ବନ୍ୟା ପ୍ରପୀଡିତ ଲୋକଙ୍କୁ ସଚେତନ କରାଇବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ରାଜ୍ୟର ସମସ୍ତ ବିଜେପି କାର୍ଯ୍ୟକର୍ତା : ସମୀର ମହାନ୍ତି
ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଜଣାଇଲେ ରାଜ୍ୟ ସଭାପତି
ଜଳମଗ୍ନ ହୋଇଥିବା ଅଂଚଳରେ ପ୍ରଶାସନ ପହଂଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରୁ
କ୍ଷତିଗସ୍ତ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ
ଭୁବନେଶ୍ୱର,ତା.୩୦/୦୮: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ରାଜ୍ୟବାସୀଙ୍କୁ ସର୍ତକତା ଅବଲମ୍ବନ କରିବା ନିହାତି ଦରକାର । ଏହା ସହ ବନ୍ୟା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ବନ୍ୟା ଆଶ୍ରୟସ୍ଥଳ କିମ୍ବା ଉଚ୍ଚା ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିବେଦନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତ ବନ୍ୟାରେ ରାଜ୍ୟର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାଦ୍ୱାରା ଅନେକ ଧନଜୀବନ କ୍ଷତି ହୋଇଛି । ବିଶେଷ କରି ତଳିଆ ଅଂଚଳରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପ୍ରଶାସନ ଏଯାବତ୍ ପହଂଚି ନଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେଉଛି ।
ଏଭଳି ବନ୍ୟା ବିପତି ସମୟରେ ପ୍ରଶାସନ ପହଂଚି ନଥିବା ସ୍ଥାନରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ରାଜ୍ୟର ଜଳମଗ୍ନ ହୋଇଥିବା ଅଂଚଳରେ ପ୍ରଶାସନ ପହଂଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରୁୁ । ଅନ୍ୟପଟେ କ୍ଷତିଗସ୍ତ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
