Odisha news

କାଷ୍ଠ କୋଣାର୍କ ରେ ତିଳ ସପ୍ତମୀ ଅନୁଷ୍ଠିତ

ବୁଗୁଡ଼ା:୧୯/୨ ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର କାଷ୍ଠ କୋଣାର୍କ ବିରଞ୍ଚି ନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ନୀତି ପରେ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୁରୋହିତ ଚିତ୍ତ ରଂଜନ ମିଶ୍ର ଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ ,ଶ୍ରୀକାନ୍ତ ମିଶ୍ର,ସୁବାଷ ଦାଶ,ରାମାନୁଜ ମହାପାତ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର,ଶିବପ୍ରସାଦ ଦାଶ ପ୍ରମୁଖ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। ହୟଶୀର୍ଷ ସୌର ଖଣ୍ଡ ବିଧି ଅନୁସାରେ ଏହି ପ୍ରତିଷ୍ଠା, ହୋମ କାର୍ଯ୍ୟ ହୋଇଥିଲା। କର୍ତ୍ତା ରୂପେ ମହନ୍ତ ମହାରାଜ ଭକ୍ତ ରାମ ଦାସ ଯୋଗଦେଇଥିଲେ। ସନ୍ଧ୍ୟା ଆଳତି ପରେ ମନ୍ଦିର ପରିସରରେ ଥିବା ବିରଞ୍ଚି ନାରାୟଣ ଙ୍କ କାଷ୍ଠ ବିଗ୍ରହ ଙ୍କୁ ରଥରେ ବିଜେ କରାଇ ବଳଦେବ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ବାଣ ପଟୁଆର, ପଶୁ ମୁଖା ନୃତ୍ୟ, ଘଣ୍ଟ ମୃଦଙ୍ଗ ର ଶବ୍ଦରେ ବଡ଼ ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ସେଠାରେ ଶ୍ରୀବିଗ୍ରହ ଙ୍କୁ ଭୋଗ, ଆଳତି ଅର୍ପଣ କରିବା ପରେ ପୁଣି ନିଜ ମନ୍ଦିରକୁ ଅଣାଯାଇଥିଲା। ପୂଜକ ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ, ନାରାୟଣ ଗନ୍ତାୟତ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଡ ଭବାନୀ ଶଙ୍କର ମିଶ୍ର ଘୋଷକ ରୂପେ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ପୁଣ୍ୟ ଦିବସରେ ଓଡ଼ିଶାର ବହୁ ସ୍ଥାନ ରୁ ଭକ୍ତ ମାନେ ଆସି ମାନସିକ ପୂଜା କରିବା ସହ ନିକଟସ୍ଥ ଵାମ୍ଫି ଜଳ ଗ୍ରହଣ କରିଥିଲେ। ବିଶ୍ୱାସ ଅଛି ଯେ ଉକ୍ତ ବାମ୍ଫି ର ଜଳ ଗ୍ରହଣ କରି ମାନସିକ ପୂଜା କଲେ ନାନାଦି ଚର୍ମରୋଗ ଭଲ ହୋଇଥାଏ। ଉକ୍ତ ରଥଯାତ୍ରା ରେ ବହୁ ଜନସମାଗମ ହୋଇଥିଲା।

Comments are closed.