୨୮ ଅପରାହ୍ନରେ ଭୂବନେଶ୍ୱରଠାରେ ଅନୁଷ୍ଠିତ ‘ନାଗରିକତା ସଂଶୋଧନ ଆଇନ’ ସଂପର୍କିତ ଏକ ବିଶାଳ ଜନସଭାକୁ ଉଦ୍ବୋଧନ କରିବେ ଶ୍ରୀ ଶାହା
୨୯ରେ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଭୂବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା
ଭୁବନେଶ୍ୱର,ତା.୧୬/୦୨: ଚଳିତ ମାସ ୨୮ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା । ୨୮ ତାରିଖ ଅପରାହ୍ନରେ ଶ୍ରୀ ଶାହା ଭୂବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ‘ନାଗରିକତା ସଂଶୋଧନ ଆଇନ’ ସଂପର୍କିତ ଏକ ବିଶାଳ ଜନସଭାକୁ ଉଦ୍ବୋଧନ କରିବେ । ଶ୍ରୀ ଶାହା ୨୮ ତାରିଖ ଭୂବନେଶ୍ୱରଠାରେ ରାତ୍ରଯାପନ କରିବେ । ୨୯ ତାରିଖ ଦିନ ଶ୍ରୀ ଶାହା ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ଏହା ପରେ ଶ୍ରୀ ଶାହା ଭୂବନେଶ୍ୱରଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସୁଚନା ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ ବିଲ୍ ପାରିତ ହେବା ପରେ ଜାନୁଆରୀ ୫ ତାରିଖରୁ ଦେଶବ୍ୟାପୀ ଏହି ଆଇନ ସଂପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଛି । ରାଜ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଟକଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ସମ୍ବଲପୁରଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ଜୟପୁରଠାରେ ସାଂସଦ ରୁପା ଗାଙ୍ଗୁଲି ଯୋଗଦାନ କରି ଏହି ଆଇନ ସଂପର୍କରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ରାଲି ଏବଂ ବିଶାଳ ଜମସମାବେଶ କରାଯାଇଛି । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଇଛି । ଏହା ସହ ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ସହ ଘରକୁ ଘର ଯାଇ ସିଏଏ ସଂପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି । ରାଜ୍ୟର ୧୦୦୪ ମଣ୍ଡଳର ୩୭୦୦୦ ବୁଥରୁ କାର୍ଯ୍ୟକର୍ତାମାନେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିପେକ୍ଷୀରେ ଆସନ୍ତା ୨୮ ତାରିଖ ଦିନ ଭୂବନେଶ୍ୱରଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।