ବୋଲଗଡ,୨୫.୦୯ : -ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଏକ ଅଣଜଳସେଚିତ ଅଞ୍ଚଳ ଅଟେ । ବର୍ଷା ହେଲେ ଚାଷୀ ଚାଷ କାର୍ଯ୍ୟ କରିଥାଏ । ଏଇବର୍ଷ ସ୍ୱଳ୍ପ ବୃଷ୍ଟି ହେତୁ ଚାଷିକୁଳ ଆଶା ଆଶଙ୍କାରେ ହତାଶ ହୋଇଥିବା ବେଳେ ସ୍ୱଳ୍ପ ବୃଷ୍ଟି ପରେ ଲାଭଖୋର ସାର ବ୍ୟବସାୟୀଙ୍କ ପାଇଁ ଚାଷକାର୍ଯ୍ୟରେ ଘୋର ଅନ୍ତରାୟ ସୃଷ୍ଟି ହୋଇଛି ।
କୃଷି ଅଧିକାରୀ ଏବଂ ସାର ବ୍ୟବସାୟୀଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ପାଇଁ ବଜାରରେ ସାରର କୃତିମ ଅଭାବ ଦେଖାଦେଇଛି । କୃଷି ସମବାୟ ସମିତି ଗୁଡିକରେ ସାର ମିଳୁନଥିବା ବେଳେ ଅସାଧୁ ଡିଲର ମାନେ ୪୫କେଜି ୟୁରିଆ ସାରକୁ ୨୬୬ ଟଙ୍କା ଲେଖାଥିବା ବେଳେ କଳାବଜାରୀ ବେପାରୀମାନେ ୪୨୫ଟଙ୍କାରୁ ଉର୍ଦ୍ଧ ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ କରିଛନ୍ତି ଚାଷୀ । ଆଗକୁ ସାର ନମିଳିଲେ ଧାନ ଚାଷ ନଷ୍ଟ ହେବ ଏବଂ ଚାଷି ଚାଷ ଛାଡିବେ ବୋଲି କହିଛନ୍ତି ବୋଲଗଡ ଅଞ୍ଚଳର ଚାଷୀ ।
ଚାଷୀକୁ କୃଷି ପରାମର୍ଶ ଦେବା ପାଇଁ ରାଜ୍ୟ କୃଷି ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳ ପାଇଁ କୃଷି ଗ୍ରାମସେବକମାନେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନେ ନଯାଇ କୃଷି କାର୍ଯ୍ୟାଳୟରେ ବସି ମିଥ୍ୟା ଗ୍ରସ୍ଥର ଭାଉଚର ଦେଖାଇ ଦରମା ନେଉଥିବାର ମଧ୍ୟ ଅଭିଯୋଗ ହେଉଛି । ବିଲରେ ଅଧିକ ଧାନ ଅମଳ ଓ ଧାନକୁ ସୁରକ୍ଷା ଦେବାକୁ ହେଲେ ସାର ଓ କିଟନାଶକର ଆବଶ୍ୟକତା ରହିଛି ।
ସଠିକ ସମୟରେ ସାର ନପକାଇଲେ ବିଲରେ ରୋଗପୋକ ଲାଗିବା ସହିତ ଧାନ ଫସଲ ନଷ୍ଟ ହେବ ବୋଲି ଅଭିଯୋଗ କରିଛନ୍ତି ଚାଷୀ । କୃଷି ବିଭାଗ ଚାଷୀକୁ ସାର ଯୋଗଇଦେବାରେ ବିଫଳ ହୋଇଥିବାର କହିଛନ୍ତି ଚାଷୀ । ଆଗକୁ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ପାଖରେ ସାର ଯୋଗଇଦେବାକୁ ଦାବୀ ହୋଇଛି । ପ୍ରକୃତରେ ମାର୍କଫେଡ୍ରୁ ଆସୁଥିବା ସାର ଗଲା କୁଆଡେ? ଯଦି ସମବାୟ ସମିତିରେ ସାର ନାହିଁ ତେବେ ସାର ନେଲା କିଏ? ଏତେ ପରିମାଣରେ ସାର କେମିତି ମହଜୁଦ ରହିଛି ଘରୋଇ ଡିଲରଙ୍କ ପାଖରେ ।
ସେସବୁ ସାର ସେମାନେ ରିହାତି ଦରରେ କିଣି ଚାଷିଙ୍କୁ ଚଢାଦରରେ ବିକ୍ରି କରୁଛନ୍ତି । ଏସବୁ ଦୁର୍ନିତି ପାଇଁ ପ୍ରକୃତରେ ଦାୟୀ କିଏ? କାହା ପାଇଁ ଚାଷୀ ସାର ପାଇଁ ବାରଦୁଆର ସୁଣ୍ଢିପିଣ୍ଡା ହେଉଛି ଏହି ପ୍ରଶ୍ନର ଉତ୍ତର ପାଇଁ ବ୍ଲକ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରେ ତାଙ୍କ ସହିତ ସମ୍ପର୍କ ହୋଇପାରିନଥିଲା । ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲା କୃଷିନିଦେ୍ର୍ଦଶକ ଏହାକୁ ତଦନ୍ତ କରିବାକୁ ଚାଷୀମାନେ ଦୃଢ ଦାବୀ କରିଛନ୍ତି ।
