Odisha news

ରାଜ୍ୟରେ ଶାସନ କରୁଛି ହୃଦୟହୀନ ସରକାର:ପ୍ରଦୀପ ପୁରୋହିତ

0

 ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ୫୨ ବର୍ଷର ଚାଷୀ ଦିବ୍ୟ କୁମାର ସାହୁଙ୍କ ହୃଦଘାତରେ ମୃତୁ୍ୟ
 ସ୍ୱର୍ଗତଃ ସାହୁଙ୍କୁ ଗଭୀର ଶ୍ରଦ୍ଧାଜଂଳୀ ଜଣାଇଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
 ସ୍ୱର୍ଗତଃ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ୧ ଶହ କ୍ୱିଂଟାଲ ଧାନ ମାଣ୍ଡୋସିଲ ମଣ୍ଡିରେ ବିକ୍ରି ପାଇଁ ଜମା ଦେଇଥିଲେ ମଧ୍ୟ ମିଲର୍ସ ଧାନ ଉଠାଇ ନଥିଲେ
 ପଦମପୁର ଉପଖଣ୍ଡରେ ପ୍ରତି ମଣ୍ଡିରେ ୧ ମାସ ହେଲା ଲକ୍ଷ ଲକ୍ଷ ଧାନ ବସ୍ତା ପଡିରହିଛି
 ମିଲର୍ସମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଦରଦହୀନ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ସ୍ୱର୍ଗତଃ ଦିବ୍ୟ କୁମାର ସାହୁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି

ଭୁବନେଶ୍ୱର,ତା.୨୦/୦୧: ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ୫୨ ବର୍ଷର ଚାଷୀ ଦିବ୍ୟ କୁମାର ସାହୁ ହୃଦଘାତରେ ମୁତୁ୍ୟବରଣ କରିଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ଡୋସିଲ ଧାନମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତଃ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ସ୍ୱର୍ଗତଃ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ୧ ଶହ କ୍ୱିଂଟାଲ ଧାନ ମାଣ୍ଡୋସିଲ ମଣ୍ଡିରେ ବିକ୍ରି ପାଇଁ ଜମା ଦେଇଥିଲେ । ମାଣ୍ଡୋସିଲ ମଣ୍ଡିରେ ପାଖାପାଖି ୬୦ ହଜାର ଧାନବସ୍ତା ପଡି ରହିଥିବାବେଳେ ମିଲର୍ସମାନେ ଧାନ ଉଠାଉ ନଥିବାରୁ ବାରମ୍ବାର ମଣ୍ଡିକୁ ଦୌଡି ଦୌଡି ଶ୍ରୀ ସାହୁ ହତାଶ ହୋଇଯାଇଥିଲେ । ଶେଷରେ ଆଜି ଚାଷୀ ଦିବ୍ୟ କୁମାର ସାହୁଙ୍କ ହୃଦଘାତରେ ମୃତୁ୍ୟ ହେବା ଘଟଣାଚାଷୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ଶ୍ରଦ୍ଧାଜଂଳୀ ସଭାରେ ପୂର୍ବତନ ବିଧାୟକ ତଥା କୃଷକମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଉପସ୍ଥିତ ରହି ସ୍ୱର୍ଗତଃ ସାହୁଙ୍କୁ ଗଭୀର ଶ୍ରଦ୍ଧାଜଂଳି ଦେବା ସହ ରାଜ୍ୟରେ ଏକ ହୃଦୟହୀନ ସରକାର ଶାସନ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ ।
ପଦମପୁର ଉପଖଣ୍ଡରେ ପ୍ରତି ମଣ୍ଡିରେ ୧ ମାସ ହେଲା ଲକ୍ଷ ଲକ୍ଷ ଧାନ ବସ୍ତା ପଡିରହିଛି । ଧାନ ବିକ୍ରି ହେଉ ନଥିବାରୁ ଚିକିତ୍ସା, ଟ୍ରାକ୍ଟର ମାନଙ୍କ କିସ୍ତି ଶୁଝିବା, ପୁଅ ଝିଅ ମାନଙ୍କ ପଢା ଖର୍ଚ୍ଚ, ବିଜୁଳୀ ବିଲ୍ ଦେବା କ୍ଷେତ୍ରରେ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ଧାନରୁ ୮ରୁ ୯ କେଜି ପର୍ଯ୍ୟନ୍ତ କଟନୀ ଛଟନୀ, ଧାନ ଅଖା, ସୁତୁଲୀ, ଯାତାୟତ ଖର୍ଚ୍ଚ ନାଁରେ ମିଲର୍ସମାନେ ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ମାଲାମାଲ ହେଉଛନ୍ତି । ମିଲର୍ସମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଦରଦହୀନ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଧାନମଣ୍ଡିରେ ଅନୁଷ୍ଠିତ ଶ୍ରଦ୍ଧାଜଂଳୀ ସଭାରେ ଚାଷୀ ମହମ୍ମଦ ହନିଫ୍, ରାଧା ମୋହନ ପୁରୋହିତ, ଚନ୍ଦ୍ର ଶେଖର ମାଝୀ, ରୋହିତ କୁମାର ଦଣ୍ଡସେନା, ରାମକୃଷ୍ଣ ସାହୁ, ଲବାଙ୍ଗ ରଣା, ଦୁଃଶାସନ କୁମ୍ଭାର, କୁଳମଣି ବେହେରା, ଲଳିତ ଜଗତ, ସୁବାଷ ହଂସ, ତରଣୀ ଷଡଙ୍ଗୀ, କାହ୍ନୁ ସାହୁ, ନିତ୍ୟାନନ୍ଦ ପ୍ରଧାନ, ପ୍ରକାଶ ନାୟକ, ସୁରେଶ ଦଣ୍ଡସେନା, ସନ୍ତୋଷ ରଣା, ପର୍ଶୁରାମ ରଣା ଆଦି ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ସମସ୍ତ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ । ଶ୍ରଦ୍ଧାଜଂଳୀ ସଭା ପରେ ଶ୍ରୀ ପୁରୋହିତଙ୍କ ସମେତ ସମସ୍ତ ଚାଷୀ ସ୍ୱର୍ଗତଃ ଦିବ୍ୟ କୁମାର ସାହୁଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Nalco
Leave A Reply