ଚିଲିକା ବ୍ଲକ ପଛପଟୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପଡିଥିବା ସଂପର୍କିତ ଖବରର ତଦନ୍ତ ପାଇଁ ଥାନାରେ ଏତଲା , ଗରିବ ହିତାଧିକାରୀଙ୍କ ଅଧିକାରକୁ ବଳି ପକାଉଛି ଜିଲ୍ଲା ପ୍ରଶାସନ:ବିଜେପି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁୁ ପକ୍କା ଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀ ମାନେ ଘରେ ଖଣ୍ଡେ ପାଇବାରୁ ବଂଚିତ ହେଉଛନ୍ତି । ସାରା ରାଜ୍ୟରେ ବିଜେଡିର ଏଜେଂଟ ମାନେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦-୨୫ ହଜାର ଟଙ୍କାର ଲାଂଚ ନେଇ ଗରିବ ଖଟିକିଆ ଲୋକଙ୍କୁ ତାଲିକାଭୃକ୍ତ କରୁଛନ୍ତି । ବିଜେପି ଏହାକୁ ପ୍ରତିବାଦ କରିବାରୁ ଅନେକ ସ୍ଥାନରେ ବ୍ଲକ ମାନଙ୍କରେ ଯୋଗ୍ୟ ହିତାଧିକାରୀଙ୍କର ଦରଖାସ୍ତ ଆହ୍ୱାନ କରି ଆବେଦନ ବାକ୍ସ ବସାଇଥିଲେ ମଧ୍ୟ ଏଯାବତ ଦରଖାସ୍ତ ଦେଇଥିବା ଲୋକଙ୍କ ସମସ୍ୟା ରାଜ୍ୟ ସରକାର ସମାଧାନ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ କିଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୋହିନୀ ମୋହନ ବଳିଆରସିଂହଙ୍କ ନଜରରେ ଆସିଲା ଯେ, ଅନେକ ଗୁଡିଏ ପିଏମଏୱାଇ ଆବେଦନ ପତ୍ର ବ୍ଲକ ଅଫିସ ପଛପଟ ପଡିଆରେ ଫୋପଡା ହୋଇଛି ଏବଂ କିଛିରେ ଅଗ୍ନି ସଂଯୋଗ ମଧ୍ୟ କରାଯାଇଛି । ଏ ବାବଦରେ ସେମାନେ ବ୍ଲକର ଅଧିକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ କୌଣସି ସନ୍ତୋଷଜନକ ଉତର ମିଳିଲା ନାହିଁ । ସ୍ୱେଚ୍ଛାସେବୀ ମୋହିନୀ ମୋହନ ବଳିଆରସିଂହ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଗରିବ ଲୋକଙ୍କ ଅଧିିକାରକୁ ବଳି ପକାଉଛି । ଥାନା ଅଧିକାରୀ ଏହି ଘଟଣାର ତଦନ୍ତ କରି ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।
ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ଚିଲିକା ବ୍ଲକରେ ହୋଇନାହିଁ ବରଂ ଓଡିଶାର ସମସ୍ତ ୩୧୪ ବ୍ଲକ ଓ ମୁ୍ୟନିସପାଲିଟି ମାନଙ୍କରେ ହେଉଥିବାର ଏକ ପ୍ରାମାଣିକତା ଦିଗକୁ ହିଁ ଦର୍ଶାଉଛି । ରାଜ୍ୟର ଗରିବ ଲୋକଙ୍କ ସହ ଚଂଚକତା କରିବା, ତାଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବାଟମାରଣା କରିବା ଏବଂ ରାଜନୈତିକ ଆକ୍ରୋଶରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାଭୃକ୍ତ ନକରିବା ଓଡିଶା ସରକାରଙ୍କ ପ୍ରାଥମିକତା ହେବା ଆରମ୍ଭ କରିଛି । ଏହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାର ଗରିବ ଲୋକଙ୍କ ପାଇଁ ପଠାଉଥିବା ପ୍ରତିଟି ପଇସାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚାଇବାକୁ ବିଜେପିର ପ୍ରତିଟି କାର୍ଯ୍ୟକର୍ତା ଚୌକିଦାରର ଭୂମିକା ନିଭେଇବେ ।
