Odisha news

ବୋଲଗଡ : ଗରିବ ଆଦିବାସୀ ମହିଳାଙ୍କୁ ଶୋଷଣ କରୁଛି ମାଇକ୍ରୋ ଫାଇନାନ୍ସ ସଂସ୍ଥା

0

ବୋଲଗଡ :  କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କ ବିକାଶ ପାଇଁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବିନା ସୁଧରେ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱଛଳ କରିବାପାଇଁ ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ବ୍ୟାଙ୍କର ମନମାନି ଯୋଗୁଁ  ବହୁ ସ୍ୱୟଂସହାୟକ ଗୋଷ୍ଠୀ ଋଣ ପାଇବାରୁ ବଞ୍ଚିତ ହେଉଛନ୍ତି । ସେଥିପାଇଁ ବହୁ ଘରୋଇ  ମାଇକ୍ରୋପାଇନାନ୍ସ ଅର୍ଥ ଲଗାଣକାରୀ ସଂସ୍ଥା ଗ୍ରାମାଞ୍ଚଳରେ ସରଳ, ନିରୀହ, ଗରିବ ମହିଳାମାନଙ୍କୁ ସହଜରେ ଋଣ ଯୋଗାଇ ଦେଇ ସୁଧମୁଳ ସହ ଆଦାୟ କରିଚାଲିଥିଲେ ।

କରୋନା ମହାମାରୀ ଯୋଗୁଁ ଗତ ୪ମାସ ଧରି ଲୋକମାନେ ସଟ୍ ଡାଉନ ଓ ଲକ୍ ଡାଉନ ଯୋଗୁଁ କୈାଣସି କାମ ଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି । ବେଡି ଉପରେ କୋରଡା ଭଳି ଏହି ବିପତି ସମୟରେ ମାଇକ୍ରୋପାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଦେଇଥିବା ଋଣ ଟଙ୍କାର ସୁଧମୂଳ କିସ୍ତି ଆଦାୟ କରିବାପାଇଁ  ଗାଁ ଗାଁ ବୁଲି ମହିଳାମାନଙ୍କୁ ଧମକ ଚମକ ଦେଇଚାଲିଛନ୍ତି । ଏହା ବିରୁଦ୍ଧରେ ଗତ ମଙ୍ଗଳବାରଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଶତାଧିକ ଆଦିବାସୀ ମହିଳା ମେଳିହୋଇ ଅର୍ଥ ଲଗାଣକାରୀ ସଂସ୍ଥା ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ।

ପ୍ରକାଶ ଯେ,ବୋଲଗଡ ବ୍ଲକର  ରାଜସୁନାଖଳା, ବୋଲଗଡ ଓ ଧଳାପଥର ଠାରେ ମାଇକ୍ରୋପାଇନାନ୍ସ ସଂସ୍ଥା ଥିବା ଏସକେଏସ, ସାଟିନି, ନାବାର୍ଡ, ସମସ୍ଥା, ଅର୍ଣ୍ଣପୂର୍ଣ୍ଣା, ଏଲଆଣ୍ଡ ଟି, ସ୍ପନ୍ଦନ,ଫୁ୍ୟଜନ୍ ଗ୍ରାମୀଣକୋଟା ଓ ଏଚ୍ଡିଏଫ୍ସି ପକ୍ଷରୁ ଶାଖା କାର୍ଯ୍ୟାଳୟ ଖୋଲି ଶହ ଶହ ମହିଳାମାନଙ୍କୁ ଧନ୍ଦାମୂଳକ କାର୍ଯ୍ୟପାଇଁ ଲକ୍ଷାଧିକ ଟଙ୍କା ଋଣ ଯୋଗାଇଦେଇଛନ୍ତି । ପ୍ରାୟ ୧୯ଗୋଟି ପଞ୍ଚାୟତର ୨ଶହରୁ ଉର୍ଦ୍ଧ ମହିଳା ଗୋଷ୍ଠୀଙ୍କୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ ଋଣ ପ୍ରଦାନ କରିଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏହି କରୋନା ବିପତି ସମୟରେ କେତେକ ସଂସ୍ଥା ଜୋରଜବରଦସ୍ତ ଜୁଲୁମ କରି ଟଙ୍କା ଆଦାୟ କରୁଥିବାରୁ ପାଟପୁରଶାସନ ପଞ୍ଚାୟତର ବହୁ ଆଦିବାସୀ ମହିଳା ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ସେମାନେ ଧଳାପଥର ଠାରେ ଥିବା ସମସ୍ଥା ,ସୂର୍ଯ୍ୟଦ୍ୱୋୟ, ଭିକ୍ଟର ଓ ଏସକେଏସ ସଂସ୍ଥାରୁ ଖଲି ଓ ଠୁଙ୍ଗା ପ୍ରସ୍ତୁତି,ଧପକାଠି ପ୍ରସ୍ତୁତି,ଧାନ ଚାଷ, କୁକୁଡା ଚାଷ, ମାଛ ଚାଷ ପାଇଁ ଋଣ ଆଣିଥିଲେ ।

ସେମାନେ ପୂର୍ବରୁ ସାପ୍ତାହିକ, ୧୫ଦିନିଆ ଓ ମାସିକିଆ କିସ୍ତିରେ ସୁଧମୁଳ ସହିତ ଋଣ ପରିଶୋଧ କରି ଆସୁଥିଲେ । କିନ୍ତୁ ଗତ ୪ମାସ ଧରି କରୋନା ମାଡରେ ସମସ୍ତେ ହାତବାନ୍ଧି ବସିଛନ୍ତି । କେନ୍ଦ୍ର ସରକାର ଏହି କରୋନାପାଇଁ ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଋଣ ଟଙ୍କାର କିସ୍ତି ଘୁଞ୍ଚାଇ ଦେଇଥିବାବେଳେ ମାଇକ୍ରୋପାଇନାନ୍ସ ସଂଂସ୍ଥା ଜବରଦସ୍ତ ଏହି ପଞ୍ଚାୟତର ଗରିବ ଆଦିବାସୀ ମହିଳାଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଛନ୍ତି । ଏଥିପାଇଁ ପାଟପୁର ଶାସନ ନିକଟରେ ଥିବା ମା ବରଡାଳିଆ ଠାକୁରାଣୀଙ୍କ ନିକଟରେ ବୁଧବାରଦିନ ୧୫ଟି ସ୍ୱୟଂସହାୟକ ଗୋଷ୍ଠୀର ଏକଶହରୁ ଉର୍ଦ୍ଧ ସଭ୍ୟାମାନେ ଏକାଠି ହୋଇ ଏହି ସଂସ୍ଥା ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇଛନ୍ତି ।

ଏସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବା ସହିତ ଏହିଋଣ ଟଙ୍କା ଛାଡ କରିବା ଦାବୀ କରିଛନ୍ତି । ମା ଦୁଲଣା ଗ୍ରୁପର ବୀଣା ବେହେରା, ସୈାଦାମିନୀ ବେହେରା, ମାତୁଳସୀ ଗ୍ରୁପର ରୁମାଇ ପ୍ରଧାନ, ଅବାସୀ ବେହେରା,ପଲ୍ଲିମଙ୍ଗଳ ଗୋଷ୍ଠୀର ଭୁବନି ଦେଇ, ସୁଲୋଚନା ଦେଇ , ତ୍ରିନାଥ ଗ୍ରୁପର ସଞ୍ଜୁଲତା ଦେଇ, ଅହଲ୍ୟା ଦେଇ ଓ ମା ବିମଲାଇ ଗ୍ରୁପର ସୁଷମା ନାୟକ ଓ ହରଷ ବେହେରା ଏହାର ନେତୃତ୍ୱ ନେଇଥିଲେ । ଯଦି ମାଇକ୍ରୋପାଇନାନ୍ସ ସଂଂସ୍ଥାର କର୍ମଚାରୀମାନେ ଗ୍ରାମକୁ ଆସି ଜବରଦସ୍ତ ଟଙ୍କା ଆଦାୟପାଇଁ ଜୁଲମ କରିବେ ସେମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବ ବୋଲି ମହିଳାମାନେ ଶପଥ ନେଇଥିଲେ ।

Leave A Reply

Your email address will not be published.