ବୋଲଗଡ : ରାଜ୍ୟରେ ଅନାହାର ଓ ବାସହୀନ ଭାବେ କୈାଣସି ବ୍ୟକ୍ତିଙ୍କୁ ରହିବାକୁ ଦିଆଯିବ ନାହିଁ । ଗରିବମାନଙ୍କୁ ଖାଇବାକୁ ଆହାର ଓ ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଓ ରାଜ୍ୟସରକାର ସରକାର ଘୋଷବାଜା ବଜାଇ ଡିଣ୍ଡିମ ପିଟୁଛନ୍ତି ।
ମାତ୍ର ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବୋଲଗଡ ପଞ୍ଚାୟତ ୧୫ନଂ ୱାର୍ଡର ସଂଜୁଲତା ସିଂହଙ୍କ କ୍ଷେତ୍ରରେ । ବୋଲଗଡ ବ୍ଲକର ସଦର ମହକୁମା ପଞ୍ଚାୟତ ହୋଇଥିବା ବେଳେ ଏହା ଦିପତଳ ଅନ୍ଧାର ଭଳି ସ୍ପଷ୍ଟ ଜାଜୁଲ୍ୟମାନ । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କିମ୍ବା ବିଜୁପକ୍କାଘର ଯୋଜନାରେ ସଂଜୁଲତାଙ୍କୁ ଅର୍ନ୍ତଭୁକ୍ତ କରି ଖଣ୍ଡିଏ ପକ୍କାଘର ଯୋଗାଇପାରି ନାହିଁ ବ୍ଲକ କିମ୍ବା ପଞ୍ଚାୟତ ପ୍ରଶାସନ ।
ଭଙ୍ଗାକାନ୍ଥ ତଳେ ଜରିପାଲ ଘେରାରେ ଜୀବନ ବିତାଉଥିବା ସଂଜୁଲତା ଓ ତାଙ୍କ ପରିବାରଙ୍କ ପାଇଁ ଦିବା ସ୍ୱପ । ପରିବାର କହିଲେ ସଂଜୁଲତା,ସ୍ୱାମୀ ବିରଞ୍ଚି, ବୃଦ୍ଧା ଶାଶୁ ମା’ ଓ ୫ବର୍ଷର ନିରୀହ ନିଷ୍ପାପ ଗୋଟିଏ ଶିଶୁ ପୁତ୍ର । ସଂଜୁଲତା ଦିର୍ଘ ଦିନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଖଣ୍ଡିଏ ଆବାସ ପାଇଁ ନେହୁରା ହୋଇଛନ୍ତି । ମାତ୍ର ତାଙ୍କ ଗୁହାରି ଶୁଣୀବାକୁ ଜନପ୍ରତିନିଧି ଓ ପ୍ରଶାସନିକ ବାବୁମାନଙ୍କର ପାଖରେ ସମୟ ନଥିଲା ପରି ଜଣାପଡିଛି ।
ପରିବାରର ୪ସଦସ୍ୟ ଯେଉଁ ଭଙ୍ଗା ଘରେ ଦୟନୀୟ ଅବସ୍ଥାରେ ରହିଛନ୍ତି ତାହା ଜଣେ ସ୍ୱଚକ୍ଷୁ୍ୟରେ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଘରର ମାଟିକାନ୍ଥ ସମ୍ପୁର୍ଣ୍ଣ ଭଙ୍ଗା ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ଘଟି କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ । ଭଙ୍ଗା କାନ୍ଥ ବର୍ଷାରେ ଭିଜି ଆଁ କରିଥିବାରୁ ଅଘଟଣକୁ ଏଡାଇବା ପାଇଁ ଜରି ଓ ଅଖାର ସାହାଯ୍ୟ ନିଆଯାଇଥିବାର ଦେଖିବାକୁ ମିଳିଛି । ଘର ଚତୁଃପାଶ୍ୱର୍ କାନ୍ଥ ଭାଙ୍ଗି ମେଲା ଥିବାରେ ସରୀସୃପ ମାନଙ୍କର ଅବାଧ ଯାତାୟତ ହେଉଥିବାର ଦେଖିବାକୁ ମିଳିଛି ।
ବିଶେଷ କରି ବର୍ଷାଦିନ ହେତୁ ସଂପୃକ୍ତ ଭଙ୍ଗା ଗୃହର ଅବସ୍ଥା ଅତିଶୋଚନୀୟ ହୋଇଥିବାରେ ପରିବାରର ସଦସ୍ୟମାନେ ଦିନବେଳା ଭୟର ବାତାବରଣ ଭିତରେ ବଞ୍ଚିରହି ରାତ୍ରୀରେ ବିଶ୍ରାମ ନିଅନ୍ତି ପଡୋସୀ ଘରେ । ଏଭଳି ଦୟନୀୟ ଅବସ୍ଥାରେ ବାସ କରୁଥିବା ପରିବାରକୁ ପକ୍କାଘର ଯୋଜନା ଭୁକ୍ତ ନକରିବା ସମସ୍ତଙ୍କୁ ଚକିତ କରିଛି । ଅନ୍ୟପକ୍ଷରେ କେତେକ ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତି ଏକାଧିକ ଆବାସ ଯୋଜନା ହାତେଇଥିବା ବେଳେ ମହିଳା ସଂଜୁଲତା ଏହି ଯୋଜନାରୁ ବଞ୍ଚିତ ହେବା ସାଧାରଣ ମହଲରେ ସରକାରୀ କଳର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହା ପ୍ରଶାସନର ଉଦାସୀନତା ନା ଲୋକ ପ୍ରତିନିଧିମାନଙ୍କର ଇଚ୍ଛାଶକ୍ତିର ଅଭାବ ତାହା ସମୟହିଁ କହିବ ବୋଲି ଜଣାଯାଏ । ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ ଏସମ୍ପର୍କରେ ଯୋଗାଯୋଗ କରିବାରେ ବର୍ତ୍ତମାନ କୈାଣସି ଯୋଜନା ଆମ ପାଖରେ ନାହିଁ ବରଂ ଆସନ୍ତା ଆର୍ଥିକ ଯୋଜନାରେ ତାଙ୍କୁ ଅର୍ନ୍ତଭୁକ୍ତ କରାଯିବ ବୋଲି ମତ ଦେଇଥିଲେ । ଅନୁରୂପ ଭାବେ ସଂଜୁଲତାଙ୍କୁ ପଚାରିବାରେ ଏହି ଯୋଜନା ଆମପାଇଁ ସାତ ସପନ ବୋଲି କୋହଭରା କଣ୍ଠରେ କହିଥିଲେ । ଏଣୁ ଏହି ମହିଳାଙ୍କୁ ପ୍ରଶାସନ ତୁରନ୍ତ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରି ପକ୍କାଘର ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।