ରୁଚିର କୁମାର ପାଣିଗ୍ରାହୀ : କରୋନା ମହାମାରୀ ଦ୍ୱାରା ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଥିବାବେଳେ, ଆମ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଜାଡିବାର ପ୍ରୟାସ କରି ଚଳିତ ଫେବୃୟାରୀ ମାସ ୧ ତାରିଖ ଦିନ ଲୋକସଭାରେ କେନ୍ଦ୍ର ସାଧାରଣ ବଜେଟ୍କୁ ୨୦୨୦-୨୧ ଆର୍ଥôକ ବର୍ଷ ପାଇଁ ଉପସ୍ଥାପନ କରିଅଛନ୍ତି । ଆତ୍ମନିର୍ଭର ଭାରତ ଗଠନଲାଗି ବିଭିନ୍ନ କ୍ଷେତ୍ରରେ ଢ଼ାଞ୍ଚାଗତ ପରିବର୍ତ୍ତନ ସହ କରୋନା ସମୟରେ ମଧ୍ୟ ନିଜର ପ୍ରତିଶୃତି ରକ୍ଷାକରି ପ୍ରଚଳିତ ଯୋଜନାଗୁଡିକୁ ଚାଲୁରଖିବା ପାଇଁ ଏକ ସନ୍ତୁଳନ ବଜେଟ୍ ପ୍ରସ୍ତୁତ କରିଅଛନ୍ତି । ଅର୍ଥମନ୍ତ୍ରୀ ହିସାବରେ ତୃତୀୟ ଥର ଏବଂ ମୋଦି ସରକାରଙ୍କର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପିତ ହୋଇଥିବାବେଳେ ଦେଶର ସର୍ବପ୍ରଥମେ କାଗଜ ବିହୀନ ବଜେଟ୍ ‘ମେଡ୍ ଇନ୍ ଇଣ୍ଡିଆ ଟାବ୍ଲେଟ୍’ରେ ପାଠକରି ଆଗତ କରିଥିଲେ । ପ୍ରକାଶଥାଉକି ୨୦୧୫ ମସିହାରେ ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଏବଂ ୨୦୨୦ବର୍ଷରେ ଓଡିଶା ଦ୍ୱିତୀୟ ରାଜ୍ୟ ଭାବରେ କାଗଜ ବିହୀନ ବଜେଟ୍ ଉପସ୍ଥାପନ କରିଥିଲେ ।
ଓଡିଶାର ତକ୍ରାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାଦ୍ୱାରା କାଗଜ ଛପା ଖର୍ଚ୍ଚ ପ୍ରାୟ ୭୫ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ । କେନ୍ଦ୍ର ବଜେଟକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଅର୍ଥମନ୍ତ୍ରୀଙ୍କର ବଜେଟ୍ ଭାଷଣ ୨ଭାଗରେ ବିଭକ୍ତ । ପ୍ରଥମ ପର୍ଯ୍ୟାୟରେ ପ୍ରଚଳିତ ଯୋଜନା, ନୂଆ ଯୋଜନା ଓ ବିଭିନ୍ନ କ୍ଷେତ୍ରମାନଙ୍କ ସମ୍ପର୍କରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆୟକର ଓ କର୍ପୋରେଟ୍ ଟିକସ, ପ୍ରତ୍ୟକ୍ଷ ଓ କେନ୍ଦ୍ରୀୟ ଉତ୍ପାଦ ଟିକସ ସହ ପରୋକ୍ଷ ଟିକସ ଉପରେ ଗୁରୁତ୍ୱ ଦିଆଯାଇ ଅଛି । ଆଗତ ବଜେଟ୍ରେ ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଅଛି । ବ୍ୟୟବରାଦକୁ ୨ଗୁଣ କରି ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨,୨୩,୮୬୪କୋଟି ଟଙ୍କା ବ୍ୟବସ୍ଥା ମଧ୍ୟରୁ ୩୫,୦୦୦କୋଟି ଟଙ୍କା କେବଳ କୋଭିଡ୍ ଟୀକା ପାଇଁ ଖର୍ଚ୍ଚ ହେବ । ସେହିପରି ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ଗତବର୍ଷ ତୁଳନାରେ ପୁଞ୍ଜିଖର୍ଚ୍ଚକୁ ୩୪ଭାଗ ଅଧିକ ବ୍ୟୟବରାଦ କରି ୫,୫୮,୦୦୦କୋଟି ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା କରାଯାଇଅଛି ।
କେନ୍ଦ୍ର ବଜେଟ୍ ଉପରେ ଦେଶର ସମସ୍ତ ରାଜ୍ୟ ନଜର ରଖିବାବେଳେ ଓଡିଶା ମଧ୍ୟ ନିଜର ଆବଶ୍ୟକତା ଅନୁଯାୟୀ ଅନେକ ଆଶାକରେ । କରୋନା ଦ୍ୱାରା ପ୍ରଭାବିତ ରାଜ୍ୟ ଅର୍ଥନୀତି ଆଗରେ ବହୁ ଆହ୍ୱାନ ଥିବାବେଳେ ବଜେଟରେ ପ୍ରସ୍ତାବିତ ବ୍ୟୟବରାଦ ନିରୁତ୍ସାହିତ କରିଅଛି । କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟକୁ ପ୍ରାୟ ୧୦୮୪୦କୋଟି ଟଙ୍କା କମ୍ ମିଳିବା ସହିତ ପଞ୍ଚଦଶ ଅର୍ଥକମିଶନଙ୍କ ସୁପାରିସ୍ ଅନୁଯାୟୀ ରାଜ୍ୟର ଅଂଶଧନ ମଧ୍ୟ ଆଗାମୀ ୫ବର୍ଷରେ ୪.୬୩% ରୁ ୪.୫୩%କୁ କମିଆସିବ । ଆଗତ ହୋଇଥିବା କେନ୍ଦ୍ର ବଜେଟରେ ଓଡିଶାର ଭିତ୍ତିଭୂମି ବିକାଶ ଏବଂ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ବିଷୟ ଉଲ୍ଲେଖ ଅଛି । କୋଭିଡ୍-୧୯ର ସ୍ଥିତି ବଳବତ୍ତର ରହିଥିବାବେଳେ ମଧ୍ୟ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଜାରି ରଖିଥିବାରୁ ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଆସନ୍ତା ୨୦୨୧-୨୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା ହୋଇଅଛି ।
ବୃହତ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଥିବା ପାରାଦୀପ ସହିତ ଦେଶର ୫ଗୋଟି ଅଞ୍ଚଳକୁ ମତ୍ସ୍ୟ ଉତ୍ପାଦନ ହବ୍ ଭାବରେ ବିକାଶ କରାଯିବ । ପାରାଦୀପକୁ ଆଧୁନିକ ଫିସିଂ ହାର୍ବର ଓ ଫିସିଂ ଲାଣ୍ଡିଂ ସେଣ୍ଟରଭାବେ ଗଢ଼ି ତୋଳିବା ଲାଗି ପୁଞ୍ଜିନିବେଶ ହେବ । ରେଳ କ୍ଷେତ୍ରରେ ଭିତ୍ତିଭୂମି ବିକାଶଲାଗି ଖଡଗପୁରରୁ ବିଜୟୱାଡା ମଧ୍ୟରେ ପୂର୍ବତଟ ରେଳକରିଡର ଏବଂ ଭୂଷାବଳରୁ ଖଡଗପୁର ଦେଇ ଡାଙ୍କୁନି ପର୍ଯ୍ୟନ୍ତ ପଶ୍ଚିମ-ପୂର୍ବରେଳ କରିଡର ନିର୍ମାଣ ହେବାର ସୂଚନା ମିଳିଅଛି । ଉକ୍ତ ରେଳ କରିଡରଟି ଓଡିଶା ରାଜ୍ୟ ମଧ୍ୟଦେଇ ଯିବ । ସେହିପରି ରାଜପଥ କ୍ଷେତ୍ରରେ ୨୦୨୧-୨୨ ଆର୍ଥôକ ବର୍ଷରେ ରାୟପୁର ଠାରୁ ବିଶାଖାପାଟଣା ମଧ୍ୟରେ ୪୬୪ କିଲୋମିଟର ଲମ୍ବ ଜାତୀୟ ରାଜପଥ ନିର୍ମାଣ ବାବଦରେ ବଜେଟ୍ରେ ଉଲ୍ଲେଖ ଅଛି । ପ୍ରସ୍ତାବିତ ରାଜପଥଟି ଛତିଶଗଡ, ଓଡିଶା ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ନିର୍ମାଣ ହେଉଥିବାରୁ ଓଡିଶା ମଧ୍ୟ ଉପକୃତ ହେବ ।
ଓଡିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ବଜେଟ୍କୁ ପ୍ରଶଂସା କରି କୁହନ୍ତି ଯେ ଓଡିଶା ପରିପ୍ରେକ୍ଷୀରେ ଏଥିରେ କିଛି ସକାରତ୍ମକ ଦିଗ ଅଛି ଯଥା ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଆର୍ଥôକ ନିଅଣ୍ଟକୁ ସମ୍ପ୍ରସାରଣ କରିବା ଏବଂ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀର ପଦକ୍ଷେପ ରହିଅଛି । କେନ୍ଦ୍ର ବଜେଟ୍ରେ ବ୍ୟୟବରାଦ ହୋଇଥିବା କ୍ଷେତ୍ରଗୁଡିକ ଯଥା ଆର୍ଥôକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ୍ ଟୀକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହସ୍ତକ୍ଷେପ ଦ୍ୱାରା ରାଜ୍ୟ ଉପକୃତ ହେବ । ପେଟ୍ରୋଲ ଓ ଡିଜେଲରେ ସେସ୍ ପ୍ରବର୍ତ୍ତନ ଦ୍ୱାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଆର୍ଥôକ ଭାରସାମ୍ୟ ଦୁର୍ବଳ ହେବ । ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ବଜେଟରେ ମିଶନ ଶକ୍ତି ଉପରେ ଗୁରୁତ୍ୱ ଦିଆଯିବା ସହିତ ରାଜ୍ୟରେ ପ୍ରଚଳିତ ମମତା ଯୋଜନାକୁ ଗ୍ରହଣ କରିବା ରାଜ୍ୟ ପାଇଁ ସମ୍ମାନର ପ୍ରଶ୍ନ ଓ ଦେଶପାଇଁ ଉଦାହରଣ ମଧ୍ୟ ଅଟେ ।
ଆଗତ ହୋଇଥିବା ଆର୍ଥôକ ବର୍ଷ ୨୦୨୧-୨୨ ପାଇଁ ବଜେଟର ଅନୁଶୀଳନ କଲେ ଜଣାଯାଏ ଯେ ବିଗତ ୨୦୧୧ ମସିହା ଠାରୁ ଓଡିଶା ରାଜ୍ୟର ଅର୍ଥନୀତି ପରିଚାଳନାରେ କ୍ରମେ ସୁଧାର ଆସୁଥିବା ଏବଂ ଏକ ବଳକା ରାଜ୍ୟ ଭାବରେ ଅଗ୍ରସର ହେବା ପଥରେ ଅନ୍ୟ ରାଜ୍ୟମାନେ ସ୍ୱତନ୍ତ୍ର ଅନୁଦାନ ପାଉଥିବାବେଳେ ଓଡିଶା ସ୍ୱତନ୍ତ୍ର ଅନୁଦାନ ହରାଉଅଛି । କେନ୍ଦ୍ର ବଜେଟରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଓଡିଶା ରାଜ୍ୟରେ ଏଥିରୁ କେତେ ଫାଇଦା ମିଳିବ ଆକଳନ କରିବା କଷ୍ଟକର ଅଟେ ।
ତେବେ କରୋନା ରୋକିବା ପାଇଁ ଦେଶରେ ଓଡିଶା ରାଜ୍ୟ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଖର୍ଚ୍ଚାନ୍ତ ହୋଇଥିବା ସ୍ଥଳେ, ଉକ୍ତ ବଜେଟ୍ ଦ୍ୱାରା ସାଧାରଣ ଓ ଗରିବ ଲୋକଟିଏ ହାତକୁ ପଇସା ଆୟ ହିସାବରେ ଆସିବାରେ ସୁଯୋଗ ନାହିଁ । ବଜେଟରେ କୃଷିଋଣ ଛାଡ, ପ୍ରଧାନମନ୍ତ୍ରୀ ଯୋଜନା, ଗ୍ରାମସଡକ ଯୋଜନା ଓ ପ୍ରଚଳିତ ସାମାଜିକ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ବରାଦ ହୋଇନଥିବା ଯୋଗୁଁ ରାଜ୍ୟର ତଳସ୍ତର ଲୋକମାନେ ପ୍ରଭାବିତ ହେବେ । ବାର୍ଦ୍ଧକ୍ୟ ଭତ୍ତା ଓ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ମନରେଗା ପାଇଁ ପୂର୍ବବର୍ଷ ତୁଳନାରେ କମ୍ ଅର୍ଥ ବରାଦ ଯୋଗୁଁ ରାଜ୍ୟର ସାଧାରଣ ଲୋକେ ପ୍ରଭାବିତ ହେବେ ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟ୍ରେ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ହୋଇଥିବା ନିଷ୍ପତ୍ତି ଓଡିଶା ରାଜ୍ୟ ପାଇଁ ଲାଭଦାୟକ ହେବନାହିଁ । ଏଫ୍ସିଆଇ ପ୍ରତ୍ୟକ୍ଷ ଭାବରେ କିଣାବିକା କରୁଥିବା କ୍ଷେତ୍ରରେ ଅର୍ଥରାଶି ବୃଦ୍ଧି ପାଇଥିବାବେଳେ ଓଡିଶା ଭଳି ରାଜ୍ୟ ଯେଉଁଠି ଖାଦ୍ୟ ସଂଗ୍ରହରେ ବିକେନ୍ଦ୍ରୀକରଣ ବ୍ୟବସ୍ଥା ପ୍ରଚଳିତ ଅଛି, ସେହି କ୍ଷେତ୍ରରେ ଅର୍ଥରାଶି କମାଇ ଦିଆଯାଇଥିବାରୁ ରାଜ୍ୟ ଉପକୃତ ହେବନାହିଁ । ଚଳିତ ବଜେଟରେ ଏମ୍.ଏସ୍.ଏମ୍.ଇ ଓ ଭତ୍ତିଭୂମି ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓଡିଶାକୁ ସୁହାଇବ । ଅର୍ଥକମିସନ୍ ମଧ୍ୟ ରାଜ୍ୟର ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିବାରୁ ରାଜ୍ୟ ଉପକୃତ ହେବ ।
ପ୍ରତ୍ୟେକ ସରକାରଙ୍କ ପାଇଁ ବଜେଟ୍ ଏକ ଗତାନୁଗତିକ ନିୟମିତ ଅର୍ଥନୈତିକ କାର୍ଯ୍ୟକ୍ରମ । କେନ୍ଦ୍ର ବଜେଟ୍ ଉପସ୍ଥାପନ ପରେ ମିଳିଥିବା ଆର୍ଥôକ ଅନୁଦାନ ଏବଂ ନିଜର ଆବଶ୍ୟକତାକୁ ଅନୁଧ୍ୟାନ କରି ରାଜ୍ୟମାନେ ନିଜ ନିଜର ବଜେଟ୍ ଉପସ୍ଥାପନ କରିଥାଆନ୍ତି । ଚଳିତବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ ଓ ତାମିଲନାଡୁ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ, ରାଜନୈତିକ ଦୃଷ୍ଟିକୋଣରୁ ସେହି ରାଜ୍ୟମାନଙ୍କୁ କେନ୍ଦ୍ର ଯେଉଁଭଳି ଗୁରୁତ୍ୱ ପ୍ରଦାନ କରିଅଛି, ଓଡିଶା ରାଜ୍ୟ ପ୍ରତି ନୁହେଁ । ସରକାରଙ୍କର ଅର୍ଥନୈତିକ ସର୍ଭେରେ ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ବୈଷମ୍ୟକୁ ଦୂର କରିବା ପାଇଁ ଅଗ୍ରାଧିକାର ଦେଇଥିବାବେଳେ ବଜେଟରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁନାହିଁ । ତେବେ ଆଗତ ହେବାକୁ ଥିବା ଓଡିଶା ରାଜ୍ୟ ବଜେଟ୍ ନିଶ୍ଚିତ ଚାପଗ୍ରସ୍ତ ହେବ ଏବଂ କେବଳ କେନ୍ଦ୍ର ଉପରେ ଅର୍ଥ ପାଇଁ ନିର୍ଭର ନକରି ନିଜସ୍ୱ ଟିକସ ବୃଦ୍ଧି ଉପରେ ଧ୍ୟାନ ନଦେଲେ ଘୋର ଆର୍ଥôକ ସମସ୍ୟା ଭୋଗିବାକୁ ପଡିବ ।
Comments are closed.