆରମ୍ଭ କରି ପର ମୁହୂର୍ତ୍ତରେ ରଜା ଭୂମିକାରେ ଅଭିନୟ ସହ ନାଟ୍ଯ ଗୁରୁ ଆଖ୍ୟା ପାଇ ଅଞ୍ଚଳର ଗୌରବ ପାଲଟିଥିଲେ । ସଂପ୍ରତି ଲୋକକଳା ଲୋପ ପାଇବାକୁ ଯାଉଥିବା ବେଳେ ତାକୁ ବଞ୍ଚାଇ ରଖିବାକୁ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ ଜାରି ରଖିଥିବା ଗୋଲଖଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ତେବେ ଧର୍ମପତ୍ନୀ ଓ ତିନି ପୁଅକୁ ଛାଡି ଇହଲୀଳା ସମ୍ବରଣ କରିଥିବା ଗୋଲଖଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।
