କନ୍ଧମାଳ ଜିଲ୍ଲା ଗୁମା ପଂଚାୟତର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଏବଂ ପ୍ରସବ ପରେ ମୃତୁ୍ୟ ନୁହେଁ ହତ୍ୟା : ସ୍ମୃତି ପଟ୍ଟନାୟକ
ନାବାଳିକାଙ୍କ ମୃତୁ୍ୟ ଲାଗି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ
ମାନବୀୟ ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ
ନାବାଳିକାର ପରିବାରକୁ କ୍ଷତିପୁରଣ ବାବଦରେ ତୁରନ୍ତ ୨୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟକୁ ଚାକିରୀ ଯୋଗାଇ ଦିଆଯାଉ
ମହିଳାଙ୍କୁ ଶୋଷଣ କରିବାରେ ଶାସକ ବିଜେଡି ମାହିର
ଭୁବନେଶ୍ୱର, ତା.୧୨/୧୦: ବିଜେଡି ସରକାରରେ ମା’କୁ ସମ୍ମାନର କେବଳ ପ୍ରଚାର ସର୍ବସ୍ୱ । ରାଜ୍ୟର ମା ଓ ଭଉଣୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଓଡ଼ିଶାରେ ଆଦିବାସୀ ଅଧୁଷିତ ଅଂଚଳରେ ଦିନକୁ ଦିନ ନାବାଳିକା, ମହିଳା ଓ ଶିଶୁ ମୃତୁ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସରକାର ସବୁ ଜାଣିବି ଚୁପ୍ ରହୁଛନ୍ତି । ବିଜେଡି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାର ଆଦିବାସୀ ମହିଳାମାନେ ଦୁଷ୍କର୍ମରେ ଶିକାର ହୋଇ ପ୍ରାଣ ହରାଉଛନ୍ତି । ୨୩ ବର୍ଷର ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛି । ବିଜେଡି ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁଷ୍କର୍ମରେ ମନ୍ତ୍ରୀ, ନେତାମାନେ ଲିପ୍ତ ରହୁଛନ୍ତି । ଗତ ୫ତାରିଖ ଦିନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଗୁମା ପଂଚାୟତର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ ପ୍ରସବ କରିବା ପରେ ଶିଶୁ ଓ ମା’ର ମୃତୁ୍ୟ ହେବା ଅତ୍ୟନ୍ତ ଦୁଃଖର ବିଷୟ । ସଶକ୍ତିକରଣର ବାହାସ୍ପୋଟ ମାରୁଥିବା ଶାସକ ବିଜେଡି ବାସ୍ତବରେ ମହିଳାଙ୍କୁ ଶୋଷଣ କରିବାରେ ମାହିର ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
କନ୍ଧମାଳ ଜିଲ୍ଲା ସପ୍ତମ ଶ୍ରେଣୀ ଛାତ୍ରୀର ମୃତୁ୍ୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଗତ ୮ ତାରିଖ ଦିନ କନ୍ଧମାଳ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବା ସହିତ ମୃତ ନାବାଳିକାର ପରିବାର, ସ୍କୃଲ କର୍ତୃପକ୍ଷ, ସ୍ଥାନୀୟ ପୋଲିସ ଓ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଘଟଣା ସଂପର୍କରେ ସୁଚନା ଦେଇ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟାଳୟ କତୃପକ୍ଷ, ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ନାବାଳିକାର ମୃତୁ୍ୟ ହୋଇଥିଲା । ତେଣୁ ନାବାଳିକାର ମୃତୁ୍ୟ ହୋଇନାହିଁ ବରଂ ତାକୁ ହତ୍ୟା କରାଯାଇଛି । ଏଭଳି ଅମାନବୀୟ ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।
ଋାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ମୃତ ନାବାଳିକା ଗର୍ଭବତୀ ହୋଇଥିଲେ ମଧ୍ୟ ସ୍କୃଲ କର୍ତୃପକ୍ଷ ଜାଣିନଥିବା ବୋଲି କହିବା ଆଶ୍ଚର୍ଯ୍ୟଜନକ । ନାବାଳିକାଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବାରୁ ଚିକିତ୍ସା ପାଇଁ ଯାଇଥିବାବେଳେ ନାବାଳିକାଟି ୩୧ ସପ୍ତାହର ଗର୍ଭବତୀ ହୋଇଥିବା ଡାକ୍ତର କହିଥିଲେ । ସ୍ୱାଧାର ଗୃହରେ ଥିବା ସମୟରେ ନାବାଳିକାଟି ପ୍ରସବ କରିଥିଲା ଏବଂ ପରବର୍ତୀ ସମୟରେ ଚିକିତ୍ସା ଅବହେଳାରୁ ତାର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା । ପ୍ରକୃତ ଚିକିତ୍ସା ଅଭାବରୁ ଶେଷରେ ନାବାଳିକା ଏବଂ ତାର ନବଜାତ ଶିଶୁର ମୃତୁ୍ୟ ହୋଇଥିଲା । ନାବାଳିକାଙ୍କ ମୃତୁ୍ୟଲାଗି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ । ନାବାଳିକାର ପରିବାରକୁ କ୍ଷତିପୁରଣ ବାବଦରେ ତୁରନ୍ତ ୨୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟକୁ ଚାକିରୀ ଯୋଗାଇ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।
ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ କାରଣରୁ ସେମାନଙ୍କୁ ସାବତ ପୁଅ ପରି ବ୍ୟବହାର ପ୍ରଦର୍ଶନ କରାଯାଉଛି । ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଂଚିତ ରଖାଯାଉଛି । ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦି ସରକାର ବହୁ ଯୁଗାନ୍ତକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରୁଥିବାବେଳେ ଅନ୍ୟ ପଟେ ଓଡିଶାରେ ଶାସକ ବିଜେଡି ବାଧକ ସାଜିଛି । ଓଡିଶାରେ ମହିଳା ଅତ୍ମ୍ୟାଚାର, ଶିଶୁ ଅପହରଣ ଓ ଦୁଷ୍କର୍ମ ଘଟଣା ବଢୁଥିବା ଏନସିଆରବି ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୧୭ ମସିହାରେ ୧୬୨୨ ବାଳିକା ନିଖୋଜ ହୋଇଥିବାବେଳେ ୧୪୭୮ଜଣ ଉଦ୍ଧାର ହୋଇଥିଲେ । ୨୦୨୧ମସିହାରେ ୨୪୫୨ ନିଖୋଜ ହୋଇଥିବାବେଳେ ୧୫୧୨ଉଦ୍ଧାର ହୋଇଛନ୍ତି । ୨୦୧୭ମସିହାରେ ୬୫୩୬ ମହିଳା ନିଖୋଜ ହୋଇଥିବାବେଳେ ୩୬୧୭ ଉଦ୍ଧାର ହୋଇଛନ୍ତ ଓ ୨୦୨୧ରେ ନିଖୋଜ ୭୩୧୬ ହୋଇଥିବା ୧୪୭୫ ଉଦ୍ଧାର ହୋଇଛନ୍ତି । ଓଡିଶାରେ ମହିଳା ନିଖୋଜ ସଂଖ୍ୟା ବଢ଼ିଥିବାବେଳେ ଉଦ୍ଧାର କାର୍ଯ୍ୟ କମିଛି । ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବଢ଼ିବା ସହ ଯୌତୁକ ନିର୍ଯ୍ୟାତନା ୩୨% ବଢ଼ିଛି ଯାହା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀମୟୀ ପଟ୍ଟନାୟକ, ମହିଳା ମୋର୍ଚ୍ଚା ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ ।
