Odisha news

କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ପୋଲିସ ଡିଜିଙ୍କୁ ଭେଟିଲା ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ

0

 ଶାସକ ଦଳ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନଙ୍କ ଲିଙ୍କ୍ ରେ ଅଛନ୍ତି ଦୁଷ୍କର୍ମକାରୀ
 ଶାସକ ଦଳ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ପୋଲିସ ଓ ପ୍ରଶାସନ ଘଟଣାକୁ ଚାପି ଦେଉଛନ୍ତି
 ପୀଡିତା ପରିବାରକୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବ ମହିଳାମୋର୍ଚ୍ଚା
 ଆଦିବାସୀ ନାବାଳିକାଙ୍କ ଇଜ୍ଜତ ସହ ଖେଳ ଖେଳୁଛନ୍ତି ରାଜ୍ୟସରକାର
 ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ପରିବର୍ତେ ଲାଗିଛି ୩୦୬ ଦଫା
 ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
 ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ
 ଶାସକ ଦଳ ଓ ପୋଲିସର ଚାପରେ ଡାକ୍ତର ବାବୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟା ଦର୍ଶାଇଛନ୍ତି

ଭୁବନେଶ୍ୱର,ତା.୦୮/୮: ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରି ପରେ ତାଙ୍କୁ ଏକ ତେନ୍ତୁଳି ଗଛରେ ଓହଲାଇ ଦେଇଥିଲେ । ମୃତା ନାବାଳିକାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ସହ ତାର ଆଭ୍ୟନ୍ତରୀଣ ଅଙ୍ଗରୁ ରକ୍ତ ବାହରୁଥିବାର ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପୋଲିସ ଦେଖିବାକୁ ପାଇଥିଲା । ଏହା ସତ୍ୱେ ଶାସକ ଦଳ ଓ ପୋଲିସର ଚାପରେ ଡାକ୍ତର ବାବୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇଲେ । ଶାସକ ଦଳ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନଙ୍କ ଇଙ୍ଗିତରେ ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ଘଂଟ ଘୋଡାଇ ଚାଲିଛି ।

ଆଦିବାସୀ ନାବାଳିକାଙ୍କ ଇଜ୍ଜତ ସହ ଖେଳ ଖେଳୁଛନ୍ତି ରାଜ୍ୟସରକାର । ଏହାକୁ ଦୃଢ ପ୍ରତିବାଦ କରିବା ସହ ପୋଲିସର ନିଷ୍କ୍ରିୟତା ଓ ପୀଡିତାକୁ ନ୍ୟାୟ ଦେବା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୋଲିସ ମହାନିଦେ୍ର୍ଦଶକଙ୍କ ହସ୍ତକ୍ଷେପ ଲୋଡିଛି ।
ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ଅଭାବନୀୟ ଘଟଣାକୁ ୧୯ ଦିନ ବିତିଥିଲେ ବି ପୋଲିସ ଅପରାଧୀଙ୍କୁ ଗିରଫ କରିନାହିଁ । ଆଦିବାସୀ ନାବାଳିକା ସହ ପ୍ରଥମେ ଗଣଦୁଷ୍କର୍ମ ଏବଂ ପରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ।

ଘଟଣାର ପାରିପାଶ୍ୱିକ ପରିସ୍ଥିତିରୁ ସ୍ପଷ୍ଟ ଜଣାପଡୁଥିଲା କି, ଏହି ଘଟଣାରେ ୫/୬ ଜଣଙ୍କର ସଂପୃକ୍ତି ରହିଛି । ଏହି ଘଟଣାକୁ ଅତି ଗୁରୁତର ଭାବେ ନେଇ ତଦନ୍ତ କରିବା ପାଇଁ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ ସ୍ଥାନୀୟ ବିଧାୟିକାଙ୍କ ଚାପରେ ପୋଲିସ ଚୁପ୍ ରହିଛି । କେବଳ ଲୋକଦେଖାଣିଆ ପାଇଁ ଗୋଟିଏ ଯୁବକକୁ ଉଠାଇ ତା ନାଁରେ ୩୦୬ ଦଫା ( ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇବା ) ଲଗାଇ ଗିରଫ କରି ଚୁପ୍ ବସିଛି । ନା ତଦନ୍ତ ହେଉଛି ନା ଅପରାଧୀଙ୍କୁ ଧରିବା ପାଇଁ ପୋଲିସ କୌଣସି ରଣନୀତି ଆପଣାଇଛି । ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ପରିବର୍ତେ ୩୦୬ ଦଫା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

କୋଟପାଡର ବିଧାୟିକା ତଥା ହସ୍ତତନ୍ତ୍ର ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଜଣେ ମହିଳା ହୋଇ ମଧ୍ୟ ନିଜ ଅଂଚଳରେ ଘଟିଥିବା ଏପରି ଏକ ଅମାନବୀୟ ଘଟଣାରେ ନା ମୁହଁ ଖୋଲିଲେ ନା ମୃତା ପରିବାର ଲୋକଙ୍କୁୁ ସମବେଦନା ଦେବାକୁ ପହଂଚିଥିଲେ । ତାଙ୍କ ସ୍ୱାମୀ ପୋଲିସ ବିଭାଗର କର୍ମଚାରୀ ହୋଇଥିବାରୁ ଅପରାଧୀମାନଙ୍କୁ ଗିରଫ କରାଯାଉ ନାହିଁ । ଅପରାଧୀମାନେ ମନ୍ତ୍ରୀଙ୍କ ସଂପର୍କରେ ଅଛନ୍ତି । ଶାସକ ଦଳ ଲିଙ୍କ ଏବଂ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକାଙ୍କ ସ୍ୱାମୀ ପୋଲିସରେ ଥିବାରୁ ଅପରାଧୀମାନେ ଖୁଲୁମଖୁଲା ଅପରାଧ କରୁଛନ୍ତି । ରାଜ୍ୟସରକାର ଗୋଟିଏପଟେ ମହିଳା ସୁରକ୍ଷା ନେଇ ଲମ୍ବା ଭାଷଣ ବାଜି କରୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ମନ୍ତ୍ରୀ ଏବଂ ଗୃହ ବିଭାଗର କର୍ମଚାରୀ ଦୁଷ୍କର୍ମକାରୀଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ବିନା କୈଣସି ଚାପେରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରି ସଠିକ୍ ଓ ନିର୍ଭୁଲ ଶବବ୍ୟବଚ୍ଛେଦ ରିପୋର୍ଟକୁ ସାର୍ବଜନୀନନ କରି ଏ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ପ୍ରତିନିଧୀ ଦଳ ଡିଜିଙ୍କ ଆଗରେ ଦାବୀ ରଖିଛି । ସମସ୍ତ ଅଭିଯୋଗ ଶୁଣିବା ପରେ ଡିଜି ଏ ଦିଗରେ ସଠିକ୍ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।  ଆଗାମୀ ଦିନରେ ପୀଡିତାକୁ ନ୍ୟାୟ ନମିଳିଲେ ମହିଳାମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Nalco
Leave A Reply