Odisha news

ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି : ବିଜେପି

0

 ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରାଯାଉ
 ପରୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବା ପରେ ଅରୁଣ ବ୍ରୋଥା ବିଶ୍ୱସନୀୟତା ହରାଇଛନ୍ତି
 ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର୍ୟାକେଟ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି
 ଅରୁଣ ସାହୁଙ୍କ ବିରୁଦ୍ଧରେ ଥିବା ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ବ୍ରୋଥା ବାବୁଙ୍କୁ କାମରେ ଲଗାଇଛନ୍ତି ସରକାର
 ରାଜ୍ୟସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଏମିତି କ’ଣ ଦୋଷ ଦୁର୍ବଳତା ମନ୍ତ୍ରୀ ଅରୁଣ ସାହୁ ଜାଣିଛନ୍ତି କି ଯାହା ଫଳରେ ବିଭିନ୍ନ ଘଟଣାରେ ଯେତେ ଭୃଲ କଲେ ସୁଦ୍ଧା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ
 ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବେ କି ସୁରକ୍ଷା ଦେବେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର,ତା.୧୮/୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି । ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ସହ ତାଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ତାଙ୍କୁ ୧୭ ବର୍ଷ ଦେଖାଇ ବାଳ ଅପରାଧୀ ସଜାଇ କମ୍ ଦଫାରେ ଖସାଇବାର ଷଡଯନ୍ତ୍ର ରଚିଛନ୍ତି ଏସଆଇଟି ମୁଖ୍ୟ । ତଦନ୍ତ ଆଳରେ ଅରୁଣ ବ୍ରୋଥାଙ୍କ ଏପରି ଅମାନବୀୟ କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପରୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବା ପରେ ଅରୁଣ ବ୍ରୋଥା ବିଶ୍ୱସନୀୟତା ହରାଇଛନ୍ତି । ଏଣୁ ରାଜ୍ୟସରକାର ତୁରନ୍ତ ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର୍ୟାକେଟ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି । ସେଥିପାଇଁ ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ସମାନଢଙ୍ଗରେ ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛନ୍ତି । କିଛିଦିନ ତଳେ ଏକ ଭାଇରାଲ ଅଡିଓରେ ଅରୁଣ ବ୍ରୋଥା ‘ମୋ ସରକାର’କୁ ଡରୁଛନ୍ତି ବୋଲି କହିଥିଲେ । ସେ ଡରକୁ ବ୍ୟବହାର କରି ରାଜ୍ୟସରକାର ଅରୁଣ ସାହୁଙ୍କ ବିରୁଦ୍ଧରେ ଥିବା ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ବ୍ରୋଥା ବାବୁଙ୍କୁ କାମରେ ଲଗାଇଛନ୍ତି ଏବଂ ସେ ପରିପ୍ରେକ୍ଷୀରେ ସରୋଜ ସେଠୀଙ୍କୁ ଟଙ୍କା ଯଚାଯାଇଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ନିଜେ ସ୍ୱଚ୍ଛ ଶାସନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବାବେଳେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁନାହାଁନ୍ତି କାହିଁକି ? ରାଜ୍ୟସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଏମିତି କ’ଣ ଦୋଷ ଦୁର୍ବଳତା ମନ୍ତ୍ରୀ ଅରୁଣ ସାହୁ ଜାଣିଛନ୍ତି କି ଯାହା ଫଳରେ ବିଭିନ୍ନ ଘଟଣାରେ ଯେତେ ଭୃଲ କଲେ ସୁଦ୍ଧା ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଗୋଟିଏପଟେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କରି ଲୋକଙ୍କୁ ସୁବିଧା ଦେବା କଥା କହୁଛନ୍ତି ଅନ୍ୟପଟେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ପୋଲିସ ଏସପି ଓ ନିଜ ଦଳର ମନ୍ତ୍ରୀଙ୍କୁ ସୁରକ୍ଷା ଦେବାର କାର୍ଯ୍ୟ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଏସଆଇଟିର ପ୍ରାଥମିକ ତଦନ୍ତ ରିପୋର୍ଟକୁ ଲିକ୍ କରାଯାଇଥିଲା ଏବଂ ମାନ୍ୟବର ହାଇକୋର୍ଟ ମଧ୍ୟ ଏସଆଇଟିର କାର୍ଯ୍ୟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ । ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବେ କି ସୁରକ୍ଷା ଦେବେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଡ.ସାମନ୍ତସିଂହାର ଦାବି କରିଛନ୍ତି ।

Leave A Reply