କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପିି ଅଫିସ ଘେରାଉ କଲା ବିଜେପି
କଟକ/ଭୁବନେଶ୍ୱର : ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି। କିନ୍ତୁ ପୁଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ପୁଲିସ ମୁଖ୍ୟାଳୟ ଘେରିଛି ବିଜେପି ।
ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ବିଜେପି ନେତା କୁଳମଣି ବରାଳ ସବୁବେଳେ ପ୍ରତିବାଦ କରିଆସୁଥିଲେ। ଏହି କାରଣରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଷଡଯନ୍ତ୍ର କ୍ରମେ ତାଙ୍କର ଏକାନ୍ତ ଅନୁଗତ ପୂର୍ବ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଓ ସରପଂଚଙ୍କ ସ୍ୱାମୀ ପ୍ରଫୁଲ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡିର କିଛି କାର୍ଯ୍ୟକର୍ତା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ। ମୃତ୍ୟୁ ପୂର୍ବରୁ କୁଲମଣି ବରାଳ ଓ ଦିବ୍ୟସିଂହ ବରାଳ ମୃତ୍ୟୁକାଳୀନ ଜମାନବନ୍ଦୀରେ ଆକ୍ରମଣକାରୀଙ୍କ ନାମ ପରିବାର ଲୋକଙ୍କୁ ଜଣାଇଥିଲେ। ସେହି ଜମାନବନ୍ଦୀ ଆଧାରରେ କୁଳମଣି ବରାଳଙ୍କ ପୁଅ ଥାନାରେ ଏତଲା ଦେଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରୁନାହିଁ କି ଗିରଫ କରିନାହିଁ। ଗତ ୨ ବର୍ଷ ତଳେ ବିଜେପି ପଂଚାୟତ ସଭାପତି ଅନୁସୂଚିତ ଜାତି ବର୍ଗର ବିକାଶ ଜେନାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ଫେରାର୍ ହୋଇଥିବା କଥା ପୋଲିସ କହୁଥିବା ସମୟରେ ସେମାନେ ଗାଁରେ ରହି ଉପଦ୍ରବ କରିବା ସହ ଅନେକ ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସାଙ୍ଗରେ ରହୁଥିଲେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରମାଣ ରହିଛି। କୁଳମଣି ବରାଳ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯିବା ପରେ ପୋଲିସ ଏହାକୁ ହେୟଜ୍ଞାନ କରିଥିଲା ବୋଲି ବିଜେପିର ନେତୃବୃନ୍ଦ ପୋଲିସ ଡିଜିପିଙ୍କ ପାଖରେ ଅଭିଯୋଗ କରିଥିଲେ।
ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ। ରାଜ୍ୟରେ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା କଥା କିନ୍ତୁ ଶାସକ ଦଳର ହାତବାରେସୀ ସାଜି ପୋଲିସ କାର୍ଯ୍ୟ କରୁଛି। ପୁରୀରେ ହାଜତ ମୃତ୍ୟୁ, ନୟାଗଡରେ ପରୀ ହତ୍ୟାକାଣ୍ଡ ଏବଂ ମାହାଙ୍ଗାରେ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଗୁଡିକରେ କିଛି ଚାଟୁକାରିତା ପୋଲିସ ଅଫିସରମାମାନଙ୍କ ପାଇଁ ଆଜି ପୂରା ପୋଲିସ ପ୍ରଶାସନ ବଦନାମ ହୋଇଛି। ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ନହେବା ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଚେତାବାନୀ ଦେଇଛନ୍ତି।
ମୋଦିଜୀଙ୍କ ଲୋକପ୍ରିୟତା ଦେଖି ଶାସକ ବିଜେଡି ଭୟଭୀତ ହୋଇପଡିଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ବିଜେପି କାର୍ଯ୍ୟକର୍ତାମାନେ କେବେ ହିଂସା କରନ୍ତି ନାହିଁ। କିନ୍ତୁ ଯଦି ରାଜନୈତିକ ହିଂସା ପରାୟଣ ହୋଇ ସେମାନଙ୍କୁ ହତ୍ୟା କରାଯିବ କାର୍ଯ୍ୟକର୍ତାମାନେ ଏହାକୁ ବରଦାସ୍ତ କରିବେ ନାହିଁ। ଯେଉଁ ପୋଲିସ ଅଧିକାରୀମାନେ ଶାସକ ଦଳ ଇଙ୍ଗିତରେ କାମ କରୁଛନ୍ତି ସେମାନେ ସର୍ତକ ହୋଇଯାନ୍ତୁ, କାରଣ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ରାଜ୍ୟ ବିଜେପି ସହପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ଚେତାବନୀ ଦେଇଛନ୍ତି।
