ଆମ୍ବେଦକରଙ୍କ ସ୍ୱପ୍ନକୁ ଆଧାର କରି ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ କରୁଛି ବିଜେପି : ଅନୁରାଗ ସିଂହ ଠାକୁର
“ସମ୍ବିଧାନ ଗୈାରବ ଅଭିଯାନ” ପ୍ରସଙ୍ଗରେ ପ୍ରେସ ବାର୍ତା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ
କ୍ଷମତା ପାଇଁ ସମ୍ବିଧାନର ମୌଳିକ ଆତ୍ମାକୁ ବାରମ୍ବାର ଉଲ୍ଲଂଘନ କରିଥିବା କଂଗ୍ରେସକୁ ଡ. ବାବାସାହେବଙ୍କ ଉତରାଧିକାରୀ ପ୍ରସଙ୍ଗରେ କହିବାର କୌଣସି ନୈତିକ ଅଧିକାର ନାହିଁ
କଂଗ୍ରେସ ଦଳ ସମ୍ବିଧାନର ଅଖଣ୍ଡତା ଅପେକ୍ଷା ‘ରାଜନୈତିକ ସ୍ୱାର୍ଥ’କୁ ପ୍ରାଥମିକତା ଦେଇ ଭାରତର ସମ୍ବିଧାନକୁ ନିରନ୍ତର ଦୁର୍ବଳ କରିଆସିଛି
ଭୁବନେଶ୍ୱର, ତା.୨୦/୦୧: ଡ.ବାବାସାହେବ ଆମ୍ବଦେକରଙ୍କୁ କଂଗ୍ରେସ ଦଳ ବାରମ୍ବାର ଅପମାନିତ କରିଛି । ଏପରିକି ମୃତୁ୍ୟ ପରେ ଦିଲ୍ଲୀରେ ଶବଦାହ କରିବାକୁ ମନା କରି ଦେଇ ଆମ୍ବେଦକରଙ୍କ ପାର୍ଥୀବ ଶରୀରକୁ ମଧ୍ୟ ଅସମ୍ମାନ କରିବାକୁ ପଛାଇ ନଥିଲା କଂଗ୍ରେସ । ଡ. ଆମ୍ବେଦକରଙ୍କୁ ବିଧାନସଭା ନିର୍ବାଚନରେ ପରାସ୍ତ କରିବା ପାଇଁ କଂଗ୍ରେସର ବମ୍ବେ ପ୍ରିମିୟର ବି.ଜି. ଖରେ ଜାଣିଶୁଣି ଷଡ଼ଯନ୍ତ୍ର କରିଥିଲେ । ୧୯୫୨ ଲୋକସଭା ନିର୍ବାଚନରେ, କଂଗ୍ରେସ ଏବଂ କମ୍ୟୁନିଷ୍ଟ ନେତାମାନେ ନେହେରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ.ଆମ୍ବେଦକରଙ୍କୁ ହରାଇବା ପାଇଁ ଆମ୍ବେଦକରଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ନାରାୟଣରାଓ କାଜରୋଲକରଙ୍କୁ ପ୍ରାର୍ଥୀ କରିଥିଲେ । ନେହେରୁ ବ୍ୟକ୍ତିଗତ ଭାବେ ଡ. ଆମ୍ବେଦକରଙ୍କ ବିରୋଧରେ ପ୍ରଚାର କରିଥିଲେ । ୧୯୭୦ ମସିହାରେ କଂଗ୍ରେସ କାଜରୋଲକରଙ୍କୁ ପଦ୍ମଭୂଷଣ ପ୍ରଦାନ କରିଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାର (୨୦୧୨ ବେଳେ) ଅମଳରେ ‘ଏନ୍ସିଇଆର୍ଟି’ ପାଠ୍ୟ ପୁସ୍ତକରେ ନେହେରୁ ଡ. ଆମ୍ବେଦକରଙ୍କୁ ଚାବୁକ ମାରୁଥିବାର କାର୍ଟୁନ ପ୍ରକାଶ ପାଇଥିଲା । କ୍ଷମତା ପାଇଁ ସମ୍ବିଧାନର ମୌଳିକ ଆତ୍ମାକୁ ବାରମ୍ବାର ଉଲ୍ଲଂଘନ କରିଥିବା କଂଗ୍ରେସକୁ ଡ. ବାବାସାହେବଙ୍କ ଉତରାଧିକାରୀ ପ୍ରସଙ୍ଗରେ କହିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ।
“ସମ୍ବିଧାନ ଗୈାରବ ଅଭିଯାନ” ପ୍ରସଙ୍ଗରେ ଅନୁଷ୍ଠିତ ପ୍ରେସ ବାର୍ତା ଏବଂ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଠାକୁର କହିଛନ୍ତି ଯେ; କାଶ୍ମୀର ପ୍ରସଙ୍ଗରେ ନୀତି, ଦଳିତଙ୍କୁ ଅଣଦେଖା, ତୁଷ୍ଟିକରଣ ରାଜନୀତି, ତୃଟିପୂର୍ଣ୍ଣ ବୈଦେଶିକ ନୀତି, ହିନ୍ଦୁ କୋଡ ବିଲକୁ ବିରୋଧ କରୁଥିବା କାରଣରୁ ଡ. ଆମ୍ବେଦକର ୧୯୫୧ ରେ ନେହେରୁଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ସରକାର ରାଜନୈତିକ ବିରୋଧୀମାନଙ୍କୁ ଜେଲରେ ଭର୍ତି କରିବା ସହ ଗଣମାଧ୍ୟମର କଂଠରୋଧ କରିଥିଲା । କଂଗ୍ରେସ ସରକାର ୮୮ ଥର ଧାରା ୩୫୬ ବ୍ୟବହାର କରି ବିରୋଧୀ ଶାସିତ ରାଜ୍ୟ ସରକାରଙ୍କୁ ବରଖାସ୍ତ କରିଥିଲା । କଂଗ୍ରେସ ଦଳ ସମ୍ବିଧାନର ଅଖଣ୍ଡତା ଅପେକ୍ଷା ‘ରାଜନୈତିକ ସ୍ୱାର୍ଥ’କୁ ପ୍ରାଥମିକତା ଦେଇ ଭାରତର ସମ୍ବିଧାନକୁ ନିରନ୍ତର ଦୁର୍ବଳ କରିଆସିଛି । ଏହା ଭାରତର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଅନ୍ୟତମ ବୋଲି ଶ୍ରୀ ଠାକୁର କହିଛନ୍ତି ।
କଂଗ୍ରେସ ବାରମ୍ବାର ସମାନ ନାଗରିକ ସଂହିତା (ୟୁସିସି)କୁ ବିରୋଧ କରିଥିଲା । ୟୁନିଫର୍ମ ସିଭିଲ କୋଡ୍ (ୟୁସସି) ପ୍ରତି କଂଗ୍ରେସର ବିରୋଧ ଏହାର ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତିକୁ ପ୍ରତିଫଳିତ କରେ । କଂଗ୍ରେସ ଧାରା ୩୭୦ ରଦ୍ଦକୁ ବିରୋଧ କରିଥିଲା । କଂଗ୍ରେସ ଜାତୀୟ ସଂହତି ଏବଂ ସାମାଜିକ ନ୍ୟାୟର ବୃହତର ସ୍ୱାର୍ଥକୁ ଅଣଦେଖା କରି ଭୋଟ ବ୍ୟାଙ୍କ ରାଜନୀତିକୁ ସବୁବେଳେ ପ୍ରାଥମିକତା ଦେଇଛି । “କାକା କାଲେଳକର କମିଶନଙ୍କ ସୁପାରିଶକୁ ପ୍ରତ୍ୟାଖ୍ୟାନ” ଏବଂ “ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ” କରି କଂଗ୍ରେସ ସମ୍ବିଧାନର ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ବାରମ୍ବାର ଉଲ୍ଲଂଘନ ଓ ଅଣଦେଖା କରିଛି । “ଆମେ ସଂରକ୍ଷଣ ମାଧ୍ୟମରେ ମୂର୍ଖଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ’ ବୋଲି ବକ୍ତବ୍ୟ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ‘ଦଳିତ, ଆଦିବାସୀ ଏବଂ ପଛୁଆ ବର୍ଗଙ୍କ ସଂଘର୍ଷ’ ଏବଂ ସେମାନଙ୍କର ସାମ୍ବିଧାନିକ ଅଧିକାର ପ୍ରତି କଂଗ୍ରେସର ସମ୍ବେଦନହୀନତାକୁ ପ୍ରକାଶ କରିଥିଲେ ବୋଲି ଶ୍ରୀ ଠାକୁର କହିଛନ୍ତି ।
ଡା.ବାବାସାହେବ ଆମ୍ବେଦକରଙ୍କ ଉତରାଧିକାରୀଙ୍କୁ ସମ୍ମାନିତ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛି । ୧୯୯୦ ମସିହାରେ ବିଜେପି ଆମ୍ବେଦକରଙ୍କୁ ପ୍ରତିଷ୍ଠିତ ଭାରତରତ୍ନ ପୁରସ୍କାରରେ ସମ୍ମାନିତ କରିଛି । ସଂସଦର କେନ୍ଦ୍ରୀୟ ହଲରେ ଡା.ଆମ୍ବେଦକରଙ୍କ ଫଟୋଚିତ୍ର ଲଗାଯାଇଛି । ଡ.ଆମ୍ବେଦକରଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ‘ଜାତୀୟ ସ୍ମାରକୀ’ରେ ପରିଣତ କରାଯାଇଛି । ଆମ୍ବେଦକରଙ୍କ ଜୀବନି ସହ ଜଡିତ ୫ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରି ପଂଚତୀର୍ଥ ଭାବେ ବିକଶିତ କରାଯାଇଛି । ଏଗୁଡିକ ହେଲା; ଜନ୍ମଭୁମି (ମହୁ, ମଧ୍ୟପ୍ରଦେଶ); ଶିକ୍ଷା ଭୁମି (ଲଣ୍ଡନ); ଦିକ୍ଷା ଭୁମି (ନାଗପୁର); ମହାପରିନିର୍ବାଣ ଭୁମି (ଦିଲ୍ଲୀ); ଚୈତ୍ୟ ଭୁମି (ମୁମ୍ବାଇ) । ଆମ୍ବେଦକରଙ୍କୁ ସମ୍ମାନ ଜଣାଇ ଡାକଟିକଟ ଜାରୀ କରାଯାଇଛି । ସୁପ୍ରମକୋର୍ଟ ଏବଂ ଆଇନ ମନ୍ତ୍ରାଳୟରେ ଶୋଭା ପାଉଥିବା ଆମ୍ବେଦକରଙ୍କ ପ୍ରତିମା, ଭାରତର ନ୍ୟାୟ ବ୍ୟବସ୍ଥା ପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି । ସାମାଜିକ ସମାନତା ପ୍ରତି ଆମ୍ବେଦକରଙ୍କ ବହୁମୂଲ୍ୟ ଯୋଗଦାନକୁ ପ୍ରଦର୍ଶିତ କରିବା ପାଇଁ ମୁମ୍ବାଇଠାରେ ଏକ ବିଶାଳକାୟ ପ୍ରତିମା ସ୍ଥାପିତ ହେବାକୁ ଯାଉଛି । ଲଣ୍ଡନ ସ୍ଥିତ ଆମ୍ବେଦକରଙ୍କ ବାସଭବନକୁ ଭାରତ ସରକାର ସ୍ମାରକୀ ଓ ସାଂସ୍କୃତିକ କେନ୍ଦ୍ରରେ ପରିବର୍ତିତ କରିଛନ୍ତି । ଦିଲ୍ଲୀରେ ଡା.ଆମ୍ବେଦକର ଅନ୍ତରାଷ୍ଟ୍ରୀୟ କେନ୍ଦ୍ରର କଳ୍ପନାକୁ ପ୍ରଧାନମନ୍ତ୍ରୀ ମୋଦିଜୀ ବାସ୍ତବ ରୂପ ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି ।
‘ଓବିସି ଆୟୋଗକୁ ସାମ୍ବିଧାନିକ ମାନ୍ୟତା’, ‘ଇଡବ୍ଲୁ୍ୟଏସ୍ ବର୍ଗଙ୍କ ପାଇଁ ଆରକ୍ଷଣ’, ‘ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ’ ଭଳି ୫ଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ସମ୍ବିଧାନରେ କରିଛନ୍ତି ମୋଦିଜୀ । ଧାରା ୩୭୦ର ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ଥିଲା, ଯଦ୍ୱାରା ଜାମ୍ମୁ ଓ କାଶ୍ମୀରରେ ମହିଳାମାନେ ସମ୍ପତି ଅଧିକାରରେ ଭଗୀଧାରୀ ହେଲେ, ଜନଜାତି ସମୁଦାୟଙ୍କୁ ସଂରକ୍ଷଣ ଲାଭ ସୁନିଶ୍ଚିତ କରାଗଲା । ୨୦୧୯ ମସିହାରେ ନାଗରିକତା ସଂଶୋଧନ ଅଧିନିୟମକୁ କାର୍ଯ୍ୟକାରୀ କରାଯାଇ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଉତ୍ପୀଡ଼ନର ଶିକାର ହେଉଥିବା ଅଳ୍ପସଂଖ୍ୟକଙ୍କୁ ନାଗରିକତା ପ୍ରଦାନ କରାଗଲା । ଏହି ଅଧିନିୟମ ବଳରେ ଅଧିକାଂଶ ଲାଭାର୍ଥô ଦଳିତ ଓ ଜନଜାତିୟ ସମୁଦାୟର ଅଟନ୍ତି । ବିଜେପି ୨୦୧୬ ମସିହାରେ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନରେ ସଂଶୋଧନ ଆଣିଥିଲା । ବିଜେପି ସରକାର ମୁସଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ ୨୦୧୯ ପାସ୍ କରି ତିନି ତଲାକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲା । ଏହି ସାହସିକ ସଂସ୍କାର ମହିଳାମାନଙ୍କୁ ସଶକ୍ତ କରିବା ସହ ଭାରତୀୟ ସମ୍ବିଧାନର ମୂଳ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ବିଜେପି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଡ.ଆମ୍ବେଦକରଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଇଥିବା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି)କୁ କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରୟାସ କରୁଛି । ୟୁସିସି ସମସ୍ତ ସମ୍ପ୍ରଦାୟ ପାଇଁ ବ୍ୟକ୍ତିଗତ ଆଇନରେ ସମାନତା ଏବଂ ସମାନତାକୁ ସୁନିଶ୍ଚିତ କରେ । ଏହା ଧର୍ମ-ଭିତିକ ଆଇନକୁ ଶେଷ କରିବା ସହ ବିବାହ, ତଲାକ, ଉତରାଧିକାରୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବିଷୟଗୁଡ଼ିକ ପାଇଁ ଏକ ସମାନ ଆଇନଗତ ଢାଂଚା ପ୍ରଦାନ କରେ ଏବଂ ଧର୍ମନିରପେକ୍ଷତା ଓ ଲିଙ୍ଗଗତ ନ୍ୟାୟକୁ ପ୍ରୋତ୍ସାହିତ କରେ ବୋଲି ଶ୍ରୀ ଠାକୁର କହିଛନ୍ତି ।
ଆଜି ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନରେ ୧୦୬ ଟି ସଂଶୋଧନ କରାଯାଇଛି, ଯେଉଁଥିରୁ ୭୫ ଟି ସଂଶୋଧନ କଂଗ୍ରେସ ଶାସନ ସମୟରେ କରାଯାଇଥିଲା । କଂଗ୍ରେସ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବାରମ୍ବାର ସମ୍ବିଧାନକୁ ପରିବର୍ତନ କରିଥିôବାର ସ୍ପଷ୍ଟ ହେଉଛି । ଜନତା ସରକାର ସମୟରେ ୯ଟି ଏବଂ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଅମଳରେ ୧୪ଟି ସଂଶୋଧନ ହୋଇଥିଲା । ଯେତେବେଳେ କି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେବଳ ୮ଟି ସଂଶୋଧନ କରାଯାଇଛି । ସାମାଜିକ ନ୍ୟାୟ, ଆର୍ଥିକ ଏବଂ ସମାବେଶୀ ବିକାଶକୁ ସୁଦୃଢ଼ କରିବା ପାଇଁ ଦୁଇ ଦଳୀୟ ସହମତିରେ ମୋଦିଜୀଙ୍କ ସରକାର ଏହି ସଂଶୋଧନ କରିଥିଲେ । ଆମ୍ବେଦକରଙ୍କ ବିଚାରଧାରା ଆଜି ମଧ୍ୟ ବିଜେପିର ନୀତିକୁ ପ୍ରେରିତ କରୁଛି । ଆମ୍ବେଦକର ଏଭଳି ଭାରତବର୍ଷର ସ୍ୱପ୍ନ ଦେଖିଥିଲେ, ଯାହା ନ୍ୟାୟ, ସମାନତା ଓ ଏକତାକୁ ମହତ୍ୱ ଦେଇଥାଏ । ଏହି ସ୍ୱପ୍ନକୁ ଆଧାର କରି ବିଜେପି ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ କରୁଛି ବୋଲି ଶ୍ରୀ ଠାକୁର କହିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସାଂସଦ ସୁଜିତ କୁମାର, ବିଧାୟକ ଇରାସିସ ଆଚାର୍ଯ୍ୟ, ସନାତନ ବିଜୁଳି, ସରୋଜ ପାଢୀ, ରାଜ୍ୟ ସାଧାରଣ ସଂପାଦକ ସୀମଂଚଳ ଖଟେଇ, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।