ଓଡିଶା ସରକାରଙ୍କର ଅପାରଗତା ଓ ଦୁର୍ନୀତି ପାଇଁ ରାଜ୍ୟରେ ଗରିବ ଲୋକଙ୍କୁ ମିଳୁ ପାରୁନି ପକ୍କାଘର
ବିଜେଡି ପ୍ରାର୍ଥୀନି ନିଜ ନାଁରେ ନେଇଯାଇଛନ୍ତି ପକ୍କାଘର
ଧାମନଗର/ଭୁବନେଶ୍ୱର, ତା.୨୯/୧୦: ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶି ସୁରଜଙ୍କୁ ଜିତାଇବା ପାଇଁ ଭାରତୀୟ ଜନତା ପାର୍ଟିର ତୃଣମୂଳ ସ୍ତରର କାର୍ଯ୍ୟକର୍ତାଙ୍କ ଠାରୁ ନେଇ ଜାତୀୟ ସ୍ତରରେ ନେତା ସମସ୍ତେ ଏକ ମିଶନ ମୁଡରେ ଲାଗିଛନ୍ତି । ଧାମନଗରରେ ବିଜେପି ଜିତିବା ସୁନିଶ୍ଚିନ୍ତ କାରଣ ଏଠାରେ ଶାସକ ଦଳର ଅହଙ୍କାରକୁ ଜବାବ ଦେବା ପାଇଁ ଧାମନଗରର ଜନତା ମନସ୍ଥ କରିଛନ୍ତି । ଆଜି ଧାମନଗର ବ୍ଲକର ପାଳସାହି ଗ୍ରାମପଂଚାୟତ ଓ ବେତାଳିଆ ଗ୍ରାମପଂଚାୟତରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଦୁଆର ଦୁଆର ବୁଲି କ୍ୟାମ୍ପେନିଙ୍ଗ କରିବା ସହିତ, ବାଇକ ର୍ୟାଲି ଓ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।
ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ, ଓଡିଶାରେ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଆଜି ଗରିବ ଲୋକଙ୍କୁ ପକ୍କାଘର ମିଳିପାରି ନାହିଁ । ସାରା ଦେଶରେ ଅନ୍ୟ ରାଜ୍ୟ ଅପେକ୍ଷା ବେଶି ଚାଳ ଘର ଓଡିଶାରେ ଅଛି । ଏହାର କାରଣ ହେଉଛି କେନ୍ଦ୍ରରେ ମୋଦି ସରକାର ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ଦୁର୍ନୀତି କରୁଛନ୍ତି, ଗରିବ ଲୋକଙ୍କୁ ଘର ନଦେଇ ଧନୀ ଲୋକଙ୍କୁ ଦେଉଛନ୍ତି । ବିଜେଡିରୁ ଯିଏ ଏବେ ପ୍ରାର୍ଥୀନୀ ହୋଇଛନ୍ତି ସେ ନିଜେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜେ ନାଁରେ ନେଇଯାଇଥିଲେ ବୋଲି ଧାମନଗର ଲୋକେ ତାଙ୍କୁ ଜଣାଇଥିଲେ । ଦେଶରେ ସବୁଠାରୁ ଅଧିକ ଚାଳଘର ଓଡିଶାରେ ଅଛି ଆଉ ଏଥିପାଇଁ ଦାୟୀ ହେଉଛି ଓଡିଶା ସରକାରଙ୍କର ଅପାରଗତା । ଜନତା ଏସବୁର ଜବାବ ଏଥର ଧାମନଗର ଉପନିର୍ବାଚନରେ ଦେବେ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶି ସୁରଜଙ୍କୁ ଜିତାଇବେ ।
