ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ହଡପ : ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ଗସ୍ତ କରି ଜନଜାତି ହିତାଧିକାରୀଙ୍କୁ ଭେଟିବ ବିଜେପି ପ୍ରତିନିଧୀ ଦଳ
ଭୁବନେଶ୍ୱର,ତା.୨୦/୮: ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍’ ଯୋଜନାରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ରାଜ୍ୟସରକାର ଏହି ଜନ କଲ୍ୟାଣ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର ଆପଣାଇଛନ୍ତି । ବିଶେଷ କରି ଆଦିବାସୀ ବହୁଳ ଓଡିଶା ରାଜ୍ୟରେ ଆଦିବାସୀଙ୍କ ପାଇଁ ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ ବି ସେମାନେ ସମସ୍ତ ପ୍ରକାରର ସୁବିଧାରୁ ବଂଚିତ ରହିଛନ୍ତି ।
ଏପରିକି ସାଧାରଣ ବାସଗୃହ ପାଇଁ ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ଏବଂ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ଲୁଟ୍ କରାଯାଉଛି । ଗତ କିଛି ଦିନ ଧରି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛିି । ଏହି ଅଂଚଳର ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୃକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହେବାର ପ୍ରମାଣ ମିଳିଛି ।
ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଅଂଚଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ଆସନ୍ତାକାଲି ଅଗଷ୍ଟ ୨୧ ତାରିଖରେ ଏକ ରାଜ୍ୟସ୍ତରୀୟ ପ୍ରତିନିଧୀ ଦଳ ସଂପୃକ୍ତ ଅଂଚଳକୁ ଯାଇ ଜନଜାତି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ବାସ୍ତବ ସ୍ଥିତି ପରଖିବେ । ପରେ ଏ ସଂକ୍ରାନ୍ତରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ । ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଅନ୍ୟତମ ରାଜ୍ୟ ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ, ଶ୍ରୀ ଠାକୁର ରଂଜିତ ଦାସ, କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ଅଂଶୁମାନ ସବୁଜ ମହନ୍ତ ବର୍ମା ଓ କେନ୍ଦୁଝର ଜିଲ୍ଲା ପ୍ରଭାରୀ ଶ୍ରୀ ନବୀନ ରାମ ପ୍ରମୁଖ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବେ ।