ଭୁବନେଶ୍ବର: ବିଧାନସଭାରେ ବିରୋଧୀଙ୍କ ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ବିଜେଡି। ବିରୋଧୀ ଉଠାଉଥିବା ପ୍ରସଙ୍ଗକୁ ଗୃହରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ରହିବ। କିନ୍ତୁ ବିରୋଧୀଙ୍କୁ ଦୁର୍ବଳ କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବ ନାହିଁ। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଅକଳରେ ପକାଇବାକୁ ବିଜେଡି ଯୋଜନା କରିଛି।
ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ କହିଛନ୍ତି ଯେ ଜିଏସ୍ଟି ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଓଡ଼ିଶା କମ୍ ରାଜସ୍ବ ପାଉଛି। ଜିଏସ୍ଟି କାର୍ଯ୍ୟକାରୀ ହେଲା ପରେ ରାଜ୍ୟ ଏ ବର୍ଷ ୧୨ ହଜାର କୋଟି ଟଙ୍କା ହରାଇଛି। ଆସନ୍ତା ୫ ବର୍ଷରେ ରାଜ୍ୟ ୬୦ ହଜାର କୋଟି ଟଙ୍କା ହରାଇବ। କୋଇଲା ରୟାଲିଟି, ବକେୟା ଜିଏସ୍ଟି ଅର୍ଥ ପ୍ରଦାନରେ ବିଳମ୍ବ, ସ୍ବାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ ନ କରିବା, ରେଳବାଇ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ଦେବାରେ ଅବହେଳାକୁ ବିଜେଡି ଗୃହରେ ଉଠାଇବ। ଏହା ସହ ବିରୋଧୀ ଦଳ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଯେଉଁ ପ୍ରସଙ୍ଗ ଉଠାଇବେ, ତାହାର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ ବୋଲି ଶ୍ରୀ ଆରୁଖ କହିଛନ୍ତି। ଗୃହରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ସହ ଆଲୋଚନରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
Comments are closed.