ହିନ୍ଦୀ ଚଳଚ୍ଚିତ୍ରର କାହାଣୀ ପରି ଅରୁଣ ବ୍ରୋଥା ସ୍କ୍ରିପ୍ଟକୁ ପ୍ରେସମିଟ ଜରିଆରେ ଉପସ୍ଥାପନା କରଛନ୍ତି
ବିଜେଡି ଦଳ ପ୍ରାୟୋଜିତ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ସୁରକ୍ଷା ଦେବା ପାଇଁ ବିରାଟ ଷଡଯନ୍ତ୍ର ରଚାଯାଇଛି
ପରୀ ହତ୍ୟାକାଣ୍ଡ ଘଟଣାକୁ ବନ୍ଦ କରିବାର ଷଡଯନ୍ତ୍ର କରିଛି ଏସଆଇଟି
ପରୀର ବାପା ମା’ ଙ୍କ ଅଭିଯୋଗ ସତ୍ୱେ ମନ୍ତ୍ରୀ ଅରୁଣ ସାହୁଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କରାଯାଉ ନାହିଁ ?
ଏବେ ସୁଦ୍ଧା ପରୀର ହତ୍ୟାକାରୀ ଧରାପଡିନାହିଁ
ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ଏସଆଇଟି ମୁଖ୍ୟ ପୂରା ଦମ୍ ଲଗାଇଛନ୍ତି
ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟସରକାର ତୁରନ୍ତ ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ
ଭୁବନେଶ୍ୱର,ତା.୨୨/୧୨: ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ନାବାଳିକା ପରୀକୁ ନ୍ୟାୟ ଦେବା ବଦଳରେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଏକ କାଳ୍ପନିକ କାହାଣୀ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି । ହିନ୍ଦୀ ଚଳଚ୍ଚିତ୍ରର କାହାଣୀ ପରି ଅରୁଣ ବ୍ରୋଥା ସ୍କ୍ରିପ୍ଟକୁ ପ୍ରେସମିଟ ଜରିଆରେ ଉପସ୍ଥାପନା କରି ଏହି ହତ୍ୟାକାଣ୍ଡ ଘଟଣାକୁ ବନ୍ଦ କରିବାର ଷଡଯନ୍ତ୍ର କରିଛନ୍ତି । ଏବେ ମୁଖ୍ୟ ଅଭିଯୁକ୍ତ କହୁଥିବା ସରୋଜ ସେଠୀଙ୍କୁ ପୂର୍ବରୁ ଏହି ଘଟଣାରେ ଦୋଷ ସ୍ୱୀକାର କରିବା ପାଇଁ ଏସଆଇଟି ମୁଖ୍ୟ ୫ ଲକ୍ଷ ଟଙ୍କା ଯାଚିଥିଲେ । ତାଙ୍କୁ ଅଭିଯୁକ୍ତ ସଜାଇବା ଲାଗି ସମସ୍ତ ଟେଷ୍ଟ କରାଯାଇଥିଲା । ମୃତା ପରୀର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଏସଆଇଟି ତଦନ୍ତ ନକରି ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ କ୍ଲିନ୍ ଚିଟ୍ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏବେ ମନ୍ତ୍ରୀ ଅରୁଣ ସାହୁ ଓ ‘ମୋ ସରକାର’ଙ୍କୁ ସୁରକ୍ଷା ଦେବା ପାଇଁ ଅରୁଣ ବ୍ରୋଥା ନୂଆ କାହାଣୀ ରଚିଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ପରୀ ହତ୍ୟା ଘଟଣାରେ ହତ୍ୟାକାରୀ ଗାଁ ରେ ଥିବା ବେଳେ ଗତ ୫ ମାସ ଧରି ସ୍ଥାନୀୟ ପୋଲିସ ଜାଣି ପାରିଲା ନାହିଁ କିପରି? ଏବେ ସୁଦ୍ଧା ପରୀର ହତ୍ୟାକାରୀ ଧରାପଡିନାହିଁ । ଅରୁଣ ବ୍ରୋଥାଙ୍କ କହିବାନୁଯାୟୀ ଯଦି ପରୀର ଶବକୁ ବୁଦା ମୂଳେ ରଖାଯାଇଥିଲା ତେବେ ପୋଲିସ ପ୍ରଶାସନ ଏବଂ ଡଗସ୍ୱାର୍ଡ କିପରି ଶବ ପାଖରେ ପହଂଚିପାରିଲେ ନାହିଁ । ପରୀ ହତ୍ୟାକାଣ୍ଡ ସଂପର୍କରେ ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପରୀର ଦୁଷ୍କର୍ମ ହୋଇଛି ବୋଲି କୌଣସି ପ୍ରମାଣ ମିଳିପାରିବ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଅନ୍ୟପଟେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ପରୀର ଦୁଷ୍କର୍ମ ହୋଇଛି ବୋଲି କହିଛନ୍ତି । ତେବେ ଏ ଘଟଣାରେ ଅନେକ ଦ୍ୱନ୍ଦ୍ୱ ରହିଛି । ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେବା ପାଇଁ ଏସଆଇଟି ମୁଖ୍ୟ ପୂରା ଦମ୍ ଲଗାଇଛନ୍ତି । ପରୀର ବାପା ମା’ ଙ୍କ ଅଭିଯୋଗ ସତ୍ୱେ ମନ୍ତ୍ରୀ ଅରୁଣ ସାହୁଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କରାଯାଉ ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ପରୀ ହତ୍ୟାକାଣ୍ଡ ଘଟଣାକୁ ଭିନ୍ନ ମୋଡ ଦିଆଯାଉଛି । ଏସଆଇଟି ମୁଖ୍ୟଙ୍କ କଥାରେ କୌଣସି ପ୍ରାମାଣିକତା ନାହିଁ । ଏସଆଇଟିରେ ପରୀ ନ୍ୟାୟ ପାଇଲା ନାହିଁ ବୋଲି ଆଜି ଏହା ପ୍ରମାଣିତ ହୋଇଗଲା । ବିଜେଡି ଦଳ ପ୍ରାୟୋଜିତ ଅଙ୍ଗ ତସ୍କରୀ ଗ୍ୟାଙ୍ଗକୁ ସୁରକ୍ଷା ଦେବା ପାଇଁ ବିରାଟ ଷଡଯନ୍ତ୍ର ରଚାଯାଇଛି । ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟସରକାର ତୁରନ୍ତ ଏହି ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
