‘ବୈତରଣୀ ନଦୀ ଓ ମୃଗା ନାଳ’ ପାଣିକୁ ପ୍ରଦୂଷିତ କରୁଛି ଜିନ୍ଦଲ କମ୍ପାନୀ ନଦୀ ପ୍ରଦୁ୍ୟଷଣ ପାଇଁ ରାଜ୍ୟ ସରକାର ଦାୟୀ : ମହେଶ୍ୱର ସାହୁ
ନଦୀଜଳ ପ୍ରଦୂଷଣ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି
ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ କରାଯିବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ
ଭୁବନେଶ୍ୱର, ତା.୨୨/୦୯: ନଦୀର ସୁରକ୍ଷା ଓ ପ୍ରଦୂଷିତ ମୁକ୍ତ କରିବା ଲାଗି ବିଜେପିର ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ରାଜ୍ୟପାଳ ଶ୍ରୀ ଗଣେଶ ଲାଲଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଲେଇପଦାଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଂଟ ଲିମିଟେଡ କାରଖାନାରୁ ନିର୍ଗତ କେମିକାଲ ମିଶା ମଇଳା ପାଣିକୁ କମ୍ପାନୀ ସିଧାସଳଖ ଭାବରେ ମୃଗା ନାଳରେ ଛାଡିଥିବାରୁ ବୈତରଣୀ ନଦୀର ଜଳ ସମ୍ପୂର୍ଣ୍ଣ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି । ମୃଗା ନାଳ ଏବଂ ବୈତରଣୀ ନଦୀର ପାଣିକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ନାନାଦି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ନଦୀଜଳ ପ୍ରଦୂଷଣ କାରଣରୁ ବୈତରଣୀ ନଦୀ ଓ ମୃଗା ନାଳର ଜଳଚର ଜୀବମାନେ ମରି ଯାଉଛନ୍ତି । ନଦୀ ଜଳକୁୁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ପଶୁ ପକ୍ଷୀମାନେ ନାନାଦି ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରୁଛନ୍ତି । ଆହୁରି ମଧ୍ୟ କାରଖାନାର ଏହି ବିଷାକ୍ତ ପାଣିରେ ପାଖ ଆଖ ଅଂଚଳର ଚାଷ ଜମିରେ ଫସଲ ମରି ଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ଜିନ୍ଦଲ କମ୍ପାନୀ ୱାଟର ଟ୍ରିଟିମେଂଟ ପ୍ଲାଂଟ ବସାଇ କାରଖାନାରୁ ନିର୍ଗତ ମଇଳା ପାଣିକୁ ବିଶୋଧନ କରି ପୁନର୍ବାର ସେହି ପାଣିକୁ କାରଖାନାରେ ବ୍ୟବହାର କରିବା କଥା । କିନ୍ତୁ ଜିନ୍ଦଲ କମ୍ପାନୀର ନିର୍ଗତ ମଇଳା ପାଣିକୁ ବିଶୋଧିତ ନକରି ସିଧାସଳଖ ଭାବରେ ମୃଗା ନାଳରେ ଛାଡି ଦେଉଥିବାରୁ ମୃଗା ନାଳ ଓ ବୈତରଣୀ ନଦୀ ଆଜି ସମ୍ପୂର୍ଣ୍ଣ ଭାବରେ ପ୍ରଦୂଷିତ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲକ୍ଷାଧିକ ଲୋକ ଏହି ପାଣି ବ୍ୟବହାର କରି ନାନାଦି ଚର୍ମରୋଗ ଓ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନାରୁ ନିର୍ଗତ ଧୂଳି ଧୂଆଁରେ ଆଖପାଖ ଅଂଚଳରେ ବାୟୁ ମଣ୍ଡଳ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେଉଛି । ଏପରିକି ଗଛଲତା, ଘରଦ୍ୱାର ଧୂଳି ଧୂଆଁରେ ଆସ୍ତରଣ ଜମିଯାଉଛି । ଫଳରେ ଲୋକମାନେ ନାନାଦି ଶ୍ୱାସ ଜନିତ ରୋଗ ଯଥା- ଯକ୍ଷ୍ମା, ଶ୍ୱାସ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମରୁଥିବାର ଦେଖିବାକୁ ମିଳୁଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନାର ଚତୁପାଶ୍ୱର୍ରେ ବୃକ୍ଷ ରୋପଣ କରିବା କଥା କିନ୍ତୁ ବୃକ୍ଷରୋପଣ କରି ନଥିବାରୁ ବାୟୁମଣ୍ଡଳ ଅତ୍ୟଧିଳ ମାତ୍ରାରେ ପ୍ରଦୂଷିତ ହେଉଛି । ନଦୀ ପ୍ରଦୂଷଣ ସମସ୍ୟାର ସମାଧାନ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି ।
ରାଜ୍ୟର ବିଭିନ୍ନ ନଦୀରେ ହେଉଥିବା ପ୍ରଦୁ୍ୟଷଣ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ କରାଯିବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ଉପଦେଷ୍ଟା ଶ୍ରୀ ଯୁଧିଷ୍ଟର ମହାରଣା, ରାଜ୍ୟ ସହସଂଯୋଜକ ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ଶ୍ରୀ ଅଶୋକ କୁମାର ରଥ, ରାଜ୍ୟ କମିଟି ସଦସ୍ୟ ଶ୍ରୀ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
