ପୂର୍ବତନ ମନ୍ତ୍ରୀ ଓ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ବିଧାୟକ ସ୍ୱର୍ଗତଃ ବରିହାଙ୍କ ବିୟୋଗରେ ସମୀର ମହାନ୍ତିଙ୍କ ଶୋକ
ଭୁବନେଶ୍ୱର, ତା.୦୩/୧୦: ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ପଦ୍ମପୁରର ବିଜେଡି ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସାରା ଓଡିଶା ସମେତ ଏବଂ ବରଗଡବାସୀଙ୍କ ସ୍ୱାର୍ଥ ପାଇଁ ସଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା ସ୍ୱର୍ଗତଃ ବରିହାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ସ୍ୱର୍ଗତଃ ବରିହାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରାର୍ଥନା କରିଛନ୍ତି ।
ସାମାଜିକ ଓ ରାଜନୈତିକ ଜୀବନରେ ସ୍ୱର୍ଗତଃ ବରିହା କରିଥିବା ଉଲ୍ଲେଖନୀୟ କାର୍ଯ୍ୟଗୁଡିକ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ବରିହା(୬୪)ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତଃ ବରିହାଙ୍କ ମୃତୁ୍ୟ ପରେ ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେହିପରି ବିଧାୟକ ସ୍ୱର୍ଗତଃ ବରିହାଙ୍କ ବିୟୋଗରେ ବିରୋଧୀ ଦଳର ନେତା ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଜୟନାରାୟଣ ମିଶ୍ର ଶୋକ ପ୍ରକାଶ କରିଛନ୍ତି ।
