Odisha news

ରାଜ୍ୟର ଆର୍ଥିକ ଅନିୟମିତତା ସମଗ୍ର ଭାରତବର୍ଷରେ ବିରଳ : ଭୃଗୁ ବକ୍ସିପାତ୍ର

0

 ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡିଛି
 ସିଏଜି ଭଳି ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ସାମାନ୍ୟତମ ସମ୍ମାନ ନାହିଁ
 ରାଜ୍ୟ ସରକାର ବାରମ୍ବାର ଭୁଲକୁ ଦୋହରାଇବା; ଆଇନକାନୁନ ଓ ନିୟମ ଉଲ୍ଲଂଘନ କରାଯିବା; ଧାର୍ଯ୍ୟ ବଜେଟରୁ ଅଧିକ ଖର୍ଚ୍ଚ କରିବା, ଶାସନ ବ୍ୟବସ୍ଥା ଓ ପ୍ଲାନିଂର ଘୋର ଅଭାବ କାରଣରୁ ୧୬୧୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି
 ସମସ୍ତ ନିୟମ ଓ ଆଇନକୁ ଜଳାଞ୍ଜଳୀ ଦେଇ କାଂପା ପାଂଠିରୁ ୨୨୫.୮୪ କୋଟି ଟଙ୍କା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରି ଦଣ୍ଡନୀୟ ଅପରାଧ କରିଛନ୍ତି ରାଜ୍ୟ ସରକାର
 ୩୬୧୯୪ କୋଟି ଟଙ୍କାର ବିନିଯୋଗ ପତ୍ର (ୟୁସି) କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିନାହାନ୍ତି ରାଜ୍ୟ ସରକାର
 ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଂଟ୍ରାକ୍ଟରମାନଙ୍କ ସହଯୋଗରେ ବ୍ୟାପକ ମାତ୍ରାରେ ରାଜସ୍ୱ ଚୋରି ହେଉଛି
 ଓଡିଶାକୁ ଲୁଟିବା ପାଇଁ ସମସ୍ତ ପ୍ରକାରର ବେଆଇନ ଓ ଅନୈତିକ କାର୍ଯ୍ୟ ରାଜ୍ୟ ସରକାର କରୁଛନ୍ତି
 ଷଡଯନ୍ତ୍ର ରଚି ଆର୍ଥିକ ଚଂଚକତା ଓ ଦୁର୍ନୀତିରେ ସଂପୃକ୍ତ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କ୍ଷତି ହୋଇଥିବା ଅର୍ଥକୁ ତାଙ୍କଠାରୁ ଆଦାୟ କରାଯାଉ
 ସିଏଜି ରିପୋର୍ଟରେ ପ୍ରକାଶ ପାଇଥିବା ଆର୍ଥିକ ଅନିୟମିତତା, ବିଶୃଙ୍ଖଳା ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯିବା ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଯିବ

ଭୁବନେଶ୍ୱର, ତା.୦୪/୦୮: ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅପରାଧିକ ଆର୍ଥିକ ଅନିୟମିତତା ପଦାରେ ପଡିଛି । ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହି ରାଜ୍ୟ ସରକାର ଯେଉଁ ଭଳି ଭାବେ ଆର୍ଥିକ ଅନିୟମିତତା କରିଛନ୍ତି, ତାହା କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତବର୍ଷରେ ବିରଳ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ସିଏଜି ରିପୋର୍ଟ ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସମୁଦାୟ ୩୯ଟି ବିଭାଗ ମଧ୍ୟରୁ ରାଜ୍ୟର ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ମୁଖ୍ୟ ୧୨ଟି ବିଭାଗରୁ ଜଙ୍ଗଲ, ପୂର୍ତ ଏବଂ ଜଳସେଚନ ୩ଟି ବିଭାଗକୁ ନେଇ ସିଏଜି ତାଙ୍କ ରିପୋର୍ଟରେ ବିସ୍ତୃତ ଉଲ୍ଲେଖ କରିଛନ୍ତି । ଅତୀତରେ ସିଏଜିଙ୍କ ବାରମ୍ବାର ବାରଣ କରିବା ସତ୍ୱେ ରାଜ୍ୟ ସରକାର ବାରମ୍ବାର ଭୁଲକୁ ଦୋହରାଇବା; ଆଇନକାନୁନ ଓ ନିୟମ ଉଲ୍ଲଂଘନ କରାଯିବା; ଧାର୍ଯ୍ୟ ବଜେଟରୁ ଅଧିକ ଖର୍ଚ୍ଚ କରିବା, ଶାସନ ବ୍ୟବସ୍ଥା ଓ ପ୍ଲାନିଂର ଘୋର ଅଭାବ କାରଣରୁ ବ୍ୟାପକ ମାତ୍ରାରେ ରାଜସ୍ୱ କ୍ଷତି ହୋଇଛି ବୋଲି ସିଏଜି ନିଜ ରିପୋର୍ଟରେ ସିଧାସଳଖ ଉଲ୍ଲେଖ କରିଛନ୍ତି । ମନଇଚ୍ଛା ଏବଂ ମନ୍ଦ ଉଦେ୍ଦଶ୍ୟ ରଖିଥିବା ରାଜ୍ୟ ସରକାର ଏଥିପ୍ରତି କଣ୍ଣର୍୍ପାତ ନକରିବା କାରଣରୁ ୧୬୧୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ସିଏଜି ଭଳି ଏକ ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ରାଜ୍ୟ ସରକାରଙ୍କ ସାମାନ୍ୟତମ ସମ୍ମାନ ନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
୧୯୮୪ ମସିହାରୁ ଜୁନ ୨୦୨୦ ମସିହା ସୁଦ୍ଧା ସିଏଜିଙ୍କ ଦ୍ୱାରା ୩୪୭୩ଟି ଅଭିଯୋଗ ସମାଧାନ ହୋଇନାହିଁ । ଏଥି ମଧ୍ୟରୁ କେବଳ ଗତ ୨୨ ବର୍ଷରେ ୩୨୩୨ଟି ଅଭିଯୋଗର ସମାଧାନ କରିନାହାନ୍ତି । ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ପଡି ରହିଥିବା ୧୩୨୮ଟି ଅଭିଯୋଗର ବିଚାର ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ମୋଦି ସରକାର କାଂପା ପାଂଠି ଜରିଆରେ ବ୍ୟାପକ ଅର୍ଥ ଓଡିଶା ରାଜ୍ୟକୁ ପ୍ରଦାନ କରିଛନ୍ତି । ଏହି ପାଂଠିର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇ ପାରିବ ନାହିଁ । ଏହା ସତ୍ୱେ ସମସ୍ତ ନିୟମ ଓ ଆଇନକୁ ଜଳାଞ୍ଜଳୀ ଦେଇ ଏହି ପାଂଠିରୁ ୨୨୫.୮୪ କୋଟି ଟଙ୍କା ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ଏବଂ ଏହା ଦ୍ୱାରା ରାଜ୍ୟ ସରକାର ଦଣ୍ଡନୀୟ ଅପରାଧ କରିଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କ ଅପାରଗତା ଏବଂ ୟୁସି (ବିନିଯୋଗ ପତ୍ର) ଦାଖଲ କରୁନଥିବା କାରଣରୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ହୋଇନପାରି ଫେରି ଯାଉଛି । ସିଏଜି ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାର ୩୬୧୯୪ କୋଟି ଟଙ୍କାର ବିନିଯୋଗ ପତ୍ର (ୟୁସି) କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି । ସେଥି ମଧ୍ୟରୁ କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ପଂଚାୟତ ବିଭାଗର ୪୦୩ କୋଟି; ସହରାଂଚଳ ଓ ଗୃହ ବିଭାଗର ୩୧୭ କୋଟି, ରାଜସ୍ୱ ବିଭାଗର ୨୧୮ କୋଟି, ଯୋଜନା ବିଭାଗର ୨୧୪ କୋଟି, ଅନୁସୁଚିତ ଜାତି ଓ ଜନଜାତି ବିଭାଗର ୯୦ କୋଟି, ସୂଚନା ଓ ପ୍ରଯୁକ୍ତି ବିଭାଗର ୫୮ କୋଟି, ପର୍ଯ୍ୟଟନ ବିଭାଗର ୧୯ କୋଟି, ଉଚ୍ଚଶିକ୍ଷା ବିଭାଗର ୧୬ କୋଟି, ଗଣଶିକ୍ଷା ବିଭାଗର ୧୪ କୋଟି ଏବଂ ଦକ୍ଷତା ବିଭାଗର ୧୦ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ କରିନାହାନ୍ତି ରାଜ୍ୟ ସରକାର । ଏଥି ପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦରେ ବକେୟା ଅନୁଦାନ ପାଇବାରୁ ବଂଚିତ ହେଉଛି ଓଡିଶା ରାଜ୍ୟ । କେନ୍ଦ୍ରୀୟ ଅନୁଦାନ ଏବଂ ଅର୍ଥର ସଠିକ ବିନିଯୋଗ ନକରି ପାରିବାରୁ ୟୁସି ଦେବାରେ ବିଫଳ ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ କେନ୍ଦ୍ର ଉପରେ ଦୋଷ ଲଦିଦେଇ ଦୋମୁହାଁ ନୀତି ଆପଣାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
କେନ୍ଦୁଝର, ସୁନ୍ଦରଗଡ, ମୟୁରଭଂଜ, କୋରାପୁଟ ଆଦି ଖଣିଜ ସଂପଦ ଜିଲ୍ଲାମାନଙ୍କରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ କଂଟ୍ରାକ୍ଟରମାନଙ୍କ ସହଯୋଗରେ ବ୍ୟାପକ ମାତ୍ରାରେ ରାଜସ୍ୱ ଚୋରି ହେଉଛି । ଚଂଚକତା ଓ ଦୁର୍ନୀତି ଉଦେ୍ଦଶ୍ୟ ରଖିଥିବା ରାଜ୍ୟ ସରକାର ବକ୍ସାଇଟ ଦର ଧାର୍ଯ୍ୟ କରିନପାରିବାରୁ କେବଳ ରାୟଗଡା ଜିଲ୍ଲାରେ ୬୨ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ସିଏଜି ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି । ଓଡିଶାକୁ ଲୁଟିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବେଆଇନ ଓ ଅନୈତିକ କାର୍ଯ୍ୟ ରାଜ୍ୟ ସରକାର କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଯେଉଁ ପ୍ରଶାସନିକ ଅଧିକାରୀମାନେ ଏଭଳି ଷଡଯନ୍ତ୍ର ରଚିବା ସହିତ ଆର୍ଥିକ ଚଂଚକତା ଓ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି, ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କ୍ଷତି ହୋଇଥିବା ଅର୍ଥକୁ ତାଙ୍କଠାରୁ ଆଦାୟ କରାଯିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।
ସିଏଜି ରିପୋର୍ଟରେ ପ୍ରକାଶ ପାଇଥିବା ଏହି ଆର୍ଥିକ ଅନିୟମିତତା, ବିଶୃଙ୍ଖଳା ପ୍ରସଙ୍ଗରେ ସଂସଦରେ ମଧ୍ୟ ଆଲୋଚନା କରାଯିବା ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply