ଗାଁରୁ ସହର ପର୍ଯ୍ୟନ୍ତ ଦେଶର ଗରୀବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗଙ୍କ ଅର୍ଥନୀତିକୁ ବଳ ମିଳିଛି
ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟ ସଭାପତି ମନମୋହନ ସାମଲ
ଭୁବନେଶ୍ୱର, ତା.୧୫/୦୯: ଜିସଟି ସଂସ୍କାର ୨.୦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି । ଆସନ୍ତା ୨୨ ତାରିଖରୁ ଲାଗୁ ହେବା ପାଇଁ ଯାଉଥିବା ନୂତନ ଜିସେଟି ସ୍ଲାବ ସମସ୍ତ ବର୍ଗବିଶେଷଙ୍କ ମନରେ ଖୁସି ଆଣିଦେଇଛି । ଏହି ସଂସ୍କାର ଦ୍ୱାରା ସାଧାରଣ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ ଏବଂ ସମସ୍ତଙ୍କୁ ଆଶ୍ୱସ୍ଥି ଆଣିଦେଇଛି । ଗାଁରୁ ସହର ପର୍ଯ୍ୟନ୍ତ ଦେଶର ଗରୀବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗଙ୍କ ଅର୍ଥନୀତିକୁ ବଳ ମିଳିବ । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯୁବକ, ମହିଳାମାନେ ଆର୍ଥିକ ସଶକ୍ତ ହେବେ । କ୍ଷୁଦ୍ର, ମଧ୍ୟମ ଶିଳ୍ପକୁ ଭଲ ଫାଇଦା ମିଳିବ । କୃଷକଙ୍କ ଅର୍ଥନୀତି ଆହୁରି ସୁଦୃଢ ହେବ । ହସ୍ତତନ୍ତ୍ର ଶିଳ୍ପ ସୁଦୃଢ ହେବ । ସ୍ୱାସ୍ଥ୍ୟ ବୀମାରେ ଟିକସକୁ ଶୂନ୍ୟ କରାଯାଇଥିବାରୁ ସାଧାରଣ ବର୍ଗବିଶେଷ ସର୍ବାଧିକ ଉପକୃତ ହେବେ । ଦେଶର ପ୍ରତିରକ୍ଷା ଭିତିଭୁମି ଆହୁରି ଅଧିକ ସୁଦୃଢ ହେବା ସହିତ ପତିରକ୍ଷା ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇ ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ । ବାସ୍ତବରେ ଆତ୍ମନିର୍ଭରଶୀଳ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯାଇଥିବା ଏହି ଜିଏସଟି ସଂସ୍କାର ଦ୍ୱାରା ଓଡିଶା ଭଳି ରାଜ୍ୟର ଇକୋସିଷ୍ଟମ ସୁଦୃଢ ହେବା ସହିତ ତ୍ୱରାନ୍ୱିତ ହେବ ବୋଲି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶିଂହ କହିଛନ୍ତି ଯେ, ଗତ କଂଗ୍ରେସ / ୟୁପିଏ ଶାସନ କାଳରେ ୨୮ ପ୍ରକାରର ଟିକସ ବୋଝ ଦେଶବାସୀଙ୍କ ଉପରେ ଲଦି ଦିଆଯାଇଥିଲା । ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ପ୍ରଥମ ଜିଏସଟି ସଂସ୍କାରରେ ୨୮ ପରିବର୍ତେ ୪ଟି ସ୍ଲାବ (୫, ୧୨, ୧୮ ଓ ୨୮ ପ୍ରତିଶତ) ଟିକସ ବ୍ୟବସ୍ଥା ଆଣିଥିଲେ । ବର୍ତମାନ ପୁଣୀ ଥରେ ସଂସ୍କାର ଅଣାଯାଇ ମାତ୍ର ୨ଟି ସ୍ଲାବ (୫ ଓ ୧୮ ପ୍ରତିଶତ) ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି । କଂଗ୍ରେସ ଶାସନ ଅମଳରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କ୍ଷୀରଠାରୁ ଆରମ୍ଭ କରି ପେଷ୍ଟ, ସାବୁନ, ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପେନସିଲ, କଂପାସ ଏବଂ କୃଷି ଯନ୍ତ୍ରପାତି ଭଳି ଦ୍ରବ୍ୟରେ ଅତ୍ୟାଧିକ ଟିକସ ଲାଗୁ କରାଯାଇଥିଲା । ବର୍ତମାନ ଏହି ସବୁ ଦ୍ରବ୍ୟ ଉପରେ ଟିକସ ହ୍ରାସ ପାଇଛି । କେନ୍ଦୁ ପତ୍ର ଉପରେ ଜିଏସଟି ସ୍ଲାବ ୧୮ ରୁ ୫ ପ୍ରତିଶତକୁ ହ୍ରାସ ପାଇବା କାରଣରୁ ଓଡିଶାର କେନ୍ଦୁପତ୍ର ତୋଳାଳିମାନେ ଉପକୃତ ହେବେ । ସେହି ଭଳି ସୁତା ଉପରେ ଜିଏସଟି ୧୨ ରୁ ୫ ପ୍ରତିଶତକୁ ହ୍ରାସ ପାଇବା କାରଣରୁ ଓଡିଶାର ବୁଣାକାର ଭାଇଭଉଣୀମାନେ ଲାଭବାନ ହେବେ ଏବଂ ଓଡିଶା ତିଆରି ବସ୍ତ୍ରର ବ୍ୟାପକତା ବୃଦ୍ଧି ପାଇବ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ବିଭିନ୍ନ କୃଷି ଉପକରଣ ଯଥା, ଟ୍ରାକ୍ଟର ଓ ଏହାର ଯନ୍ତ୍ରାଂଶ, ଟ୍ରାକ୍ଟର ଟାୟାର ଉପରେ ଟିକସ ହାର ହ୍ରାସ ପାଇବା କାରଣରୁ କୃଷି ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ କୃଷକ ଭାଇଭଉଣୀମାନଙ୍କ ଅର୍ଥନୀତି ଆହୁରି ସୁଦୃଢ ହେବ । ଟିଭି, ଫ୍ରିଜ, ମୋଟରସାଇକଲ, କାର ଆଦି ଶସ୍ତା ହେବ । ଔଷଧ, ଦୁଗ୍ଧଜାତ ଦ୍ରବ୍ୟ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡିକୁ ଜିଏସଟି ଟିକସରୁ ବାଦ ଦିଆଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଜିଏସଟି ଜରିଆରେ ୨୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଭାରତ ସରକାରଙ୍କ ଖାତାକୁ ଆସିଥିଲା । ଏହି ସଂସ୍କାର ଦ୍ୱାରା ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ୪୮ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ଭାରତ ସରକାର । ମୋଦି ସରକାର ଭୋକାଲ ଫର୍ ଲୋକାଲକୁ ଆଧାର କରି ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ଅଗ୍ରାଧିକାର ଦେଉଛନ୍ତି । ନୂତନ ଜିଏସଟି ସଂସ୍କାର ଓ ଜିଏସଟି ହାରରେ ସରଳୀକରଣ ଫଳରେ ସାଧାରଣ ଲୋକଙ୍କ ସମେତ ଦେଶର ଅର୍ଥନୀତି ଉପରେ ଅନେକ ଭଲ ପ୍ରଭାବ ପଡିବ ଏବଂ ସୁଦୃଢ ଅର୍ଥନୀତି ସହ ସହଜ ଜୀବନଯାପନର ନୂତନ ଯୁଗ ଆରମ୍ଭ ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିସାକୁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ବିଶେଷ ଭାବେ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ଗଠନ ହେବା ପରେ ରାଜ୍ୟର ଭିତିଭୁମି ବିକାଶ ତ୍ୱରାନ୍ୱିତ ହୋଇଛି । ଏଥି ସହ ଅପାର ସମ୍ଭାବନାର ରାଜ୍ୟ ଓଡିଶାକୁ ଶିଳ୍ପ, ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ଗରୀବ, ଯୁବ, କୃଷକ, ମହିଳାଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଏଭଳି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ, ବୁଦ୍ଧିଜୀବି ସମ୍ମିଳନୀ ଜରିଆରେ ନୂତନ ଜିଏସଟି ସଂସ୍କାରର ସୁଫଳକୁ ଲୋକଙ୍କ ପାଖରେ ପହଂଚାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ସାଂସଦ ଶ୍ରୀ ରବି ନାରାୟଣ ବେହେରା, ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ ।
