ଧାନ କିଏ କିଣୁଛି ? ସରକାର ନା ମିଲର୍ସ !, ସ୍ପଷ୍ଟୀକରଣ ଦିଅନ୍ତୁ ରାଜ୍ୟସରକାର
କାଳିଆର ୨ ହଜାର ଟଙ୍କା ଦେଲେ ଚାଷୀଙ୍କୁ “ଏପ୍ରିଲ ଫୁଲ” କଲେ ସରକାର
ଟୋକନ ଲାପ୍ସ : ମଣ୍ଡିରେ ମିଲର୍ସ କାଟୁଛି ୫ କେଜି
ବହୁ ଚାଷୀଙ୍କ ଟୋକନରେ ୧ କ୍ୱିଂଟାଲ, ୨ କ୍ୱିଂଟାଲ, ୩ କ୍ୱିଂଟାଲ ବିକ୍ରି ପାଇଁ ଅନୁମତି
ଧାନ ବିକ୍ରି ପାଇଁ ତୁରନ୍ତ ସମୀକ୍ଷା ବୈଠକ ଡାକନ୍ତୁ ମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର, ତା.୨୯/୦୫: ଗତ ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଏହି କାରଣରୁ ଅନ୍ୟ କୈାଣସି ଉପାୟ ନପାଇ ବର୍ତମାନ ଖୋଲା ବଜାରରେ ମାତ୍ର ୧୦୦୦ ଟଙ୍କା ପ୍ରତି କ୍ୱିଂଟାଲରେ ଧାନ ବିକ୍ରୀ କରିବା ପାଇଁ ଚାଷୀ ବାଧ୍ୟ ହେଉଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ତନ୍ମ ମଧ୍ୟରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଭାଗଚାଷୀଙ୍କ ଟୋକନ ଲାପ୍ସ ହୋଇ ସାରିଲାଣି । ମିଲର୍ସମାନଙ୍କ ଉପରେ ରାଜ୍ୟସରକାରଙ୍କ ନିୟନ୍ତ୍ରଣ ନଥିବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଉଛନ୍ତି ଏବଂ ପ୍ରତି କ୍ୱିଂଟାଲରେ ୫ ରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି । ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ପୁରୋହିତ୍ ଦାବୀ କରିଛନ୍ତି ।
ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ଡିପ୍ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ୱିଂଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ୮୦ ପ୍ରତିଶତ ଡିପ୍ ବୋରୱେଲ ଚାଷୀଙ୍କ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କ୍ୱିଂଟାଲ, ୨ କ୍ୱିଂଟାଲ, ୫ କ୍ୱିଂଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡା ଆଦି ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଚାଷୀଙ୍କୁ କାଳିଆ ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରି “ଆପଣମାନେ ଖୁସି ତ !” କହି ଚାଷୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ “ଏପ୍ରିଲ ଫୁଲ୍” କରି ଦେଲେ ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି ।
ୟଶ୍ ବାତ୍ୟା ଟଳିଯିବା ପରେ ବର୍ତମାନ ଚାଷୀମାନଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ହୋଇ ରାଜ୍ୟରେ ଠିଆ ହୋଇଛି । ଯଦି ପ୍ରକୃତରେ ଚାଷୀପ୍ରତି ଓଡିଶା ସରକାରଙ୍କ ଦରଦ ଅଛି, ତେବେ ମୁଖ୍ୟମନ୍ତ୍ରୀ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରନ୍ତୁ ଏବଂ ଧାନ କିଣାବିକାରେ ଶୋଷିତ ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରିବାକୁ ଶ୍ରୀ ପୁରୋହିତ୍ ମୂଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।

Comments are closed.