Odisha news

ରେଳ ବଜେଟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୩୬,୧୦୭ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି

0

ଭୁବନେଶ୍ୱର,୦୪/୦୨: କେନ୍ଦ୍ରୀୟ ରେଳ ବଜେଟ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଛି । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା । ମୋଦି ସରକାର ସମୟରେ ବର୍ତମାନ ସୁଦ୍ଧା ଓଡିଶାକୁ ରେକର୍ଡ ପରିମାଣ ୩୬,୧୦୭ କୋଟି ଟଙ୍କାର ଅନୁଦାନ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ଗତ ବର୍ଷ ୫୨୦ କୋଟି ଅର୍ଥ ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ପ୍ରକଳ୍ପ ପାଇଁ ୧୦୦୦.୫୦ କୋଟି ବ୍ୟୟ ବରାଦ ହୋଇଛି ,ଯାହାକି ୯୨.୪ ପ୍ରତିଶତ ଅଧିକା । ବଂଶପାଣି-ଦୈତାରୀ-ତୋମକା-ଜାଖପୁରା ଦୋହରୀକରଣ ରେଳ ଲାଇନ ପାଇଁ ଗତ ବର୍ଷ ୮୦କୋଟି ଟଙ୍କା ଅନୁଦାନ ମିଳିଥିବା ସମୟରେ ଚଳିତବର୍ଷ ୨୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି,ଯାହାକି ୧୮୫ ପ୍ରତିଶତ ଅଧିକା ।

ବୃନ୍ଦାମାଳ-ଝାରସୁଗୁଡା ପ୍ଲାଏ ଓଭର ପାଇଁ ୨୦କୋଟି, ଭଦ୍ରକ – ନିଙ୍ଗୁଣ୍ଡି ତୃତୀୟ ରେଳ ଲାଇନ ପାଇଁ ୨୨୯ କୋଟି, ବୁଢାପଙ୍କ-ଶାଳଙ୍ଗା ପାଇଁ ୨୧୫ କୋଟି, ରାଉରକେଲା – ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି, ନାରାୟଣଗଡ- ଭଦ୍ରକ ତୃତୀୟ ଲାଇନ ପାଇଁ ୨୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ରେଳ ଯାତ୍ରୀଙ୍କ ସୁବିଧା ପାଇଁ ୪୨୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply