ବୋଲଗଡ,୦୧ା୧୦ : କରୋନା ମହାମାରୀ କାହାପାଇଁ କାଳ ହୋଇଥିବାବେଳେ କାହାର ସର୍ବନାଶ କରିଛି । ଆଉ କେତେକ ଅସାଧୁ ବ୍ୟବସାୟୀଙ୍କ ପାଇଁ ମହାମାରୀ କରୋନା ରୋଜଗାରର ଏକ ବଳିଷ୍ଠ ମାଧ୍ୟମ ପାଲଟିଯାଇଛି । ବିଶେଷ କରି ରାତିରେ ପୋଲିସ ପାଟ୍ରୋଲିଙ୍ଗ ନଥିବାରୁ ଚୋରମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଏହା ସହିତ ଚୋରା ମଦ ଏବଂ ବ୍ରାଉନ ସୁ୍ଗାର ବ୍ୟବସାୟୀମାନଙ୍କର ଆଡ୍ଡାସ୍ଥଳୀ ହୋଇଥିବାରୁ ପୋଲିସ ଏବଂ ଅବକାରୀ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ସୂତ୍ରରୁ ଜଣାଯାଏ ଯେ,ସରକାରୀ ଭାବେ ବୋଲଗଡ ବ୍ଲକ ଅଞ୍ଚଳରେ ଦୁଇଟି ଦେଶୀ ମଦ, ଗୋଟିଏ ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ବିୟର ପାର୍ଲର ଲାଇସେନ୍ସ ପ୍ରାପ୍ତ ଭାବେ ରହିଛି । ପଥଭ୍ରଷ୍ଠ ଯୁବକଗୋଷ୍ଠୀ ଆଜିକା ସମୟରେ ଅଧିକ ନିଶାକୁ ଗୁରୁତ୍ୱ ଦେଇ ବ୍ରାଉନ ସୁଗାରକୁ ମଧ୍ୟ ଆଘ୍ରାଣ କରୁଥିବା ଦେଖାଯାଇଛି ।ବ୍ୟାପକ ଭାବେ ଅସରଳା,ପିଚୁକୁଳି,ସାନପଦର,ଭୀମପଡା,ବୋଲଗଡ,ସଂପୁର ,ଧଳାପଥର,ବାଙ୍କୋଇ ଆଦି ବଜାରମାନଙ୍କରେ ଥିବା ପାନଦେକାନ ଗୁଡିକରେ ଚୋରାରେ ଦେଶୀ ମଦ ସହିତ ଗଞ୍ଜେଇ,ବ୍ରାଉନ ସୁଗାରର ଖୁଲମ ଖୁଲା ବିକ୍ରି ହେଉଥିବାର ଅଭିଯୋଗ ହେଉଛି ।
ଲକ୍ଡାଉନରେ ଚୋରା ମାଦକ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ଯୋଗୁଁ ଏହାକୁ ଭରଣା କରିବାପାଇଁ ଦୁଇଚକିଆ ,ଚାରିଚକିଆ ଗାଡି ଚୋରୀ,ଛିନ୍ତାଇ,ଲୁଣ୍ଠନ ଭଳି ଘଟଣାମାନ ବୋଲଗଡ ଅଞ୍ଚଳରେ ସାଧାରଣ ହୋଇଯାଇଛି । ବୋଲଗଡ ତୃତୀୟାପଡା ଅଞ୍ଚଳର ଅମରେନ୍ଦ୍ରଦାଶ ପରିଜାଙ୍କ ଦୁଆର ସାମ୍ନାରେ ଥିବା ଏକ ବୋଲେରୋ ଗାଡିକୁ ମିଶାଇ ୧୦ରୁ ଉର୍ଦ୍ଧ ମୋଟରସାଇକେଲ ଏଇ ଏକମାସ ମଧ୍ୟରେ ଚୋରୀ ହୋଇଥିବା ବେଳେ ଭୀମପଡା ବଜାରରୁ କୁଦ୍ଦୁସ ଖାଁ ,ସୁରେଶନ ମୁଦୁଲିଙ୍କ ଘରୁ ଆସବାବ ସହିତ ସୁନା ଗହଣା ,ମୋଟା ଅଙ୍କର ଅର୍ଥ ଏବଂ ବାଙ୍କୋଇ ବଜାରରେ ଥିବା ଦୋକାନରୁ ଲୁଟ ହୋଇଥିବାର ଖବର ମଧ୍ୟ ଗଣମାଧ୍ୟମରେ ଶିର୍ଷକ ହୋଇଥିଲା । ଏତେ ସବୁ ଘଟଣା ଘଟିଥିବାବେଳେ ବୋଲଗଡ ପୋଲିସ ପ୍ରଶାସନ ହାତଟେକି ଦେଇଥିବାର ଅଭିଯୋଗ ହେଉଛି ।
ଖୋର୍ଦ୍ଧା ଅବକାରୀ ବିଭାଗର କଥା ନକହିଲେ ଭଲ, ବୋଲଗଡ ଅଞ୍ଚଳରେ ବ୍ୟାପକଭାବେ ଚୋରା ମଦ, ବ୍ରାଉନ ସୁଗାର,ଗଞ୍ଜେଇ,ଅପମିଶ୍ରିତ ଦେଶୀ ମଦର ବ୍ୟାପକଭାବେ ଚୋରାରେ ବିକ୍ରି ହେଉଥିବା ବେଳେ ଅସରଳା ,ରାସୋଳ ଏବଂ ପିଚୁକୁଳି ବଜାର ବ୍ରାଉନ ସୁଗାରର ହବ ପାଲଟିଥିବା ଆଲୋଚ୍ୟ ବିଷୟ ହୋଇଛି । ଏ ସମ୍ପର୍କରେ ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକାରୀ ରଞ୍ଜନ ନାଏକଙ୍କୁ ପଚାରିବାରେ ସେ କୁହନ୍ତି ଆମ ପାଖରେ ଚୋରା ମାଦକ ଦ୍ରବ୍ୟର କାରବାର ସମ୍ପର୍କରେ ଖବର ଅଛି ,କରୋନା ମହାମାରୀ ପାଇଁ ଚଢଉ ହୋଇପାରୁନାହିଁ ଆଗାମୀ ଦିନରେ କେହି ନିର୍ଦ୍ଧିଷ୍ଠଭାବେ କାରବାରର ସୂଚନା ଦେଲେ ସେ ତାଙ୍କ ଦଳ ବଳ ଧରି ଚଢାଉ କରିବେ ।
ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି କେତେବେଳେ ଛଅ ମହଣ ଘିଅ ହେବ ନା ଆଉ ରାଧା ନାଚିବ । ପୋଲିସ ବିଭାଗର କାହାକୁ ଡର କରୋନା! ନା ଆଉ କିଏ? ଅବକାରୀ ବିଭାଗର କେଉଁ ଅଭିଯୋଗକୁ ଅପେକ୍ଷା! ବୋଲଗଡରେ ବ୍ୟାପକ ଚୋରୀ ବୃଦ୍ଧି ଆଉ ବ୍ୟାପକଭାବେ ଚୋରା ମାଦକ ବ୍ରଦ୍ୟର ବେପାର ପୋଲିସ ଓ ଅବକାରୀ ବିଭାଗର ଛତ୍ରଛାୟାରେ ଚାଲିବା ସହିତ ମୋଟା ଅଙ୍କର ଅର୍ଥ କାରବାର ହେଉଛି ବୋଲି ବୋଲଗଡ ଅଞ୍ଚଳର ସାଧାରଣ ଜନତାଙ୍କ ମନରେ ବସା ବାନ୍ଧି ସାରିଛି । ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ତୁରନ୍ତ ବୋଲଗଡ ପୋଲିସ ପ୍ରଶାସନକୁ ସଜାଗ କରିବା ସହିତ ଅବକାରୀ ବିଭାଗର ଦାୟିତ୍ୱକୁ ବୁଝାଇଦେବାକୁ ସାଧାରଣରେ ଦୃଢ ଦାବୀ ହେଉଛି ।
