ଗୋଟିଏ ଭୁଲ ପାଇଁ ୧୦୦ଟି ଭୁଲ୍ କରିବା ଆରମ୍ଭ କରିଛି ଶାସକ ବିଜେଡି
ଶାସକ ବିଜେଡିର ନିଦେ୍ର୍ଦଶରେ ପୋଲିସ ପ୍ରଶାସନର ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ
ରାଜ୍ୟ ସରକାରଙ୍କ ଅନ୍ୟାୟ ବିରୋଧରେ ନିର୍ଣ୍ଣାୟକ ଲଢେଇକୁ ଆହୁରୀ ଶାଣିତ କରାଯିବ
ଭୁବନେଶ୍ୱର, ତା.୨୭/୦୩: ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ କରୁଛି ବିଜୁ ଜନତା ଦଳ । ଏହା ଆଉ ବେଶି ଦିନ ଚାଲିବ ନାହିଁ । ଗୋଟିଏ ଭୁଲ୍ ପାଇଁ ୧୦୦ଟି ଭୁଲ୍ କରିବା ଆରମ୍ଭ କରିଛି ଶାସକ ବିଜେଡି । ଏଥି ସହ କଳ, ବଳର ଅପବ୍ୟବହାର କରି ବିରୋଧୀଙ୍କୁ ଦମନ କରିବାର ପ୍ରୟାସ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ଆନେ୍ଦାଳନ ଓ ପ୍ରତିବାଦ କରିବା ପାଇଁ ଗଣତନ୍ତ୍ରରେ ସମସ୍ତଙ୍କ ଅଧିକାର ରହିଛି । ଜନତାଙ୍କ ସେବାରେ ଏବଂ ବିଚାରଧାରାକୁ ଭଲପାଉଥିବା ଯୁବନେତାଙ୍କୁ ପୋଲିସ ପ୍ରଶାସନର ଭୟ ଦେଖାଇ ତାଙ୍କ ସ୍ୱରକୁ ଚାପି ଦିଆଯାଇପାରିବ ନାହିଁ । ଶାସକ ବିଜେଡିର ନିଦେ୍ର୍ଦଶରେ ପୋଲିସର ଏଭଳି ପକ୍ଷପାତିତା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ରାଜ୍ୟ ସଭାପତି ଶ୍ରୀ ସାମଲ ଗିରଫ ହୋଇ ଜେଲ୍ରେ ଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଥିଲେ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ବହୁ ବିଧାୟକ ଓ ରାଜ୍ୟ ପଦାଧିକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଭେଟିଛନ୍ତି ।
ରାଜ୍ୟ ସରକାର ରକ୍ଷକ ହୋଇ ଭକ୍ଷକ ଭୂମିକା ଅବଲମ୍ବନ କରୁଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ନବ ଦାସ ହତ୍ୟାକାଣ୍ଡକୁ ୨ ମାସ ବିତିବାକୁ ବସିଲାଣି । ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରୁଛୁ । ବିଧାନସଭା ଭିତରେ ଓ ବାହାରେ ଘଟଣାର ସଠିକ୍ ତଦନ୍ତ ଏବଂ ସତ୍ୟାସତ୍ୟର ପର୍ଦ୍ଦାଫଶ ପାଇଁ ବାରମ୍ବାର ଦାବୀ କରାଯାଇଛି । ଏହି ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଗତ ମାସ ୨୮ତାରିଖ ଦିନ ଆନେ୍ଦାଳନ କରିଥିଲେ । ଆକ୍ରୋଶମୂଳକ ଭାବେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମିଛରେ ୩୦୭ ଦଫା ସମେତ ଅନ୍ୟାନ୍ୟ ଦଫା ଲଗାଇ ରାତି ଅଧରେ ଜେଲ୍କୁ ପଠାଇ ଦେଇଥିଲେ । ଆଜିକୁ ମାସେ ବିତିଲାଣି । ମିଥ୍ୟା କେସ୍ ଏବଂ ଅନ୍ୟାୟରେ ବିଜେପି କର୍ମୀଙ୍କୁ ଜେଲ୍ରେ ଭର୍ତି କରି ଭୟଭୀତ କରିବାର ଶାସକ ବିଜେଡିର ଅପପ୍ରୟାସ ଆଉ ଚଳିବ ନାହିଁ । ଆମ କାର୍ଯ୍ୟକର୍ତାଙ୍କ ମନୋବଳ ସୁଦୃଢ ରହିଛି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ନିର୍ଣ୍ଣାୟକ ଲଢେଇକୁ ଆହୁରୀ ଶାଣିତ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟଧାର ମହାପାତ୍ର, ନାଉରୀ ନାୟକ, ଭବାନୀ ଭୋଇ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଗଣେଷ ରାମ ଖୁଂଟିଆ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ବିରଂଚି ତ୍ରିପାଠୀ, ଦିଲୀପ ମହାନ୍ତି, ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ, ସ୍ଥାନୀୟ କର୍ପୋରେଟର ଧରିତ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
