କନ୍ଦରପୁର ଥାନା ନିମେଇସାପୁରରେ ମାନସିକ ବିକାରଗ୍ରସ୍ତ ନାବାଳିକା ଦୁଷ୍କର୍ମ ଘଟଣାର ସରଜମିନ ତଦନ୍ତ କରି ଫେରିଲା ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ , ପୀଡିତାକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ : ମହିଳାମୋର୍ଚ୍ଚା
ପୋଲିସ ଶାସକ ଦଳ ଚାପରେ ସମ୍ବେଦନହୀନ ହୋଇ ପୀଡିତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ନଥିଲା
ସ୍ଥାନୀୟ ବିଧାୟକ ଏବଂ ସରପଂଚ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡିତାକୁ ଦେଖା ନକରିବା ଅତ୍ୟନ୍ତ ନିନ୍ଦନୀୟ
ପୋଲିସର ଏଭଳି ବେପରୁଆ ମନୋଭାବ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ମେଡିକୋ ଲିଗାଲ କେସର ପୁଲିସର ସୁପାରିଶ ନଥିବାରୁ ଏସସିବି ମେଡିକାଲର ଡାକ୍ତରମାନେ ପୀଡିତାର ଚିକିତ୍ସା ଉପରେ ଗୁରୁତ୍ୱ ଦେଇନଥିଲେ
କନ୍ଦରପୁର ଅଂଚଳକୁ ଅପରାଧୀ ମୁକ୍ତ କରାଯାଉ
ଭୁବନେଶ୍ୱର ତା.୨୫/୦୩: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି । କନ୍ଦରପୁର ଥାନା ନିମେଇସାପୁରରେ ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା । ପୀଡିତା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତାକୁ ସମସ୍ତ ସହଯୋଗ ଯୋଗାଇବା ପରିବର୍ତେ ଚୁୁପ୍ ବସିଛି । ପୁଲିସର ଏଭଳି ଆଭିମୁଖ୍ୟ କାରଣରୁ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଇ ଚାଲିଛନ୍ତି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଜି ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପୀଡିତାର ଗାଁ କୁ ଯାଇ ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହ ଘଟଣାର ସରଜମିନ ତଦନ୍ତ କରି ଫେରିଛି । ପ୍ରତିନିଧୀ ଦଳ ପୀଡିତା ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ କନ୍ଦରପୁର ଥାନା ଅଧିକାରୀଙ୍କ ସହ ଦୁଷ୍କର୍ମ ସଂପର୍କରେ ଆଲୋଚନା କରି ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ନାବାଳିକା ପୀଡିତାକୁ ଦୁଷ୍କର୍ମ କରାଯିବା ପରେ ମେଡିକୋ ଲିଗାଲ କେସର ପୁଲିସର ସୁପାରିଶ ନଥିବାରୁ ଏସସିବି ମେଡିକାଲର ଡାକ୍ତରମାନେ ପୀଡିତାର ଚିକିତ୍ସା ଉପରେ ଗୁରୁତ୍ୱ ଦେଇନଥିଲେ । ପୋଲିସ ମଧ୍ୟ ଶାସକ ଦଳ ଚାପରେ ସମ୍ବେଦନହୀନ ହୋଇ ପୀଡିତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ନଥିଲା । ଅନ୍ୟପଟେ ଏଯାବତ୍ ପୀଡିତା ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇନାହିଁ । ସ୍ଥାନୀୟ ବିଧାୟକ ଏବଂ ସରପଂଚ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜର ଉପସ୍ଥିତି ଜାହିର କରୁଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୀଡିତାକୁ ଦେଖା ନକରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର ଆକ୍ଷେପ କରି କହିଛନ୍ତି ।
ତୁରନ୍ତ ଜିଲ୍ଲା ପ୍ରସାଶନ ପକ୍ଷରୁ ପୀଡିତା ନାବାଳିକାକୁ କ୍ଷତିପୂରଣ ଦେବା ସହ ପୀଡିତାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉ । ପୋଲିସର ଏଭଳି ବେପରୁଆ ମନୋଭାବ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସ୍ଥାନୀୟ ଅଂଚଳର କିଛି ଖଳ ପ୍ରକୃତିର ଲୋକ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ରହୁଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି କନ୍ଦରପୁର ଅଂଚଳକୁ ଅପରାଧୀ ମୁକ୍ତ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ପ୍ରତିନିଧୀ ଦଳ ଆଲୋଚନା କରିଥିଲା ।
ଏହି ପ୍ରତିନିଧୀ ଦଳରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ, ଇତିଶ୍ରୀ ଜେନା, ମହିଳା ମୋର୍ଚ୍ଚା କଟକ ଜିଲ୍ଲା ସଭାନେତ୍ରୀ ପ୍ରବୀଣା ମହାପାତ୍ର , କଟକ ସଦର ଜିଲ୍ଲା ସଭାନେତ୍ରୀ ଯାଜ୍ଞସେନୀ ଜେନା ଏବଂ ପ୍ରତିଭା ଶତପଥୀ ପ୍ରମୁଖ ସାମିଲ ଥିଲେ ।
Comments are closed.