ରାଜ୍ୟସରକାର ତୁରନ୍ତ ଜଳମଗ୍ନ ଚାଷଜମିର କ୍ଷୟକ୍ଷତି ଆକଳନ କରି କ୍ଷତିଗସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ : ପ୍ରଦୀପ୍ତ ନାଏକ
ଧାନ ଜମିରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଧାନ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି
ଜଳମଗ୍ନ ଜମିରୁ ପାଣି ନିଷ୍କାସନ କରିବା ପାଇଁ ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ପଦ୍ଧତି ନଆପଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀର ଅଂଟା ଭାଙ୍ଗି ପଡିଛି
ବିପତି ସମୟରେ ରାଜ୍ୟସରକାର ଚାଷୀଙ୍କ ପାଖରେ ଛିଡା ହୋଇ ସେମାନଙ୍କ ମନୋବଳ ବୃଦ୍ଧି କରନ୍ତୁ
ଭୁବନେଶ୍ୱର,ତା.୨୧/୮: ଗତ କିଛିଦିନ ତଳେ ଉପକୂଳ ଅଂଚଳର ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଲଘୁଚାପ ବର୍ଷା ପ୍ରଭାବରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଜମିରେ ପାଣି ଥିବାରୁ ରୁଆ ବେଉଷଣ କାର୍ଯ୍ୟ ବନ୍ଦ ହୋଇଛି । ଅନ୍ୟପଟେ ରୁଆ ଯାଇଥିବା ଧାନ ଜମିରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଧାନ ଗଛ ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ଏନେଇ ଚାଷୀକୂଳ ମନରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି । ଏହି ପାଣିକୁ ନିଷ୍କାସନ କରିବା ପାଇଁ ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ ପଦ୍ଧତି ନଆପଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି ।
କରୋନା ମୁକାବିଲା କରୁଥିବା ସମୟରେ ଆର୍ଥିକ ଅଭିବୃଦ୍ଧି ୬ ପ୍ରତିଶତରୁ କମ ଥିବାବେଳେ ଚାଷୀଭାଇମାନେ ଦିନ ରାତି କଠିନ ପରିଶ୍ରମ କରି ରାଜ୍ୟକୁ ଆର୍ଥିକ ଅଭିବୃଦ୍ଧିରେ ନିଜକୁ ସାମିଲ କରିଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀର ଅଂଟା ଭାଙ୍ଗି ପଡିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଳମଗ୍ନ ଜମିର କ୍ଷୟକ୍ଷତି ଆକଳନ କରାଯାଇ ନାହିଁ କି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । ଆଗାମୀ ୨୧ ତାରିଖରେ ଆଉ ଥରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ଅଛି । ସରକାର ଏନେଇ କଣ ଯୋଜନା କରିଛନ୍ତି ତାହା ଚାଷୀ ଭାଇ ମାନଙ୍କୁ ଅବଗତ କରାନ୍ତୁ । ବର୍ଷାର ପରିମାଣ ବୃଦ୍ଧି ହେଲେ ଧାନ ଫସଲ ପୂରା ଧୋଇଯିବାର ଆଶଙ୍କା ରହିଛି । ବିପତି ସମୟରେ ରାଜ୍ୟସରକାର ଚାଷୀଙ୍କ ପାଖରେ ଛିଡା ହୋଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜଳମଗ୍ନ ଜମିର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶ୍ରୀ ନାଏକ ଦାବୀ କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।