ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷାନୀତି-୨୦୨୦ ଆଣିଥିବାବେଳେ, ରାଜ୍ୟସରକାର ଓଡିଶାରେ ଶିକ୍ଷାର ବିକାଶ ହେଉ ବୋଲି ଚାହୁଁନାହାଁନ୍ତି
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ରାଜ୍ୟର ବହୁ ବିଶ୍ୱବିଦ୍ୟାଳୟ ଆବେଦନ କରିନାହାଁନ୍ତି
ଉକ୍ରଳ ବିଶ୍ୱବିଦ୍ୟାଳୟରେ ୨୫୯ରୁ ୧୨୧ପଦ ଖାଲି ପଡିଛି
କୁଳପତିଙ୍କ ଚାକିରୀ ଅବଧୀ ପରେ ବି ନୂଆ କୁଳପତି ନିଯୁକ୍ତ ହେଉ ନାହାନ୍ତି କାହିଁକି?
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଡିଜିଟାଲ ଲାଇବ୍ରେରୀ ଏବେ ତାଲା ପଡିଛି
୨ ଜଣ ପ୍ରଫେସରଙ୍କୁ ଅହେତୁକ ଅନୁକଂପା ଦେଖାଇ ୩ ଟି ଲେଖାଏଁ ଦାୟୀତ୍ୱ ମିଳିବା ନେଇ ଉଚ୍ଚଶିକ୍ଷା ବିଭାଗ ନୀରବ କାହିଁକି
ଉକ୍ରଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ତଥା ଗ୍ରାମୀଣ କ୍ୟାଂପସ କେବେ କାର୍ଯ୍ୟକ୍ଷମ ହେବ?
ଭୁବନେଶ୍ୱର,ତା.୨୧/୮: ଭାରତବର୍ଷ ହେଉଛି ପୃଥିବୀର ଯୁବଶକ୍ତି ଅର୍ଥାତ୍ ଯୁବଶକ୍ତିରେ ଭରପୂର ଥିବା ଦେଶ । ଏଠାରେ ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକଙ୍କର ବୟସ ୨୫ ବର୍ଷରୁ କମ୍ । ବୈଶ୍ୱିକ ପରିବର୍ତନ ଓ ତାର ଦୂରଗାମୀ ପ୍ରଭାବକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନୂତନ ଶିକ୍ଷାନୀତି-୨୦୨୦ ଆଣିଥିବାବେଳେ, ରାଜ୍ୟସରକାର ଓଡିଶାରେ ଶିକ୍ଷାର ବିକାଶ ହେଉ ବୋଲି ଚାହୁଁନାହଁନ୍ତି । ଓଡିଶାର ପିଲା ଭଲ ପାଠ ପଢନ୍ତୁ ଓ ଗବେଷଣା କରନ୍ତୁ ଏକଥା ରାଜ୍ୟସରକାର ଚାହାଁନ୍ତି ନାହିଁ । ଓଡିଶା ବାହାରକୁ ଲୋକ ଯେମିତି ଦାଦନ ଖଟିବାକୁ ଯାଉଛନ୍ତି ସେମିତି ଉଚ୍ଚଶିକ୍ଷା ପାଇଁ ବି ଲୋକ ବାହାରକୁ ଯାଆନ୍ତୁ । ଏହା କ’ଣ ଓଡିଶା ସରକାରଙ୍କ ‘ଓଡିଆ ପ୍ରୀତିର ପରିଚୟ’ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଶ୍ରେଷ୍ଠ ୧୦୦ ତାଲିକାରେ ଓଡିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ନାହିଁ । ଗୁଣାତ୍ମକ ଶିକ୍ଷା ଏବଂ ଗବେଷଣାକୁ ନେଇ ଡିଣ୍ଡିମ ପିଟୁଥିବା ଉଚ୍ଚଶିକ୍ଷା ବିଭାଗର ପାରିବା ପଣିଆ ନେଇ ଏବେ ପ୍ରଶ୍ନ ଉଠିଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ମଧ୍ୟ ବହୁ ବିଶ୍ୱବିଦ୍ୟାଳୟ ଆବେଦନ କରିନାହାଁନ୍ତି । ଏଥିରୁ ସରକାରଙ୍କ କଥା ନୁହେଁ କଠିନ ପରିଶ୍ରମ କଥା ଜଣା ପଡୁଛି । କୁଳପତିଙ୍କ ଚାକିରୀ ଅବଧୀ ପରେ ବି ନୂଆ କୁଳପତି ନିଯୁକ୍ତ ହେଉ ନାହାନ୍ତି କାହିଁକି? କୁଳପତି ନିଯୁକ୍ତିରେ ଶିକ୍ଷା ବିଭାଗର ଆଇନତଃ କୌଣସି ବିଶେଷ ଭୂମିକା ନଥିବାବେଳେ ଜାଣିଶୁଣି ବିଳମ୍ବ କରି ଆଇନର ଅବମାନନା କରାଯାଉନି କି? କୁଳପତି ପଦ ଖାଲି ହେବାର ୩ ରୁ ୫ ମାସ ପୂର୍ବରୁ ସଂପୃକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବା କଥା , କିନ୍ତୁ କୌଣସି କାରଣରୁ ଏହି ବିଜ୍ଞପ୍ତି ଉଚ୍ଚଶିକ୍ଷା ବିଭାଗ ବାହର ନକରିବାର ଭିତିରି ରହସ୍ୟ କଣ ରହିଛି? କୋଭିଡ ଆଳରେ ଉଚ୍ଚଶିକ୍ଷା ବିଭାଗର ପଦାଧିକାରୀ ଏହି ଟାଳଟୁଳ ନୀତି କରି ସମୟ ଗଡାଇ ଚାଲିଛନ୍ତି । ଓଡିଶାର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡିଛି କେବଳ ଉକ୍ରଳ ବିଶ୍ୱବିଦ୍ୟାଳୟରେ ୨୫୯ରୁ ୧୨୧ପଦ ଖାଲି ପଡିଛି ।
ଦେଶରେ ରାଜ୍ୟପାଳ, ବିଚାରପତି, ବରିଷ୍ଠ ଅଧିକାରୀମାନଙ୍କର ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ରାଜ୍ୟରେ ସୂଚନା କମିଶନର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଉଥିବା ସମୟରେ ୬ ଜଣ କୁଳପତିଙ୍କ ନିଯୁକ୍ତିକୁ ପକାଇ ରଖିବା ନିଶ୍ଚିତ ଭାବରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ପ୍ରତି ରାଜ୍ୟସରକାରଙ୍କ ଆନ୍ତରିକତା ଅଭାବ ଥିବା ଦର୍ଶାଉଛି । ଅନ୍ୟପକ୍ଷରେ ବିଦାୟ ନେବାକୁ ଥିବା କୁଳପତିମାନେ ପରିବର୍ଦ୍ଧିତ କାର୍ଯ୍ୟକାଳ ପାଇଁ କୌଣସି ଆର୍ଥିକ ନିଷ୍ପତି ବା ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ । ହେଲେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) କାର୍ଯ୍ୟକ୍ରମ ଅଧୀନରେ ୩୦ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଅନେକ
ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ପ୍ରାୟ ୮ କୋଟି ଟଙ୍କା ପୁରୁଣା ତାରିଖରେ ନିଜ ଅନୁଗତମାନଙ୍କ ସହାୟତାରେ ଆଗ ପ୍ରଦାନ କରାଯାଇଛି । ଏହା ସହିତ ଶେଷ ମୁହୁର୍ତରେ ଅଫିସ ଉପକରଣ କିଣିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ରାଜ୍ୟସରକାରଙ୍କ ଅର୍ଥ ବିଭାଗର ନୂତନ ଆଦେଶ ଅନୁସାରେ କୌଣସି ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ନଥିଲେ ହେଁ ତୃତୀୟ ମହଳାର ନିଦେ୍ର୍ଦଶରେ ଅବସରପ୍ରାପ୍ତ ସଚିବଙ୍କୁ ନିଯୁକ୍ତି ଦେବା ପରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି । ୨ ଜଣ ପ୍ରଫେସରଙ୍କୁ ଅହେତୁକ ଅନୁକଂପା ଦେଖାଇ ୩ ଟି ଲେଖାଏଁ ଦାୟୀତ୍ୱ ମିଳିଛି । ଏସବୁକୁ ନେଇ ଉଚ୍ଚଶିକ୍ଷା ବିଭାଗ ନୀରବ କାହିଁକି ?
ଉକ୍ରଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ଇତିହାସରେ ୮ଟିରୁ ଅଧିକ ଚେୟାର ପ୍ରତିଷ୍ଠା ହୋଇଥିଲା । ଏବେ କାହାରି ସଭା ନାହିଁ । ୨୦୧୮ରେ ବିଶ୍ୱବିଦ୍ୟାଳୟର କୁଳପତି ଚେୟାର ଗୁଡିକ ଯୋଡିବା ପାଇଁ ୨ ଜଣ ପ୍ରଫେସରଙ୍କ ନେତୃତ୍ୱରେ କମିଟି ଗଠନ କରିଥିଲେ । ହେଲେ ଗୋଟିଏ ବି ଚେୟାର ହୋଇନାହିଁ କି ଏହାର ପୁନରୁଦ୍ଧାର ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଡିଜିଟାଲ ଲାଇବ୍ରେରୀ ଏବେ ତାଲା ପଡିଛି । ସେହିପରି ଇଂରାଜୀ, ଓଡିଆ, ସଂସ୍କୃତ ବିଭାଗକୁ ଗୋଟିଏ ବିଲିଡିଙ୍ଗରେ କାର୍ଯ୍ୟକ୍ଷମ କରିବାକୁ ଲାଙ୍ଗୁଏଜ ବ୍ଲକ ପ୍ରତିଷ୍ଠା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳନ୍ୟାସ ତଥା ଉଦଘାଟିତ ହୋଇଥିଲେ ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ । ୨୦୧୭ ମସିହା ଜୁଲାଇ ୩୧ ତାରିଖରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିହା ଠାରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ତଥା ଗ୍ରାମୀଣ କ୍ୟାଂପସ ପାଇଁ ପଡିଥିଲା ଭିତିଭସ୍ତର । ୩ ବର୍ଷ ପାଖାପାଖି ହେବ ଜମି ଅଧିଗ୍ରହଣ ସରିଲାଣି । କେବଳ ଲୋକଙ୍କୁ ଭଣ୍ଡେଇବା ପାଇଁ ପ୍ରବେଶ ପଥରେ କିଛି ଅଂଶରେ ପାଚେରୀ ବୁଲେଇ ଦେଇ ଉଚ୍ଚଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ସମସ୍ତେ ହାତଟେକି ବସିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଭର୍ଚୁଆଲ ଆଲୋଚନା ଚକ୍ର କରିଥିଲା । ସେଥିରେ ଛାତ୍ରଛାତ୍ରୀମାନେ ଆଗାମୀ ପରୀକ୍ଷା ଓ ନାମଲେଖାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ରାଜ୍ୟସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ନଖେଳି ତୁରନ୍ତ ସେମାନଙ୍କର ଦ୍ୱନ୍ଦ୍ୱ ଦୂର କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଭାରତ ସରକାରଙ୍କର ରୁସା ଯୋଜନାରେ ବିଶ୍ୱବିଦ୍ୟାଳୟ ମାନଙ୍କୁ ଆସିଥିବା ଶହ ଶହ କୋଟି ଟଙ୍କାକୁ ହଡପ କରିବା ପାଇଁ ରାଜ୍ୟସରକାର ବିନା ଟେଣ୍ଡରରେ ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମକୁ କାର୍ଯ୍ୟ କରିବା ପାଇଁ ଆଦେଶ ଦେବା ଅର୍ଥ ହରିଲୁଟ କରିବାର ନୂତନ ଯୋଜନା ପ୍ରସ୍ତୁତ କରିବା । ନିୟମ ବର୍ହିଭୂତ କାର୍ଯ୍ୟକ୍ରମ ବିଷୟରେ ସରକାରୀ ବିଭାଗ ଅବଗତ ଥିଲେ ମଧ୍ୟ ସ୍ଥାଣୁ ହୋଇ ବସିଛନ୍ତି ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ଉଚ୍ଚଶିକ୍ଷା ସଚିବଙ୍କ ଉଚ୍ଚଶିକ୍ଷା ପ୍ରତି କେତେ ଆଗ୍ରହ ତାହା ସ୍ପଷ୍ଟ ବାରି ହେଉଛି । ରାଜ୍ୟସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ । ତୁରନ୍ତ ନୂତନ କୁଳପତିମାନଙ୍କୁ ନିଯୁକ୍ତି ଦେବା ସହିତ ବେନିୟମ କାର୍ଯ୍ୟ ଗୁଡିକର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦିକା ଅର୍ପିତା ଅପରାଜିତା ବଡଜେନା ଏବଂ ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।