ବୁଗୁଡା : ତା ୧୮/୦୬/୨୨ : ବୁଗୁଡା ବ୍ଳକ ଅନ୍ତର୍ଗତ ଗୋଲିଆ ଗ୍ରାମସ୍ଥ ଅଙ୍ଗନାବାଡି କେନ୍ଦ୍ର-୨ରେ “ମୋ ଗେହ୍ଲା ଝିଅ ଓ ନିର୍ଭୟା କଢି ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ କନ୍ୟାରତ୍ନ ଯୋଜନା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ପରିଦର୍ଶିକା ତ୍ରିପୁରା ମୋହିନୀ ଦାଶ, ଅଙ୍ଗନାବାଡି କର୍ମୀ ଗୋଲାପ ପ୍ରଧାନ, ଯାଞ୍ଚ କମିଟି ଏବଂ ମାତୃ କମିଟିର ସଭ୍ୟାମାନେ ଯୋଗ ଦେଇ ୨ ଜଣ ସୌଭାଗ୍ୟବତୀ ମାଆ ଏବଂ ସେମାନଙ୍କ ଗେହ୍ଲା ଝିଅମାନଙ୍କୁ ମିଷ୍ଟାନ୍ନ, ପୁଷ୍ପଗୁଛ , ନୂତନ ପୋଷାକ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ତା’ପରେ ଅତିଥିମାନେ ନିର୍ଭୟା କଢି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିବା ସହ ଲିଙ୍ଗଭେଦ ଦୂର କରିବା ,କନ୍ୟା ଭୃଣ ହତ୍ଯା ବନ୍ଦ କରିବା , ବାଲ୍ଯ ବିବାହ ପ୍ରଥା ବନ୍ଦ କରିବା, କାମ ପାଇଁ ଅନ୍ଯ ରାଜ୍ୟକୁ ଝିଅ ଚାଲାଣକୁ ରୋକିବା , କନ୍ୟା ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ ସହ ଶିଶୁ ସୁରକ୍ଷା ଆଇନ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଉପସ୍ଥିତ କିଶୋରୀ ବାଳିକାମାନଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ଯ କର୍ମୀମାନେ ସକ୍ରିୟ ସହଯୋଗ କରିଥିଲେ । ସେହିପରି ସିଡିପିଓ ରଞ୍ଜିତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଞ୍ଚଳ ପରିଦର୍ଶିକାମାନଙ୍କ ଉପସ୍ଥିତିରେ ଏତାଦୃଶ କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
