ବାରିପଦା : ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବାରିପଦା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନରେ ଏକ ମନୋଜ୍ଞ ପରିବେଶରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନଗର ପ୍ରମୁଖ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ରାଜ୍କିଶୋର ଦାସ ମୁଖ୍ୟଅତିଥି ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ଓଡିଶା ପ୍ରାନ୍ତଃ ସଂଗଠକ ରବି ନାଇଡୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ୧୮୯୩ ମସିହା ସେପ୍ଟେମ୍ବର ୧୧ ରୁ ୨୭ତାରିଖ ପର୍ଯ୍ୟନ୍ତ ଆମେରିକାର ସିକାଗୋ ନଗରୀର ଇନଷ୍ଟିଚୁ୍ୟଟ୍ ଅଫ୍ ଆର୍ଟର କଲମ୍ବସ ହଲରେ ଅନୁଷ୍ଠିତ ବିଶ୍ୱ ଧର୍ମ ମହାସମ୍ମିଳନୀର ପ୍ରଥମ ଦିବସର ଉଦ୍ଘାଟନୀ ଅଭିଭାଷଣରେ ସାର୍ବଜନୀନ ସହିଷ୍ଣୁତା, ସାର୍ବଜନୀନ ଗ୍ରହଣୀୟତା, ଏକାତ୍ମତା, ବସୁଧୈବ କୁଟୁମ୍ବକମ୍ ଓ ତ୍ୟାଗପୂତ ସେବା ପ୍ରଭୃତି ସନାତନ ବୈଦିକ ଧର୍ମ ଓ ମହାନ ଭାରତୀୟ ମିଳିତ ସଂସ୍କୃତିର ମୂଲ୍ୟବୋଧ ଗୁଡିକର ଉଦ୍ଘୋଷଣା କରି ବିଶ୍ୱୟୀଗୁରୁ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଐକ୍ୟ ଓ ଭାଇଚାରାର ମଞ୍ଜିବପନ କରିଥିବାରୁ ସେହି ଦିବସର ସ୍ମରଣାର୍ଥେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୧ତାରିଖୁ ବିଶ୍ୱ ଭ୍ରାତୃତ୍ୱ ଦିବସ ଭାବେ ପାଳନ କରାଯାଏ । କିନ୍ତୁ ଅନିର୍ବାର୍ଯ୍ୟ କାରଣବଶତଃ ବାରିପଦା ଶାଖା ଚଳିତବର୍ଷ ଏହାକୁ ସେପ୍ଟେମ୍ବର ୧୬ତାରିଖରେ ପାଳନ କରିଥିବାବେଳେ ସହରର ବହୁ ବୁଦ୍ଧିଜୀବି, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶାଖାର ସହ ନଗରପ୍ରମୁଖ ଡଃ ପଟ୍ଟନାୟକ ସଭା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବାବେଳେ ଯୁବାପ୍ରମୁଖ ଡଃ ଅଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶାଖାର ଯୁବ କାର୍ଯ୍ୟକର୍ତ୍ତା ଏବଂ ଦତ୍ତ ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ସଙ୍ଗୀତ୍ ପରିବେଷଣ କରିଥିଲେ ।
