ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଜୁନ୍ ୨୨ ତାରିଖ ରାତିରେ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇ ଥିଲା। ଏହା ପରଠାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା।
ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ବର୍ଗତଃ ବିଷ୍ଣୁ ଦାସ ରାଜ୍ୟ ରାଜନୀତିରେ ବେଶ୍ ପରିଚିତ। ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ, ତିର୍ତ୍ତୋଲରେ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି। ଏଥିସହ ସେ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ଗଣଶିକ୍ଷା ମନ୍ତ୍ରୀ ଭଳି ଅନେକ ଉଚ୍ଚ ପଦପଦବିରେ ରହିଥିଲେ । ୨୦୧୯ ମସିହାରେ ଶେଷ ଥର ଲାଗି ତିର୍ତ୍ତୋଲରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଏଥି ପୂର୍ବରୁ ସ୍ବର୍ଗତଃ ଦାସ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଏମିତିକି ଗତ ନିର୍ବାଚନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ପ୍ରଚାରରେ ଆସି ପାରି ନ ଥିଲେ। ମେଡିକାଲରେ ରହି ମଧ୍ୟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିର୍ବାଚନ ପରେ ନିର୍ବାଚନ ମଣ୍ଡଳୀକୁ ପ୍ରାୟତଃ ଆସୁ ନଥିଲେ। ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଭିନ୍ନ ଉନ୍ନୟନ ମୂଳକ କାମରେ ଆସି ଶିଳାନ୍ୟାସ, ଉଦ୍ଘାଟନ କରୁଥିବା ଦେଖିବାକୁ ମିଳିଥିଲା।
