Odisha news

ଓଡ଼ିଶା ବିକାଶରେ ବିଫଳ, ରାଜ୍ୟରେ ଠିକା ସରକାର ଉଚ୍ଛେଦ ହେବା ଦରକାର: ଜୟ ନାରାୟଣ ମିଶ୍ର

0

ଭୁବନେଶ୍ୱର, ତା.୧୬/୧୦: ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିଲେ ବିଜେଡି ସୁପ୍ରିମ ନବୀନବାବୁ ଭୋଟ୍ ଡ୍ରାମା କରନ୍ତି । ନିର୍ବାଚନ ଆସିଲେ ନବୀନବାବୁ ଓଡ଼ିଶାବାସୀଙ୍କ ଲାଗି ମାଳ ମାଳ ଯୋଜନା ଭେଟି ଦେଇଥାନ୍ତି । ସେହି ଯୋଜନା ନିର୍ବାଚନ ସରିବା ପରେ କାର୍ଯ୍ୟକାରୀ ହୁଏ କି ନାହିଁ ତାହାର ଜବାବ ନବୀନବାବୁଙ୍କ ପାଖରେ ନଥାଏ । ଏବେ ନିର୍ବାଚନ ପାଖେଇ ଆସିବାରୁ ଓଡ଼ିଶାର ଯୁବପୀଢ଼ିଙ୍କୁ ନିଯୁକ୍ତି ପ୍ରଥା ଉଚ୍ଛେଦର ନାରା ଦେଇ ଏକ ନୂଆ ଡ୍ରାମା ଆରମ୍ଭ କରିଛନ୍ତି । ଉଚ୍ଛେଦ ପ୍ରଥାକୁ ଭିତି କରି ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟରେ କଂଟ୍ରାକ୍ଟର ଜରିଆରେ ଯେତେ ଠିକା କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନବୀନବାବୁ ଉତର ରଖନ୍ତୁ । ବ୍ଲକଗ୍ରାଣ୍ଡ ଶିକ୍ଷକ, ଗ୍ରାମସାଥୀ, କୃଷକସାଥୀ, ପ୍ରାଣୀମିତ୍ର, ରିସୋର୍ସ୍ କର୍ମଚାରୀ ଓ ଚୌକିଦାରଙ୍କ ଭବିଷ୍ୟତ କଣ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଓଡ଼ିଶା ସରକାର ଠିକାରେ ଚାଲିବା ସହ ସମସ୍ତ ସରକାରୀ କାର୍ଯ୍ୟ ମଧ୍ୟ ଠିକାରେ ଚାଲିଛି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ କିଛି ନୂତନ୍ୱତ ନାହିଁ ଏହା କେବଳ ଧୂଆଁ ବାଣ ସଦୃଶ । ଯଥାଶୀଘ୍ର ରାଜ୍ୟରୁ ବି ଠିକା ସରକାର ଉଚ୍ଛେଦ ହେବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ପ୍ରକାଶଥାଉ କି, ୨୦୧୩ରେ ରାଜ୍ୟରେ ଚୁକ୍ତି ଭିତିକ ନିଯୁକ୍ତି ବ୍ୟବସ୍ଥା ଲାଗୁ କରି ଓଡ଼ିଶା ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ଗୋତି ଶ୍ରମିକ ପ୍ରଥାର ଆରମ୍ଭ କରିଥିଲେ । ରାଜ୍ୟ ସରକାର ଏହି ଠିକା ନିଯୁକ୍ତି ପକ୍ରିୟାକୁ ନିଜେ ଆରମ୍ଭ କରି ଏକ ଐତିହାସିକ ଭୁଲ କରିଥିଲେ । ଶେଷରେ ଦୀର୍ଘ ୯ବର୍ଷ ପରେ ଠିକା ବ୍ୟବସ୍ଥାକୁ ଉଠାଇ ଦିଆଗଲା ବୋଲି ଘୋଷଣା କରି ବାଃ ବାଃ ନେବାର ଅର୍ଥ କିଛି ବୁଝା ପଡୁନାହିଁ । ଏହା ପଛର କାରଣ ଯେ, ଗତବର୍ଷ ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା କାରଣରୁ ରାଜ୍ୟରେ ଠିକା ନିଯୁକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି । ରାଜ୍ୟରେ ୮ଲକ୍ଷ ୮୦ହଜାରରୁ ଊଦ୍ଧ୍ୱର୍ ଯୁବକ ଯୁବତୀ ଓଡ଼ିଶା ସରକାରଙ୍କ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ନାମ ରେଜିଷ୍ଟିଭୁକ୍ତ କରି ନିଯୁକ୍ତି ନିମନ୍ତେ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ନିଯୁକ୍ତି ମିଳୁନଥିବାରୁ ରାଜ୍ୟ ସରକାରଙ୍କ ଏହି ସଂସ୍ଥାରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ଓଡ଼ିଶାର ଯୁବକ ଯୁବତୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ବରଂ ବେସରକାରୀ ସଂସ୍ଥା ଓ କିଛି ନିଯୁକ୍ତି ଦଲାଲମାନଙ୍କ ପାଖରେ ନିଜ ନାମକୁ ପଞ୍ଜୀକରଣ କରିବାକୁ ଶ୍ରେୟ ମଣୁଛନ୍ତି । ଏଥି ନେଇ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।
ଠିକା ନିଯୁକ୍ତି ସମ୍ପର୍କରେ ବିଜେପି ବାରମ୍ବାର ନବୀନ ସରକାରଙ୍କୁ ପ୍ରଶ୍ନ କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ପାଖରେ ଠିକା ନିଯୁକ୍ତିର କୌଣସି କାଗଜ ନଥିବା ଦର୍ଶାଇଛନ୍ତି । ଠିକା ନିଯୁକ୍ତି ଦେଇନଥିଲେ ବୋଲି କହିଆସୁଥିବାବେଳେ ଆଜି କିପରି ନବୀନବାବୁ ଠିକା ନିଯୁକ୍ତି ଉଠେଇ ଦେଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯଦି ସରକାରଙ୍କ ପାଖରେ ଠିକା କର୍ମଚାରୀଙ୍କ ରିପୋର୍ଟ ନାହିଁ ତାହାଲେ ସରକାରୀ କିପରି ସ୍ଥାୟୀ ନିଯୁକ୍ତି ଦେଲେ । ସରକାରଙ୍କ ପାଖରେ ଓଡ଼ିଶାର କେତେ କୃଷକ, କେତେ ଭାଗଚାଷୀ ଅଛନ୍ତି ଏହାର ଜବାବ ରଖିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି । ୨୩ବର୍ଷର ସରକାରଙ୍କ ପାଖରେ ଓଡ଼ିଶା ସମ୍ପର୍କରେ କୌଣସି ତଥ୍ୟ ନାହିଁ । “ଓଡିଶାରେ ଚାଷ କଲେ ଧାନ ବିକ୍ରି ହୁଏ ନାହିଁ କି ପାଠ ପଢ଼ିଲେ ଏଠି ନିଯୁକ୍ତି ନାହିଁ” ବୋଲି ଶ୍ରୀ ମିଶ୍ର କହିଛନ୍ତି । ଓଡ଼ିଶାର ଯୁବକ ଯୁବତୀଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅସମର୍ଥ ।
ରାଜ୍ୟ ସରକାର କ୍ଷମତାର ଲାଳସାରେ ଓଡ଼ିଶାର ନିରୀହ ଜନସାଧାରଣଙ୍କ ଭାବନା ସହ ଖେଳ ଖେଳୁଛନ୍ତି । ଓଡ଼ିଶାରେ ଯୁବକ ଯୁବତୀମାନେ ଶିକ୍ଷା ଲାଭ କରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସର୍ବାଧିକ ଲୋକ ବାହର ରାଜ୍ୟରେ ଦାଦନ ଖଟୁଛନ୍ତି । କିନ୍ତୁ ନବୀନବାବୁ ଏହାର ସଠିକ୍ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି । ୨୩ବର୍ଷ ବିଜେଡି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ଓ ନାରୀ ସୁରକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ନବୀନବାବୁ କେବଳ ନିର୍ବାଚନ ଜିତିବା ଲାଗି ଓଡ଼ିଶାର ପ୍ରତ୍ୟେକ ଓଡ଼ିଆଙ୍କ ଭାବନା ସହ ଖେଳ ଖେଳିବାକୁ ପଛାଉ ନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Nalco
Leave A Reply