Odisha news

ଆଗାମୀ ବିଧାନସଭା ଅଧିବେଶନ ସୁରୁଖୁରୁରେ ସମ୍ପନ୍ନ ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ତା.୧୭.୦୨.୨୦୨୧ ଷୋଡ଼ଶ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ସୁରୁଖୁରୁରେ ସମ୍ପନ୍ନ ପାଇଁ ଆଜି ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ରେ ଅନୁଷ୍ଠିତ ବୈଠକରେ ବିଧାନସଭା ଅଧିବେଶନ ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରୀ ଦଳ ଓ ବିରୋଧୀ ଦଳ ନେତା ମାନଙ୍କ ସହ ଆଲୋଚନା କରାଯାଇଥିଲା । ୧୮ ତାରିଖ ଦିନ ବିଧାନସଭାର ପ୍ରାରମ୍ଭିକ ଦିବସରେ ରାଜ୍ୟପାଳଙ୍କ ଅଭିଭାଷଣ, ଶୋକପ୍ରସ୍ତାବ, ଧନ୍ୟବାଦ ପ୍ରସ୍ତାବ ଏବଂ ସମ୍ମତି ବିଲ୍ ଗୁଡିକ ଆଗତ ପରେ ଗୃହ ସେହିଦିନ ପାଇଁ ମୁଲତବୀ ରହିବ । ଚଳିତ ଅଧିବେଶନରେ ପ୍ରଶ୍ନକାଳ କହିବ ଏବଂ ସଭ୍ୟମାନଙ୍କର ତାରକାଚିହ୍ନିତ ଓ ଅଣତାରକାଚିହ୍ନିତ ପ୍ରଶ୍ନଗୁଡିକର ଉତ୍ତର ଦିଆଯିବ । ପ୍ରାରମ୍ଭିକ ଦିବସ ଦିନ ଅଧିବେଶନ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେବାକୁ ଥିବା ସ୍ଥଳେ ଅନ୍ୟ ଦିବସରେ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ, ଆପ୍ରୋପ୍ରିଏସନ୍ ବିଲ୍, ବଜେଟ୍ ଉତ୍ତର, ଗୃହ, ସାଧାରଣ ପ୍ରଶାସନ, ରାଜସ୍ୱ ବିଭାଗର ଖର୍ଚ୍ଚଦାବୀ ଆଲୋଚନା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଦିନ ଗୃହର ଅପରାହ୍ନ ଅଧିବେଶନ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କେବଳ ରବିବାରକୁ ଛାଡି ଶନିବାର ସମେତ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ଅଧିବେଶନ ବସିବ । ବିରୋଧୀ ଦଳ ସଭ୍ୟମାନଙ୍କ ମୁଲତବୀ ପ୍ରସ୍ତାବର ଆଲୋଚନା ୯୦ ମିନିଟ୍ ପାଇଁ ଧାର୍ଯ୍ୟ କରାଯାଇଛି ଏବଂ ବିରୋଧୀଦଳ ସଦସ୍ୟମାନଙ୍କ ପାଇଁ ୫୫ ମିନିଟ୍ ଧାର୍ଯ୍ୟ କରାଯାଇଥିବା ସ୍ଥଳେ ସରକାରୀ ଦଳ ସଦସ୍ୟ ଓ ମନ୍ତ୍ରୀମାନଙ୍କ ଉତ୍ତର ପାଇଁ ୩୫ ମିନିଟ୍ ସମୟସୀମା ଧାର୍ଯ୍ୟ କରାଯାଇଛି । କରୋନା କଟକଣାକୁ ପୂର୍ବ ଥର ଭଳି ଏଥର ମଧ୍ୟ କଡାକଡି କରାଯାଇଛି । ସାମାଜିକ ଦୂରତ୍ୱ ମାନି ବିଧାୟକମାନଙ୍କର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଧାନସଭା ସଭ୍ୟ ଏବଂ ମନ୍ତ୍ରୀମାନେ ଠିଆହୋଇ କିମ୍ୱା ବସି ବିଧାନସଭାର ଆଲୋଚନାରେ ଭାଗ ନେଇପାରିବେ । ଓକାକ୍ ଭୁବନେଶ୍ୱର, ଲୋକସେବା ସଦନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରଭୃତିରୁ  ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇପାରିବେ ।

ଚଳିତ ଥର ବିଧାନସଭା ଅଧିବେଶନକୁ ଇ-ବିଧାନସଭା ଅଧିବେଶନ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ସଂଶୋଧନ ବିଲ୍, ବଜେଟ୍ ଦଲିଲ ଏବଂ ମନ୍ତ୍ରୀମାନଙ୍କ ଉତ୍ତର ହିଁ ବିବରଣୀ ଆକାରରେ ସଭ୍ୟମାନଙ୍କୁ ଯୋଗାଇ ଦିଆଯିବ । ଅନ୍ୟଥା କାଗଜ ଆକାରରେ ଅନ୍ୟ ବିବରଣୀ ଗୃହରେ ପ୍ରଦାନ ନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଉକ୍ତ ସର୍ବଦଳୀୟ ବୈଠକରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.