ଧାମନଗର ଉପନିର୍ବାଚନ ପାଇଁ ଶୋକାକୁଳ ପରିବେଶରେ ନାମାଙ୍କନ ପତ୍ର ଦାଖଲ କଲେ ସୂର୍ଯ୍ୟବଂଶୀ ସୁରଜ୍
ବିଷ୍ଣୁ ଭାଇ ଛାଡିଯାଇଥିବା ବିରାଟ ପରିବାରର ସେବା କରିବା ପାଇଁ ସୁରଜ୍ ସଂପୂର୍ଣ୍ଣ ଯୋଗ୍ୟ ଓ ପ୍ରସ୍ତୁତ : ସମୀର ମହାନ୍ତି
ସାମିଲ ହେଲେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ମନମୋହନ ସାମଲ, ଖାରବେଳ ସ୍ୱାଇଁ, ବହୁ ବିଧାୟକ, ଦଳୀୟ ନେତୃବୃନ୍ଦଙ୍କ ସମେତ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨ଟି ବ୍ଲକ, ୪୪ଟି ପଂଚାୟତ ଏବଂ ଧାମନଗର ଏନଏସିର ୧୧ଟି ୱାର୍ଡରୁ ୫ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଓ ସାଧାରଣ ଜନତା
ଭଦ୍ରକ/ଭୁବନେଶ୍ୱର, ତା.୧୧/୧୦: ପୂର୍ବତନ ବିରୋଧୀ ଦଳ ଉପନେତା ତଥା ବରିଷ୍ଠ ବିଜେପି ନେତା ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗରେ ଖାଲି ପଡିଥିବା ଧାମନଗର ଉପନିର୍ବାଚନ ପାଇଁ ଆଜି ଏକ ଶୋକାକୁଳ ପରିବେଶରେ ଦଳୀୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ସୂର୍ଯ୍ୟବଂଶୀ ସୁରଜ ଆଜି ସକାଳେ ନିଜ ପୈତୃକ ଗ୍ରାମ ମଙ୍ଗରାଜପୁରରେ ଥିବା ତାଙ୍କ ପିତା ତଥା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ସମାଧିସ୍ଥଳୀକୁ ଯାଇ ଆଶୀର୍ବାଦ ନେବା ପରେ ମା’ଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ମନମୋହନ ସାମଲ, ଖାରବେଳ ସ୍ୱାଇଁ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସନାତନ ବିଜୁଳି, ଡ.ବୁଧାନ ମୁର୍ମୁ, ଭାସ୍କର ମଢେଇ, ପ୍ରକାଶ ସୋରେନ, ଗଣେଷରାମ୍ ଖୁଂଟିଆ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଅଭିମନୁ୍ୟ ସେଠୀ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ଧଳ, ମାଧବ ମଲ୍ଲିକ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ ପ୍ରମୁଖଙ୍କ ସମେତ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨ଟି ବ୍ଲକ, ୪୪ଟି ପଂଚାୟତ ଏବଂ ଧାମନଗର ଏନଏସିର ୧୧ଟି ୱାର୍ଡରୁ ୫ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଓ ସାଧାରଣ ଜନତା ସ୍ୱତଃପ୍ରଭୁତ ଭାବେ ସାମିଲ ହୋଇଥିଲେ ।
ଦଳୀୟ ପ୍ରାର୍ଥୀ ସୁରଜ୍ଙ୍କ ନାମାଙ୍କନ ପତ୍ର ଦାଖଲ କରିବା ଅବସରରେ ଯୋଗଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏ ଅଂଚଳର ଜନସାଧାରଣଙ୍କର ସେବା କରିଛନ୍ତି ସ୍ୱର୍ଗତଃ ବିଷ୍ଣୁ ଭାଇ । ତାଙ୍କ ଅକାଳ ବିୟୋଗ କାରଣରୁ ଏଭଳି ଏକ ଦୁଃଖଦ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତାମାନେ ନିଜ ନିଜ ମନକୁ ସୁଦୃଢ଼ କରି ନିର୍ବାଚନ ଲଢ଼ିବାର ସାହସ ଯୋଗାଇଛନ୍ତି । ବିଷ୍ଣୁ ଭାଇଙ୍କ ଆବର୍ତମାନରେ ତାଙ୍କ ସୁପୁତ୍ର ତଥା ଦଳୀୟ ପ୍ରାର୍ଥୀ ସୁରଜ୍ ପ୍ରତି ଥିବା ଧାନଗରବାସୀଙ୍କ ଆଜିର ବିପୁଳ ସମର୍ଥନ ଓ ସହାନୁଭୂତି ହିଁ ବିଷ୍ଣୁ ଭାଇଙ୍କ ଲୋକପ୍ରିୟତାକୁ ସ୍ପଷ୍ଟ କରିଛି । ବିଷ୍ଣୁ ଭାଇ ଛାଡିଯାଇଥିବା ବିରାଟ ପରିବାରର ସେବା କରିବା ପାଇଁ ସୁରଜ୍ ସଂପୂର୍ଣ୍ଣ ଯୋଗ୍ୟ ଓ ପ୍ରସ୍ତୁତ । ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ସୁରଜ୍ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଧାମନଗର ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
