ପିପିଲି ୨୫/୨ – ପିପିଲିବ୍ଲକ ନୂଆଶାସନ ପଂଚାୟତ ସରପଂଚ ଉପନିର୍ବାଚନରେ ବିଜେପି ସମର୍ଥୀତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ସମର୍ଥୀତ ପ୍ରାର୍ଥୀ ଡ଼.ଚିନ୍ମୟ ମହାପାତ୍ରଙ୍କୁ ୮୨ଖଣ୍ଡ ଭୋଟରେ ହରାଇଛନ୍ତି । ସୌମ୍ୟକାନ୍ତ ୧୯୬୯ ଭୋଟ ପାଇଥିବାବେଳେ ଚିନ୍ମୟ ୧୮୮୭ ଭୋଟ ପାଇଛନ୍ତି । ଏହି ଉପନିର୍ବାଚନରେ ସମୁଦାୟ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ୨୯ଖଣ୍ଡ ଭୋଟ ପାଇଛନ୍ତି । ଫଳାଫଳ ସଂପର୍କରେ ନିର୍ବାଚନ ଅଧିକାରୀ ତଥା ପିପିଲି ବିଡିଓ ରଶ୍ମିତା ନାଥ ଘୋଷଣା କରିଥିଲେ । ବିଜୟୀ ଘୋଷଣା ହେବା ପରେ ସୌମ୍ୟକାନ୍ତ ପଂଚାୟତର ଭୋଟରମାନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ତାଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ପଂଚାୟତର ସାମଗ୍ରିକ ବିକାଶ ତଥା ସରକାରଙ୍କ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନରେ ଗୁରୁତ୍ୱ ଦେବେ ବୋଲି ସୌମ୍ୟକାନ୍ତ କହିଛନ୍ତି । ପଂଚାୟତ ଉପନିର୍ବାଚନରେ ଦଳ ବିଜୟ ହାସଲ କରିବା ପରେ ବିଜେପି ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ବିଜୟୀ ପ୍ରାର୍ଥୀଙ୍କ ସମେତ ଦଳର କାର୍ଯ୍ୟକର୍ତା ଓ ସମର୍ଥକମାନେ ପିପିଲି ବଜାର, ଜଗନ୍ନାଥପୁର ପଂଚାୟତ ଏକ ବାଇକ ରାଲିରେ ବୁଲି ଅଂଚଳବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଉପନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଲୋକଙ୍କ ସହ ଘରଘର ବୁଲି ସଂପର୍କ ଯୋଡିବା, ପରିବର୍ତନର ସ୍ୱରକୁ ଘରେ ଘରେ ପହଂଚାଇବାରେ ଦଳୀୟ କାର୍ଯ୍ୟକର୍ତା, କର୍ମୀ ଓ ସମର୍ଥକମାନଙ୍କ ପରିଶ୍ରମ ଯୋଗୁଁ ବିଜୟ ହାସଲ ସମ୍ଭବ ହୋଇପାରିଥିବାର ପ୍ରକାଶ କରି ଏହାର ସଫଳତାର ଶ୍ରେୟ କର୍ମୀ ଓ କାର୍ଯ୍ୟକର୍ତାମନଙ୍କୁ ସେ ଦେଇଛନ୍ତି । ଏହି ଉପନିର୍ବାଚନର ପୂର୍ବଦିନ ନୂଆଶାସନ ପଂଚାୟତର ପଡୋଶୀ ଦାଣ୍ଡମୁକୁନ୍ଦପୁର ପଂଚାୟତରେ ଜିଲା୍ଲ ପ୍ରଶାସନ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ କରାଯାଇ ପିପିଲି ନିର୍ବାଚନମଣ୍ଡଳୀ ର ସାମଗ୍ରିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ଉଦବୋଧନରେ ୭୦କୋଟି ଟଙ୍କା ର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ନିର୍ବାଚନ ବୈତରଣି ପାରିହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଥୋପକୁ ନୂଆଶାସନ ପଂଚାୟତବାସୀ ପ୍ରତ୍ୟାଖ୍ୟାନ କରି ପରିବର୍ତନର ବାର୍ତା ଆଣିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରତିକ୍ରୟା ରଖିଛନ୍ତି । ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କୁ ଜିତାଇବା ଅବସରରେ ସେ ନୂଆଶାସନ ପଂଚାୟତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଉପନିର୍ବାଚନର ଫଳାଫଳ ଆସନ୍ତା ପିପିଲି-ଡେଲାଙ୍ଗ ବିଧାନସଭା ଉପନିର୍ବାଚନ ଉପରେ ପ୍ରଭାବ ପକସାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି । ଏହି ଫଳାଫଳରେ ବିଜେଡିର ଆଗଧାଡିର ନେତାମାନେ ଚିନ୍ତାରେ ପଡିଥିବାବେଳେ ଆଗାମୀ ଦିନରେ ରଣନିତୀକୁ ନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି ।