Odisha news

ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି

0

ତିହିଡି, ୨୪/୦୫(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣଙ୍କ ଲୋକପ୍ରିୟତା କ୍ରମଶଃ ବଢିବାରେ ଲାଗିଛି । ଉଭୟ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଓ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ସେମାନଙ୍କ ପ୍ରଚାରକୁ ଜୋରଦାର କରିଥିବାରୁ ଚଳିତ ନିର୍ବାଚନରେ ବିଜେଡିକୁ ବିଜୟ ହାସଲ କରିବାକୁ ହେଲେ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ବୋଲି ଆଲୋଚନା ହେଉଛି । କାରଣ ଏହି ଆସନଟି ଦୀର୍ଘ ବର୍ଷ ହେଲା ଗୋଟିଏ ପରିବାର ସଦସ୍ୟଙ୍କର ଶାସନାଧୀନ ରହିଥିବାରୁ ଏହା ବିରୋଧରେ ଜନ ଅସନ୍ତୋଷ ତିବ୍ର ହେବାରେ ଲାଗିଛି । ଏହି ଅସନ୍ତୋଷରୁ ଫାଇଦା ଉଠାଇବାକୁ ଉଭୟ କଂଗ୍ରେସ ଓ ବିଜେପି ଆପ୍ରାଣ ଉଦ୍ୟମ ଜରି ରଖିଛନ୍ତି । ବିଶେଷକରି ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ପଞ୍ଚାୟତରୁ ସେମାନଙ୍କ ସପକ୍ଷରେ କିଭଳି ଅଧିକରୁ ଅଧିକ ଭୋଟ ହାତେଇହେବ ସେଥିନେଇ ଉଭୟ ପ୍ରାର୍ଥୀ ପ୍ରାଣପଣେ ଲାଗି ପଡିଛନ୍ତି । ତେବେ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ଏହି ଦୌଡରେ ବେଶ ଆଗରେ ଅଛନ୍ତି । ଶ୍ରୀ ମହାନ୍ତି ବହୁ ପୂର୍ବରୁ ଏହି ସବୁ ପଞ୍ଚାୟତରେ ସଙ୍ଗଠନ ତିଆରି କରିଥିବା ବେଳେ ଏବେ ଏହାର ସହାୟତାରେ ଆଗକୁ ବଢିବାରେ ସମର୍ଥ ହେଉଛନ୍ତି । ସେ ଜଣେ ଉଚ୍ଚଶିକ୍ଷିତ ଯୁବକ ଓ ଛାତ୍ର ସଙ୍ଗଠକ ହୋଇଥିବାରୁ ଯୁବଗୋଷ୍ଠୀଙ୍କୁ ନିଜ ପକ୍ଷରୁ ଆଣି ନିଜ ଭୋଟ ବୃଦ୍ଧିରେ ସମର୍ଥ ହୋଇଛନ୍ତି । ଏହିସବୁ ପଞ୍ଚାୟତରେ ସେ ବିଭିନ୍ନ ସ୍ଥାନରେ ସଭା ଶୋଭାଯାତ୍ରା ଓ ମିଶ୍ରଣପର୍ବର ଆୟୋଜନ କରାଇ ବେଶ ଲୋକପ୍ରିୟତା ହାସଲ କରିବାରେ ଲାଗିଛନ୍ତି । ଗାଁକୁ ଗାଁ ବୁଲି ବିଶେଷକରି ମହିଳା ଓ ନୂଆ ଭୋଟରଙ୍କ ମନ କିଣିବାକୁ ଶ୍ରୀ ମହାନ୍ତି ପ୍ରୟାସ ଜାରି ରଖିଛନ୍ତି । ବାସୁଦେବପୁରରେ ପରିବାରବାଦ ଶାସନର ଅନ୍ତ ଘଟାଇ ତାଙ୍କୁ ବିଜୟୀ କରିବାକୁ ସେ ଭୋଟରଙ୍କୁ ନିବେଦନ କରୁଥିବା ବେଳେ ମୋଦୀଙ୍କ ସୁଶାସନରେ ସାମିଲ ହୋଇ ଏକ ବିକଶିତ ଓଡିଶା ଗଠନରେ ସହଭାଗୀ ହେବାକୁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ମହାନ୍ତି ଭୋଟରଙ୍କୁ ଅନୁରୋଧ କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ୨ୟ ଥର ଲାଗି ଏଠାରେ ପ୍ରାର୍ଥୀ ହୋଇଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ବି ତାଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି । ତିହିଡି ବ୍ଲକର ୯ ପଞ୍ଚାୟତରୁ ତାଙ୍କ ପିତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ସର୍ବାଧିକ ଭୋଟ ପାଉଥିବା ବେଳେ ବିଷ୍ଣୁବ୍ରତ ବି ଗତ ନିର୍ବାଚନରେ ସର୍ବାଧିକ ଭୋଟ ପାଇଥିଲେ ଯାହାକି ତାଙ୍କ ବିଜୟର ପଥକୁ ସୁଗମ କରିଥିଲା । ଚଳିତ ନିର୍ବାଚନରେ ବିଷ୍ଣୁବ୍ରତ ଯଦି ଏହି ଧାରାକୁ ବଜାୟ ରଖିବାକୁ ସମର୍ଥ ହେବେ ତେବେ ସେ ବିଜୟୀ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Ad2
Leave A Reply