ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି
ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି
ସିଏଏ ଦ୍ୱାରା ଭାରତ କିମ୍ବା ବାଲେଶ୍ୱରଠାରେ ରହୁଥିବା କୌଣସି ମୁସଲମାନ ଭାଇ ଭଉଣୀଙ୍କର ନାଗରିକତା ଯିବନି
ବାଲେଶ୍ୱର/ଭୁବନେଶ୍ୱର,ତା.୧୭/୦୨: ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି । ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି । ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ବାଲେଶ୍ୱରଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ୩୧ଡିସେମ୍ବର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ଏହି ଆଇନ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ଦଳକୁ ଆହ୍ୱାନ ଦେଇଥିଲେ । କିନ୍ତୁ ବିରୋଧୀ ତାହା ନକରି ରାଜରାସ୍ତାରେ ଜନତାଙ୍କୁ ବିଭ୍ରାନ୍ତି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି । ସିଏଏ କୁ କିଭଳି ବିରୋଧୀ ଅସାମ୍ବିଧାନିକ ବୋଲି କହୁଛନ୍ତି ତାହା ସ୍ପଷ୍ଟ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି । ‘ସବକା ସାଥ – ସବକା ବିକାଶ -ସବକା ବିଶ୍ୱାସ’ର ମୂଳମନ୍ତ୍ରକୁ ଆଧାର କରି ମୋଦି ସରକାର ଦେଶକୁ ବିକାଶର ପଥରେ ଆଗେଇ ନେଇ ଚାଲିଛନ୍ତି । ତିନ ତଲାକ ଆଇନ ଆଣିବା, ୩୦୭ ଏବଂ ୩୫(କ) ଧାରା କାଶ୍ମିରୀରୁ ଉଠାଇବା, ରାମ ମନ୍ଦିର ନିର୍ମାଣ ଏବଂ ଏବେ ନାଗରିକତା ସଂଶୋଧନ ଆଇନ ଆଣି ଦେଶ ସୁରକ୍ଷା ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶରଣାର୍ଥୀମାନଙ୍କୁ ସୁରକ୍ଷା ଯୋଗାଇଦେବା ଏବଂ ନାଗରିକତା ପ୍ରଦାନ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ତିଆରି ହୋଇଛି । ଦେଶ ବିକାଶ ପଥରେ ଦୌଡୁଥିବା ବେଳେ ବିରୋଧୀ ମାନେ ହତାଶ ହୋଇପଡିଛନ୍ତି । ଏହି ଆଇନ ସଂପର୍କରେ ପ୍ରତି ଗ୍ରାମରେ ଜନସଚେତନତା ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ଟେକ୍ନିକାଲ ପଡିଆରୁ ବାହାରି କଚେରୀ ଛକ, ଫକୀର ମୋହନ ଛକ, ଷ୍ଟେସନ ଛକ, ମେଡିକାଲ ଛକ ଦେଇ ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ସମାବେଶ ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବାଲେଶ୍ୱର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବଡସାହି ବିଧାୟକ ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡା, ରଘୁନାଥ ମହାନ୍ତି, ରାକେଶ ମଲ୍ଲିକ, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ଅଂଶୁମାନ ମହାନ୍ତି, ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସଙ୍କ ସମେତ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।