Odisha news

ଆନ୍ଧ୍ର- ଓଡିଶା ସୀମାନ୍ତବର୍ତୀ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲେ ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା : ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ଅନୁରୋଧ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର, ତା.୧୨/୦୨: ରାଜ୍ୟ ସଭାପତି ଏବଂ ବିରେଧୀ ଦଳ ନେତା ପ୍ରଥମେ କୋଟିଆ ଏବଂ ପରେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତୀ ଗାଁ ଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଗ୍ରାମବାସୀଙ୍କ ସହ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ । କୋଟିଆ ପରେ ଆଜି ବିଜେପି ନେତୃବୃନ୍ଦ ଗଜପତି ଜିଲ୍ଲା ଏବଂ ଗଂଜାମ ଜିଲ୍ଲାର ବିଭିନ୍ନ ସୀମାନ୍ତବର୍ତୀ ଅଂଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆନ୍ଧ୍ର କରୁଥିବା ପଂଚାୟତ ନିର୍ବାଚନରେ ସାମିଲ ନହେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି ।
ସୀମାନ୍ତବର୍ତୀ ଅଂଚଳରେ ଆନ୍ଧ୍ର ପ୍ରଦେଶର କିଛି ସରକାରୀ ଅଫିସର ଲୋକମାନଙ୍କୁ ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଥିଲା । ବିଜେପି ପ୍ରତିନିଧୀ ଦଳକୁ ଦେଖିବା ପରେ ଭୟଭୀତ ହୋଇ ଆନ୍ଧ୍ର ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଏହି ଅବସରରେ ବିଜେପି ନେତୃବୃନ୍ଦ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ଓଡିଶାର ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଦୀର୍ଘ ଦିନ ଧରି ସୀମା ବିବାଦ ଚାଲିଥିବାବେଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ପଡୋଶୀ ଆନ୍ଧ୍ର ସୀମାନ୍ତବର୍ତୀ ଗାଁ ଗୁଡିକରେ ନିର୍ବାଚନ କରିବା ପାଇଁ ସାହସ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମନୋରଂଜନ ଧ୍ୟାନ ସାମନ୍ତରାୟ, ରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.